ନୁଆଦିଲ୍ଲୀ: ଭାରତ ଏବଂ ଓମାନ ଆଜି (ଡିସେମ୍ବର ୧୮)ରେ ମସ୍କଟରେ ଏକ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ସ୍ୱାକ୍ଷର କରିବେ। ଏହାର ଉଦ୍ଦେଶ୍ୟ ହେଉଛି ଦୁଇ ଦେଶ ମଧ୍ୟରେ ଆର୍ଥିକ ସମ୍ପର୍କକୁ ବୃଦ୍ଧି କରିବା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତିରେ ଏହି ଚୁକ୍ତି ସ୍ୱାକ୍ଷରିତ ହେବ। ଶ୍ରୀ ମୋଦୀ ଚାରି ଦିନିଆ, ତିନି ରାଷ୍ଟ୍ର ଗସ୍ତରେ ଅଛନ୍ତି।
ମୋଦୀ ମଙ୍ଗଳବାର ଜୋର୍ଡାନରୁ ଇଥିଓପିଆରେ ପହଞ୍ଚିଥିଲେ ଏବଂ ଆଡିସ୍ ଆବାବାରୁ ଓମାନ ଯାଇଛନ୍ତି।ସରକାରୀ ସୂଚନା ଅନୁଯାୟୀ, ଭାରତ ଏବଂ ଓମାନ ମଧ୍ୟରେ ବହୁ ପୁରୁଣା ଦୃଢ ବାଣିଜ୍ୟିକ ସମ୍ପର୍କ ରହିଛି। ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ ଚୁକ୍ତି ସ୍ୱାକ୍ଷର ପାଇଁ ମସ୍କାଟରେ ପହଞ୍ଚିଛନ୍ତି ଓ ବାଣିଜ୍ୟ ସଚିବ ରାଜେଶ ଅଗ୍ରୱାଲ ମଧ୍ୟ ଓମାନରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ଏହି ମୁକ୍ତ ବାଣିଜ୍ୟ ଚୁକ୍ତିନାମା ସ୍ବାକ୍ଷର ହେଲେ ଆନୁଷ୍ଠାନିକ ଭାବରେ ବିଭିନ୍ନ ସାମଗ୍ରୀ ଉପରେ ସୀମା ଶୁଳ୍କ ହ୍ରାସ ପାଇବା ସହ ବାଣିଜ୍ୟ ମାନଦଣ୍ଡ ସହଜ ହେବ ଓ ଦ୍ୱିପାକ୍ଷିକ ନିବେଶକୁ ପ୍ରୋତ୍ସାହନ ମିଳିବ। ଏହି ମୁକ୍ତ ବାଣିଜ୍ୟ ଚୁକ୍ତିନାମା ପାଇଁ ୨୦୨୩ ନଭେମ୍ବର ମାସରେ ଆଲୋଚନା ଆରମ୍ଭ ହୋଇଥିଲା ଏବଂ ୨୦୨୫ ପ୍ରଥମାର୍ଦ୍ଧରେ ଚୂଡ଼ାନ୍ତ ହୋଇଥିଲା। ୨୦୨୪-୨୫ରେ ଭାରତ-ଓମାନ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ ପ୍ରାୟ ୧୦.୫ ବିଲିୟନ ଆମେରିକୀୟ ଡ଼ଲାର ରହିଥିଲା, ସେଥି ମଧ୍ୟରେ ରପ୍ତାନି ୪ ବିଲିୟନ ଏବଂ ଆମଦାନି ୬.୫୪ ବିଲିୟନ ଆମେରିକୀୟ ଡ଼ଲାର ଥିଲା।

ଓମାନରୁ ଭାରତ ପେଟ୍ରୋଲିୟମ ଉତ୍ପାଦ, ୟୁରିଆ, ପ୍ରୋପିଲିନ୍ ଏବଂ ଇଥିଲିନ୍ ପଲିମର, ପେଟ କୋକ୍, ଜିପସମ୍, ରାସାୟନିକ ପଦାର୍ଥ, ଲୁହା ଏବଂ ଇସ୍ପାତ ଏବଂ ଆଲୁମିନିୟମ ଆମଦାନୀ କରିଥାଏ। ଓମାନକୁ ଭାରତ ଖଣିଜ ଇନ୍ଧନ, ରାସାୟନିକ ପଦାର୍ଥ, ମୂଲ୍ୟବାନ ଧାତୁ, ଲୁହା ଏବଂ ଇସ୍ପାତ, ଶସ୍ୟ, ଜାହାଜ ଏବଂ ଡଙ୍ଗା, ବୈଦ୍ୟୁତିକ ଯନ୍ତ୍ରପାତି, ବଏଲର, ଚା, କଫି, ମସଲା, ପୋଷାକ ଏବଂ ଖାଦ୍ୟ ସାମଗ୍ରୀ ରପ୍ତାନି କରିଥାଏ।




