ମାନ୍ୟବର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦଙ୍କ ଏକ ଦିନିକିଆ ଅନୁଗୋଳ ଜିଲ୍ଲା ଗସ୍ତ

ଅନୁଗୋଳ,,ତା.୨୪.୧୨:- ଆଜି ମାନ୍ୟବର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସାଂସଦ, ସମ୍ବଲପୁର ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଏକ ଦିନିକିଆ ଅନୁଗୋଳ ଗସ୍ତରେ ଆସି ଅନୁଗୋଳ ପି .ଏମ୍ .ଶ୍ରୀ ଜବହାର ନବୋଦୟ ବିଦ୍ୟାଳୟ ଚମ୍ପତିମୁଣ୍ଡା ( ଠାରେ ୭ କୋଟି ଟଙ୍କା ବ୍ୟୟରେ ନିର୍ମିତ ବହୁମୁଖୀ ସଭା ଗୃହର ଲୋକାର୍ପଣ ଏବଂ ମହାପୁରୁଷ ସ୍ଵାମୀ ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତି ଅନାବରଣ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

ଏହି ଅତ୍ୟାଧୁନିକ ସଭାଗୃହ ଛାତ୍ର ଛାତ୍ରୀମାନଙ୍କ ବୌଦ୍ଧିକ ବିକାଶରେ ସହାୟକ ହେବ ବୋଲି ମାନ୍ୟବର କେନ୍ଦ୍ରମନ୍ତ୍ରୀ ପ୍ରକାଶ କରିଥିଲେ । ବିଦ୍ୟାଳୟ ପରିସରରେ ଥିବା ସ୍କୁଲ ଲ୍ୟାବ, କୃଷି ଲ୍ୟାବ୍ ପରିଦର୍ଶନ କରି ନୂତନ ଅଟଳ ଟିଙ୍କରିଂ ଲ୍ୟାବ୍ ସ୍ଥାପନ ପାଇଁ ପ୍ରସ୍ତାବ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ମାନ୍ୟବର ଢେଙ୍କାନାଳ ସାଂସଦ ଶ୍ରୀ ରୁଦ୍ର ନାରାୟଣ ପାଣି, ମାନ୍ୟବର ଅନୁଗୋଳ ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ, ମାନ୍ୟବର ଛେଣ୍ଡିପଦା ବିଧାୟକ ଶ୍ରୀ ଅଗସ୍ତି ବେହେରା, ଜିଲ୍ଲାପାଳ ଶ୍ରୀ ଅବଦାଲ୍ ମୁହମ୍ମଦ୍ ଅଖତର, ଊତ୍ତର କେନ୍ଦ୍ର ଆଇ ଜି ଶ୍ରୀ ସତ୍ୟବ୍ରତ ଭୋଇ, ଆରକ୍ଷୀ ଅଧିକ୍ଷକ ରାହୁଳ ଜୈନ, ନବୋଦୟ ବିଦ୍ୟାଲୟର କମିଶନର ଶ୍ରୀ ରାଜେଶ ଲେଖାନୀ, ଶିକ୍ଷକ ଶିକ୍ଷୟତ୍ରୀ ପ୍ରମୁଖ ଊପସ୍ଥିତ ଥିଲେ । ପରେ ପରେ ମାନ୍ୟବର କେନ୍ଦ୍ରମନ୍ତ୍ରୀ ପୁରୁଣାଗଡ ସ୍ଥିତ ମଦନମୋହନ ମନ୍ଦିର ଦର୍ଶନ କରି ଜିଲ୍ଲାବାସୀଙ୍କ ସୁଖ ସମୃଦ୍ଧି କାମନା କରିଥିଲେ । ମାଣିକଯୋଡି ଠାରେ ଜିଲ୍ଲାଖଣିଜ ପାଣ୍ଠି ଅଧୀନରେ ଅନୁମୋଦିତ ପ୍ରାୟ ୨୬ କୋଟି ଟଙ୍କାର ୬ ଗୋଟି ପ୍ରକଳ୍ପର ଭୂମିପୂଜନ କରିଥିଲେ । ପ୍ରକଳ୍ପଗୁଡିକ ହେଲା ବାଲିଜେରେଙ୍ଗ ଠାରୁ ବେତାର ରାସ୍ତା, ଶରଧାପୁର ଠାରୁ ପଥରଗଡ ରାସ୍ତା, ମାଣିକଯୋଡି ଠାରୁ କୃଷ୍ଣଚନ୍ଦ୍ରଗଡ ଭାୟା କୁଳସର ରାସ୍ତା, ଅନ୍ତୁଳିଆ ଠାରୁ ତାବଡା ରାସ୍ତା, ପି.ଡବ୍ଲ୍ୟୁ.ଡି ରାସ୍ତା ଠାରୁ ନୂଆବଡଦାଣ୍ଡ ସାହି ରାସ୍ତା ଊପରେ କଇଁଆ ସେତୁ, ଶରଧାପୁର ଠାରୁ ଗଦେଇମୁଣ୍ଡା ରାସ୍ତା ଊପରେ ମାତେଲିଆ ସେତୁ । ଏହାପରେ ମାନ୍ୟବର କେନ୍ଦ୍ରମନ୍ତ୍ରୀ ଟିକରପଡା ପରିଦର୍ଶନ କରିଥିଲେ ।




