ରାତି ୧୦ଟାରୁ ବିଭିନ୍ନ ଚର୍ଚ୍ଚରେ ଭିଡ଼ ଲାଗିଥାଏ । କିଏ ଗୋଲାପ ଧରି ଆସୁଥାଏ, ତ କିଏ ମହମବତୀ । କ୍ୟାରୋଲ ଗୀତରେ ଗୁଞ୍ଜୁଥାଏ ଚର୍ଚ୍ଚ ପରିସର। ଛୋଟପିଲାମାନେ ସାନ୍ତାକ୍ଲଜ୍ ପୋଷାକ ପିନ୍ଧି ଖ୍ରୀଷ୍ଟିମାସ ଟ୍ରି ଧରି ଫଟୋ ଉଠାଉଥାନ୍ତି । ଥଣ୍ଡାକାକରକୁ ଖାତିର ନକରି ପ୍ରଭୁ ଯୀଶୁଙ୍କ ଆଗମନକୁ ସମସ୍ତେ ଉତ୍ସୁକତାର ସହ ଅପେକ୍ଷା କରିଥାନ୍ତି ।
ନିର୍ଦ୍ଧାରିତ ୧୨ଟା ବେଳକୁ ସେହି ପ୍ରତିକ୍ଷାର ଅନ୍ତ ଘଟିବା ସହ ଜନ୍ମ ନେଇଛନ୍ତି ପ୍ରଭୁ ଯୀଶୁଖ୍ରୀଷ୍ଟ । ଏହାପରେ ଆରମ୍ଭ ହୋଇଛି ସେଲିବ୍ରେସନ୍ । ରାତିତମାମ ଚର୍ଚ୍ଚରେ ଆନନ୍ଦଉଲ୍ଲାସର ପାଳନ ହୋଇଛି ବଡ଼ଦିନ ।ଭୁବନେଶ୍ୱରର ସତ୍ୟନଗର କ୍ୟାଥୋଲିକ୍ ଚର୍ଚ୍ଚ ଓ ୟୁନିଟ୍-୪ ୟୁନିଅନ ଚର୍ଚ୍ଚ ସମେତ ୩୫ରୁ ଅଧିକ ଚର୍ଚ୍ଚରେ ଯୀଶୁଙ୍କ ଜନ୍ମଦିନକୁ ଖୁବ ଧୁମଧାମରେ ପାଳିତ କରିଛନ୍ତି ଶ୍ରଦ୍ଧାଳୁ । କ୍ୟାଥୋଲିକ୍ ଚର୍ଚ୍ଚରେ ପ୍ରଭୁ ଯୀଶୁଙ୍କ ଜନ୍ମବିଧି ପାରମ୍ପରିକ ଭାବରେ ସମ୍ପନ୍ନ ହୋଇଥିଲା । ଯୀଶୁଙ୍କ ଜନ୍ମ ପୂର୍ବରୁ ବଳିଦାନ ଯଜ୍ଞ ହେବା ପରେ ପରିସରରେ ନିର୍ମିତ ଅସ୍ଥାୟୀ ମେଣ୍ଢାଶାଳରୁ ଫାଦର୍ ନବଜାତ ଯୀଶୁଙ୍କ ମୂର୍ତ୍ତିକୁ ଆଣିଥିଲେ । ଖ୍ରୀଷ୍ଟଧର୍ମାବଲମ୍ବୀ ଶ୍ରଦ୍ଧାଳୁମାନେ ଉତ୍ସାହିତ ହୋଇଯାଇଥିଲେ । ସମସ୍ତ ଭାଷାରେ ବାଇବେଲ ପଢ଼ାଯାଇଥିଲା । ଶିଶୁ ଯୀଶୁଙ୍କୁ ଗୋଲାପ ଫୁଲ ଦିଆଯାଇଥିବା ଓ ମହମବତୀ ଜାଳି ତାଙ୍କ ସ୍ୱାଗତ କରାଯାଇଥିଲା । ଏଥିସହ ମେଣ୍ଢାଶାଳରେ କେକ୍ କଟାଯିବା ସହ ବଡ଼ଦିନର ବାର୍ତ୍ତାନେଇ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ୟୁନିଅନ ଚର୍ଚ୍ଚରେ ମଧ୍ୟ ସମାନ ଭାବରେ ଯୀଶୁଙ୍କ ଜନ୍ମଦିନ ପାଳିତ ହୋଇଥିଲା । ଶାନ୍ତିଶୃଙ୍ଖଳା ପାଇଁ କମିଶନରେଟ୍ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଚର୍ଚ୍ଚ ସମ୍ମୁଖରେ ପୁଲିସ ମୁତୟନ ହୋଇଥିଲେ । ରାଜଧାନୀରେ ଶାନ୍ତିଶୃଙ୍ଖଳା ସହିତ ବଡ଼ଦିନ ପାଳନ ହୋଇଛି । ବଡ଼ଦିନ ଅବସରରେ ମଧ୍ୟ ଚର୍ଚ୍ଚରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି, ପ୍ରଭୁ ଯୀଶୁଙ୍କ ଦର୍ଶନ ପାଇଁ ଦିନତମାମ ଚର୍ଚ୍ଚ ଭଡ଼ ଲାଗି ରହିବ।



