ମହାଶିବରାତ୍ରୀ ଜାଗର ପର୍ବ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ
ଢେଙ୍କାନାଳ, ତା. ୨୬.୧୨.୨୦୨୫- ଶ୍ରୀ ଶ୍ରୀ ଚନ୍ଦ୍ରଶେଖରଙ୍କ ଜୀଉଙ୍କ କପିଳାସ ପୀଠରେ ଆସନ୍ତା ଫେବୃଆରୀ ମାସ ୧୫ ତାରିଖ ରବିବାର ମହାଶିବରାତ୍ରୀ ଜାଗର ପର୍ବ ପାଳନ କରାଯିବ । ଏହି ଉପଲକ୍ଷେ ଆଜି ଅପରାହ୍ନରେ ଜିଲ୍ଲା କାର୍ଯ୍ୟାଳୟର ସଦଭାବନା ସଭାଗୃହରେ ଜିଲ୍ଲାପାଳ ଶ୍ରୀ ଆଶିଷ ଈଶ୍ଵର ପାଟିଲଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା I ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ମହାଶିବରାତ୍ରୀ ଜାଗର ପର୍ବ ଯେପରି ଶାନ୍ତିଶୃଙ୍ଖଳା ସହିତ ସୁଚାରୁ ରୂପେ ସମାପନ ହେବ ସେଥିପ୍ରତି ଦାୟୀତ୍ବବାନ ହୋଇ କାର୍ଯ୍ୟ ନିର୍ବାହ କରିବାକୁ ସେ ସଂପୃକ୍ତ ବିଭାଗୀୟ ଅଧିକାରମାନଙ୍କୁ ପରାମର୍ଶ ଦେଇଥିଲେ । ପ୍ରାରମ୍ଭରେ ଉପ-ଜିଲ୍ଲାପାଳ-ତଥା- ନିର୍ବାହୀ ଅଧିକାରୀ, ଦେବୋତ୍ତର ଶ୍ରୀ ବିବୁଧ ଗଡ଼ନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ରାଜପୁରୋଧା ଶ୍ରୀ ପଞ୍ଚାନନ ମିଶ୍ରଙ୍କ ନିର୍ଘଣ୍ଟ ଅନୁଯାୟୀ ରାତ୍ର ଘ.୩.୫୫ମି. ଠାରୁ ବେଢ଼ା ପୂଜା, ପରିକ୍ରମା ଓ ମହାଦୀପ ଉଠାଣ କାର୍ଯ୍ୟ ପାଳିଆ ସେବକଙ୍କ ଦ୍ଵାରା କରାଯାଇ ରାତ୍ର ଘ.୪.୨୦ ମି. ମଧ୍ୟେ ଶେଷ ହେବ ବୋଲି ସ୍ଥିର କରାଯାଇଛି । ବୈଠକରେ ଭକ୍ତମାନଙ୍କ ପାଇଁ ପାନୀୟ ଜଳ ବ୍ୟବସ୍ଥା, ଅଗ୍ନି ନିରାପତ୍ତା, ମନ୍ଦିର ପ୍ରାଙ୍ଗଣ ଭିତର ଓ ବାହାରେ ଆଲୋକ ସଜ୍ଜା ସହିତ ଯାନବାହନ ନିୟନ୍ତ୍ରଣ ଏବଂ ପାର୍କିଂ ବ୍ୟବସ୍ଥା, ଅସ୍ଥାୟୀ ଦୋକାନ ନିମନ୍ତେ ସ୍ଥାନର ବ୍ୟବସ୍ଥା, ମନ୍ଦିର ପ୍ରାଙ୍ଗଣ ଓ ସଂଲଗ୍ନ ଅଂଚ଼ଳର ପରିଷ୍କାର-ପରିଚ୍ଛନ୍ନତା , ଆଶୁ ଚ଼ିକିତ୍ସା ସୁବିଧା ସହିତ ଆମ୍ବୁଲାନ୍ସ ବ୍ୟବସ୍ଥା, ଶାନ୍ତିଶୃଙ୍ଖଳା ରକ୍ଷା ନିମନ୍ତେ ପୋଲିସ ମୁତୟନ ହେବା, ବିଷଧର ସାପ ଧରିବା ପାଇଁ ଟିମ୍ ମୁତୟନ ଓ ଭଜନ ସମାରୋହ ଆୟୋଜନ ଆଦି ସଂପର୍କରେ ଆଲୋଚନା ହୋଇଥିଲା । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ସେଠି (ସାଧାରଣ), ଶ୍ରୀ ଲଲିତ ମୋହନ ବେହେରା (ରାଜସ୍ଵ), ଜିଲ୍ଲା ପରିଷଦର ଅତିରିକ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଆଶିଷ ରଂଜନ ସାହୁ, ସଂପୃକ୍ତ ବିଭାଗୀୟ ଅଧିକାରୀଗଣ ଏବଂ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗ ଦେଇ ଜାଗର ପର୍ବ ଆୟୋଜନ ସଂପର୍କରେ ଆଲୋଚନା କରିଥିଲେ । ଶେଷରେ ଉପ-ଜିଲ୍ଲାପାଳ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।



