*”ଟୋକନ ଦିଅ,ଧାନ କିଣ” ନାରାରେ କମ୍ପିଲା ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ*

ବରଗଡ:୯/୧/୨୦୨୬(ପବିତ୍ର ମେହେର)ଜିଲ୍ଲାରେ ପଞ୍ଜିକୃତ ସମସ୍ତ ଚାଷୀଙ୍କୁ ଏଯାଏଁ ଟୋକନ ମିଳିନାହିଁ, କିଛି ଚାଷୀଙ୍କ ଟୋକନ ଆସିଛି ହେଲେ ଜମି ତୁଳନାରେ କାହିଁକି କମ ଟୋକନ ଆସିଛି ଏବଂ ପଞ୍ଜିକରଣରୁ ବଞ୍ଚିତ ଚାଷୀଙ୍କ କ୍ଷେତ୍ରରେ ମଣ୍ଡିରେ ଧାନ ପଡ଼ିଥିଲେ ମଧ୍ୟ କାହିଁକି ଧାନ ଉଠୁନାହିଁ, ଏଫ ଏ କ୍ଯୁ ଧାନରେ କାହିଁକି ୨/୩ କେଜି କଟନି ଛଟନି ହେଉଛି ବୋଲି ସଂଯୁକ୍ତ କୃଷକ ସଂଗଠନର ପ୍ରତିନିଧିଙ୍କ ପ୍ରଶ୍ନରେ ଘାଇଲା ପ୍ରଶାସନିକ ଅଧିକାରୀ । ଭାରତ ବିଶ୍ୱର ସବୁଠାରୁ ଅଧିକ ଧାନ ଉତ୍ପାଦନ ଦେଶ ଥିବାବେଳେ ବରଗଡ଼ ଭାତ ହାଣ୍ଡି ଭାବେ ପରିଚିତ ହେଲେ ଧାନ ବିକ୍ରିପାଇଁ ଚାଷୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପରି ସ୍ଥଳେ ବରଗଡ଼ ଧନୁଯାତ୍ରା ମଞ୍ଚରେବଲାଙ୍ଗୀର ରାଜାଙ୍କ ଚାଷୀଙ୍କ ପ୍ରତି ବିଦ୍ରୁପ ଓ ଆନ୍ଦୋଳନରତ ଚାଷୀମାନଙ୍କୁ ଧମକାଇବା ଘଟଣାକୁ ଦୃଢ ନିନ୍ଦା କରାଯାଇଛି। ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୭୬୭୮୮ ଜଣ ଚାଷୀଙ୍କ କେବଳ ୩୩,୪୧,୨୩୦କ୍ୟୁଣ୍ଟାଲ ଧାନ କିଣା ହୋଇଛି।ଗତ ବର୍ଷ ଏପରି ସମୟରେ ପ୍ରାୟ ୫୦ ଲକ୍ଷ କ୍ୟୁଣ୍ଟାଲ ରୁ ଅଧିକ କିଣା ଯାଇଥିଲା। ଯଦି ଏହି ଅନୁପାତ ରେ ଧାନ କିଣା ଯାଏ ତାହାହେଲେ ରବି ଚାଷ ପ୍ରଭାବିତ ହେବ ଏବଂ ଚାଷୀ ବାଧ୍ୟ ହୋଇ ମଧ୍ୟସ୍ଥି ମାନଙ୍କୁ ଶସ୍ତାରେ ଧାନ ବିକ୍ରି କରିଦେବ। ଏଣୁ ସଂଗଠନର ଦାବୀ ମୁତାବକ ଜାନୁୟାରୀ ୧୫ ସୁଦ୍ଧା ସମସ୍ତ ଚାଷୀଙ୍କୁ ଟୋକନ ଦିଆଯାଉ ଏବଂ ମାସର ଶେଷ ସୁଦ୍ଧା ସମସ୍ତ ଚାଷୀଙ୍କ ଧାନ କିଣା ଯାଉ ବୋଲି ଉଲ୍ଲେଖ କରିଛନ୍ତି। ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଉପ ଜିଲ୍ଲାପାଳ ପ୍ରସନ୍ନ କୁମାର ପାଣ୍ଡେ ,ଡି ଆର ସି ଏସ ଯୁଗଳ ଦାସ ଚାଷୀଙ୍କ ଦାବୀପତ୍ର ଗ୍ରହଣ କରି ଯଥା ସମ୍ଭବ ଦାବୀ ପୂରଣ କରିବା ପାଇଁ ପ୍ରତିଶୃତି ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ କୃଷକ ସଂଗଠନର ଉପଦେଷ୍ଟା ରମେଶ ମହାପାତ୍ର, ସୁଦାମ ପାତ୍ର, ନିରଞ୍ଜନ ପ୍ରଧାନ, ରବିଶଙ୍କର ପଧାନ, ଜୟ ପ୍ରକାଶ ପଧାନ, ଟେକରାଜ ପଧାନ, ଈଶାନ୍ତ ଭୋଇ, ସୁବଳ ପଧାନ, ଭିଜନ ପାଢ଼ୀ, କଳାକର ଦେହେରୀ, ଶ୍ରଦ୍ଧାକର କର୍ମୀ, ଡାକ୍ତର ପାତ୍ର, ସରୋଜ ସାହୁ, ଜୟନ୍ତୀ ସାହୁ, ସୁଦର୍ଶନ ନାୟକ, ମୋହନ ଭୋଇ, ଲିଙ୍ଗରାଜ ଦେହେରୀ, ବିକାଶ ଭୋଇ ନେତୃତ୍ୱରେ ଶହଶହ ଚାଷୀ ଯୋଗ ଦେଇ ଦାବୀ ପତ୍ର ଦେଇଥିଲେ ।



