
ବଅଁରପାଳ,୧୧.୧- ବଅଁରପାଳ ବ୍ଲକ ତୁଳସୀପାଳ ଗ୍ରାମ ପାଲାମଣ୍ଡପ ଠାରେ ଅଞ୍ଚଳରେ ପ୍ରତ୍ୟେକ ଦିନ ହାତୀଙ୍କ ଉପଦ୍ରବର କୌଣସି ସ୍ଥାୟୀ ପ୍ରତିକାର ନହେବା, ହାତୀଙ୍କ ଉପସ୍ଥିତି ଯୋଗୁଁ ବାରମ୍ବାର ଦୀର୍ଘ ସମୟ ଧରି ବିଦ୍ୟୁତ ସରବରାହ ବନ୍ଦ ରହିବା ଓ ଏ ବିଷୟରେ ବିଭାଗୀୟ ଜିଲ୍ଲା ପଦାଧିକାରୀଙ୍କୁ ଲିଖିତ ଅଭିଯୋଗ ପରେ ସମାଧାନର କେବଳ ପ୍ରତିଶୃତି ଦେଇ ପରମୁହୂର୍ତରେ ସେମାନଙ୍କ ଖାମଖିଆଲ ମନୋବୃତ୍ତିର ପ୍ରତିବାଦରେ ତୁଳସୀପାଳ, ଲଙ୍ଗୁଳିଆବେଡା ଏବଂ ଗାଢ଼ରଖାଇ ଗ୍ରାମର ସଭାପତିଙ୍କ ତତ୍ୱାବଧାନରେ ଏକ ବୈଠକ କରାଯାଇ ନିନ୍ଦା ପ୍ରସ୍ତାବ ଆଗତ କରାଯିବା ସହ ରାସ୍ତାରୋକ ଆନ୍ଦୋଳନର ନିଷ୍ପତ୍ତି ନିଆ ଯାଇଥିଲା l ସୂଚନାଯୋଗ୍ୟ ଯେ ବିଗତ ୫ ବର୍ଷ ହେଲା ଏହି ଅଞ୍ଚଳରେ ହାତୀ ଦଳଙ୍କ ଅବାଧ ଚଳପ୍ରଚଳ ଓ ସେମାନଙ୍କ ଯୋଗୁଁ ବ୍ୟାପକ ଫସଲହାନୀ, ଜୀବନହାନୀ, ଜୀବିକା ହାନୀ ହେଉଥିବା ଯୋଗୁଁ ଗ୍ରାମବାସୀ ମାନେ ଅତିଷ୍ଠ ଓ ଆତଙ୍କିତ ଅବସ୍ଥାରେ ରହୁଛନ୍ତି l ନିକଟ ଅତୀତରେ କିଛି ଲୋକଙ୍କର ଜୀବନହାନୀ ହେବା ସହ କିଛି ଲୋକ ଆଜୀବନ ପଙ୍ଗୁ ହୋଇ ଯାଇଛନ୍ତି l ବେଳ ବୁଡ଼ିଲେ ହାତୀଙ୍କ ବସତି ଭିତରକୁ ପ୍ରବେଶ, ବିଜୁଳୀକାଟ ଓ ବନ ବିଭାଗର ଘନଘନ ସାଇରନ ଏକ ଭୟାକୁଳ ପରିସ୍ଥିତି ସୃଷ୍ଟି କରୁଛି l ବିଲରେ ଧାନ ନଥିବାରୁ ହାତୀଦଳ ଭାଗ ଭାଗ ହୋଇ ଜନବସତିକୁ ଆସି ପନିପରିବା, ରବି ଫସଲ ଖାଇ ନଷ୍ଟ କରିବା ସହ ଘର ଭାଙ୍ଗି ଗଛିତ ଧାନ ଖାଉଛନ୍ତି l ଏହାର ପ୍ରତିବାଦରେ ଗତ ମାସରେ ଏକ ବୈଠକ କରାଯାଇ ବିଭାଗୀୟ ଅଧିକାରୀ ମାନଙ୍କୁ ଅଭିଯୋଗ ପତ୍ର ଦିଆ ଯାଇଥିଲା ଓ ସପ୍ତାହକ ମଧ୍ୟରେ ଏହାର ସମାଧାନ କରାଯିବ ବୋଲି ପ୍ରତିଶୃତି ମିଳିଥିଲା l ତେବେ ଇତି ମଧ୍ୟରେ ୧୫ ଦିନ ବିତି ଯାଇଥିଲେ ସୁଦ୍ଧା କୌଣସି ଫଳ ମିଳିନାହିଁ l ଆସନ୍ତା ଗୁରୁବାର ତିନି ଗ୍ରାମର ପ୍ରତିନିଧି ମାନେ ଶେଷଥର ପାଇଁ ଅଧିକାରୀ ମାନଙ୍କୁ ଦେଖାକରିବେ, ଯଦି କୌଣସି ସନ୍ତୋଷଜନକ ଉତ୍ତର ନମିଳେ ତେବେ ରାଜରାସ୍ତା ଅବରୋଧ କରାଯିବ ବୋଲି ନିଷ୍ପତ୍ତି ନିଆ ଯାଇଥିଲା l ବୈଠକରେ ତୁଳସୀପାଳ ଗ୍ରାମ ସଭାପତି ଉମେଶ ଚନ୍ଦ୍ର ଗଡ଼ନାୟକ, ଲଙ୍ଗୁଳିଆବେଡା ଗ୍ରାମ ସଭାପତି ବ୍ରଜେନ୍ଦ୍ର ନାରାୟଣ ବିଶ୍ୱାଳ, ଗାଢ଼ରଖାଇ ଗ୍ରାମ ସଭାପତି ଅର୍ଜୁନ କୁମାର ବେହେରା, ମନବାଧିକାରୀ କର୍ମୀ ଉଦୟନାଥ ଦାଶ, ଅକ୍ଷୟ କୁମାର ବିଶୋଇ,ବାଉରୀବନ୍ଧୁ ସାହୁ,ସନ୍ତୋଷ ଦାଶ, ବିକାଶ ସାହୁ, ନିମେଇଁ ସାହୁ ଓ ଅଜୟ ସାହୁଙ୍କ ସମେତ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ l



