ରବିବାରରେ ମଧ୍ଯ ଅବ୍ୟାହତ ଜାତୀୟ ସେବା ଯୋଜନା ଶିବିର

ଢେଙ୍କାନାଳ ମହିଳା ମହାବିଦ୍ୟାଳୟରେ ସଂପାଦିତ ହେଲା ଜାତୀୟ ସେବା ଯୋଜନାର ତୃତୀୟ ଦିବସ।ରବିବାର ୮ଘଟିକା ମଧ୍ଯରେ, ପ୍ରଭାତ ପ୍ରାର୍ଥନା ସମେତ ଶାରୀରିକ ଶିକ୍ଷା ଗ୍ରହଣ କଲେ ସ୍ବେଚ୍ଛାସେବୀ ଛାତ୍ରୀ। ମହାବିଦ୍ୟାଳୟ ଅନ୍ତର୍ଭୁକ୍ତ ଛାତ୍ରୀନିବାସର ପରିସରକୁ ସଫା କଲେ ସ୍ବେଚ୍ଛାସେବୀକା। ତତ୍ପରେ ନିକଟସ୍ଥ ସିଭିଲ କୋର୍ଟ ପର୍ଯ୍ୟନ୍ତ ସଡକ ସୁରକ୍ଷା ରାଲି ଅନୁଷ୍ଠିତ ହୋଇଥିଲା। ଦିବା ୧୧ଘଟିକାରେ ସଂସ୍କୃତ ବିଭାଗର ମୁଖ୍ଯ ଶ୍ରୀ ଉଦ୍ଧବ ମଲ୍ଲିକ “ଧର୍ମ ଓ ଭକ୍ତି” ର ସାରାଂଶ ସଂପର୍କରେ ଆଲୋକପାତ କରିଥିଲେ।ଆଲୋଚିତ ଆଧ୍ୟାତ୍ମିକ ପ୍ରସଙ୍ଗ ନୈତିକ ଶିକ୍ଷା ପ୍ରଦାନ କରିବା ସମେତ ଛାତ୍ରୀଙ୍କୁ ଭାବବିହ୍ବଳ କରିଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ମନୋବିଜ୍ଞାନ ବିଭାଗର ପ୍ରାଧ୍ୟାପକ ଡ. ପଙ୍କଜ ବାରିକ ଏଡସ ରୋଗର ନିରାକରଣ ଓ ସଚେତନତା ସଂପର୍କିତ ବିବରଣୀ ଦେଇଥିଲେ। “ରୋଗକୁ ଘୃଣା କର,ରୋଗୀକୁ ନୁହେଁ”,”ଜ୍ଞାନ ବାଣ୍ଟ, ଭାଇରସ ନୁହେଁ ” ଆଦି ପ୍ରେରଣାଦାୟକ ଉକ୍ତି ସ୍ବେଚ୍ଛାସେବୀକା ମାନଙ୍କୁ ସୁଦୃଢ କରିଥିଲା। ଅପରାହ୍ନରେ “ନାରୀ ଶିକ୍ଷା” ପ୍ରସଙ୍ଗରେ ବିତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଦିନାବସାନରେ ନୃତ୍ୟ ସମେତ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।



