ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୈତିକ ହିଂସା ଚରମ ସୀମାରେ ପହଞ୍ଚିଛି। ରବିବାର ସନ୍ଧ୍ୟାରେ କୋଲକାତାର ସାଖେରବଜାର ଏବଂ ବେହାଲା ପଶ୍ଚିମ ଅଞ୍ଚଳରେ ଭାଜପା ଏବଂ ତୃଣମୂଳ କଂଗ୍ରେସ (TMC) କର୍ମୀଙ୍କ ମଧ୍ୟରେ ଭୟଙ୍କର ସଂଘର୍ଷ ଘଟିଛି। ଏହି ସଂଘର୍ଷ ଯୋଗୁଁ ରାଜପଥରେ ଅରାଜକତା ସୃଷ୍ଟି ହେବା ସହ ଅଗ୍ନିକାଣ୍ଡ ଓ ଭଙ୍ଗାରୁଜା ଭଳି ପରିସ୍ଥିତି ଉପୁଜିଥିଲା।
ରିପୋର୍ଟ ଅନୁଯାୟୀ, ସାଖେରବଜାର ଅଞ୍ଚଳରେ ଏକ କ୍ଲବରେ ଉଚ୍ଚ ଶବ୍ଦରେ ମାଇକ୍ ବଜାଇବାକୁ ନେଇ ଏହି ବିବାଦ ଆରମ୍ଭ ହୋଇଥିଲା। ଭାଜପା ଅଭିଯୋଗ କରିଛି ଯେ, ସେମାନଙ୍କ ସଭାକୁ ବାଧା ଦେବା ପାଇଁ ଟିଏମସି କର୍ମୀମାନେ ଉଚ୍ଚ ସ୍ୱରରେ ଗୀତ ବଜାଇଥିଲେ।
ଭାଜପାର ‘ପରିବର୍ତ୍ତନ ସଙ୍କଳ୍ପ ଯାତ୍ରା’ ଅଧୀନରେ ପୂର୍ବତନ ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଳବ କୁମାର ଦେବ ସେଠାରେ ଏକ ରାଲିକୁ ସମ୍ବୋଧିତ କରିଥିଲେ। ସେ ସେଠାରୁ ଯିବା ପରେ ଟିଏମସି କର୍ମୀମାନେ ସଭାସ୍ଥଳରେ ପଶି ଭଙ୍ଗାରୁଜା କରିବା ସହ ମଞ୍ଚରେ ନିଆଁ ଲଗାଇ ଦେଇଥିବା ଭାଜପା ଅଭିଯୋଗ କରିଛି।
ଟିଏମସି ନେତା କହିଛନ୍ତି, ଏକ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଚାଲିଥିବା ବେଳେ ଭାଜପା କର୍ମୀମାନେ ସ୍ଥାନୀୟ କ୍ଲବ ସଦସ୍ୟଙ୍କୁ ଆକ୍ରମଣ କରିଥିଲେ। ଭାଜପା ଯେତେ ଏଭଳି କୌଶଳ ଆପଣାଇବ, ତୃଣମୂଳ କଂଗ୍ରେସ ସେତେ କଠୋର ଆଭିମୁଖ୍ୟ ଗ୍ରହଣ କରିବ ବୋଲି ସେ ଚେତାବନୀ ଦେଇଛନ୍ତି।
ତେବେ ସାଖେରବଜାରର ଜନଗହଳିପୂର୍ଣ୍ଣ ବଜାର ମଧ୍ୟରେ ଭାଜପା ମଞ୍ଚରେ ନିଆଁ ଲାଗିବା ପରେ ଏକ ଦମକଳ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା।ତେବେ ସ୍ଥାନୀୟ ବିଜେପି ନେତାମାନେ ଟିଏମ୍ସି କର୍ମୀଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ବିଜେପି କହିଛି ଯେ କିଛି ଅସାମାଜିକ ତତ୍ତ୍ୱ ସାଖେରବଜାରରେ ଥିବା ଅସ୍ଥାୟୀ ମଞ୍ଚରେ ନିଆଁ ଲଗାଇ ଦେଇଛନ୍ତି । ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିର ପରିବର୍ତ୍ତନ ସଂକଳ୍ପ ଯାତ୍ରା ପାଇଁ ଏହି ମଞ୍ଚ ନିର୍ମାଣ କରାଯାଇଥିଲା। ବିଜେପି ନେତାମାନେ ଅଭିଯୋଗ କରିଛନ୍ତି ଯେ, ଟିଏମ୍ସି ଗୁଣ୍ଡାମାନେ ଲଗାତାର ଆମ ଦଳୀୟ କାର୍ଯ୍ୟକ୍ରମଗୁଡ଼ିକୁ ଟାର୍ଗେଟ କରୁଛନ୍ତି।



