ପ୍ରେସ୍ ବିବୃତି- ଟାଟା ଷ୍ଟିଲ୍ ମେରାମଣ୍ଡଳୀ – ଶ୍ରମିକଙ୍କ ପରିବାରଙ୍କ ଅଭିଯୋଗ କୁ ନେଇ ପ୍ରେସ ବିବୃତି
ଅନୁଗୁଳ/ଢେଙ୍କାନାଳ: ଟାଟା ଷ୍ଟିଲ୍ ଟେକ୍ନିକାଲ୍ ସର୍ଭିସେସ୍ ଲିମିଟେଡ୍ (ଟିଏସ୍ଟିଏସ୍ଏଲ୍) ର କର୍ମଚାରୀ ଶ୍ରୀ ଲକ୍ଷ୍ମଣ ନାଏକଙ୍କ ପରିବାର ପକ୍ଷରୁ କରାଯାଇଥିବା ଅଭିଯୋଗ ସମ୍ପର୍କରେ ଟାଟା ଷ୍ଟିଲ୍ ମେରାମଣ୍ଡଳୀ ଅବଗତ ଅଛି। ଶ୍ରୀ ନାଏକ କାର୍ଯ୍ୟକ୍ଷେତ୍ରରେ ଆହତ ହେବା ନେଇ ପରିବାର ପକ୍ଷରୁ କରାଯାଇଥିବା ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ଏବଂ କମ୍ପାନୀର କୌଣସି ରେକର୍ଡରେ ଏଭଳି ଦୁର୍ଘଟଣାର ସୂଚନା ନାହିଁ। ମେକାନିକାଲ୍ ମେଣ୍ଟେନାନ୍ସ, ବିଓଏଫ୍ ବିଭାଗରେ କାର୍ଯ୍ୟରତ ଶ୍ରୀ ନାଏକ, ତାଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ଫେବୃଆରୀ, ୨୦୨୫ ରୁ ଅନୁପସ୍ଥିତ ଅଛନ୍ତି।
ସେ ଅସୁସ୍ଥ ହେବା ପରଠାରୁ ହିଁ ତାଙ୍କ ପରିବାର ସହ କମ୍ପାନୀ ନିରନ୍ତର ଯୋଗାଯୋଗରେ ରହିଛି ଏବଂ ନିର୍ଦ୍ଧାରିତ ନିୟମ ଅନୁଯାୟୀ ସମସ୍ତ ସହାୟତା ଯୋଗାଇ ଦିଆଯାଉଛି। ସେ ସ୍ନାୟୁଜନିତ ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିବା ସୂଚନା ପାଇବା ପରେ, ତାଙ୍କର ଚିକିତ୍ସା ଯେପରି ବାଧାପ୍ରାପ୍ତ ନହେବ ସେଥିପାଇଁ କମ୍ପାନୀ ପଲିସି ଅନୁସାରେ ତାଙ୍କୁ ମେଡିକାଲ ଇନସୁରାନ୍ସ ସୁବିଧା ଯୋଗାଇ ଦିଆଯାଉଛି।
ତାଙ୍କ ପତ୍ନୀଙ୍କ ପକ୍ଷରୁ ୨୯ ଅଗଷ୍ଟ ୨୦୨୫ ରେ କରାଯାଇଥିବା ଆବେଦନ ଏବଂ ଡାକ୍ତରୀ କାଗଜପତ୍ରର ଯାଞ୍ଚ ପରେ, କମ୍ପାନୀ ପକ୍ଷରୁ ‘ମେଡିକାଲ ସେପାରେସନ’ ପ୍ରକ୍ରିୟା ତୁରନ୍ତ ଆରମ୍ଭ କରାଯାଇଛି। ପରିବାରର ଏହି ଦୁଃଖଦ ସମୟରେ ଆମେ ସେମାନଙ୍କ ପ୍ରତି ସମବେଦନା ପ୍ରକାଶ କରୁଛୁ। ତେବେ ପରିବାର ପକ୍ଷରୁ କରାଯାଇଥିବା କିଛି ଦାବି କମ୍ପାନୀର ନୀତି ଏବଂ ଆଇନଗତ ବ୍ୟବସ୍ଥା ବାହାରେ ରହିଛି।
ଟାଟା ଷ୍ଟିଲ୍ ଏବଂ ଟିଏସ୍ଟିଏସ୍ଏଲ୍ ସର୍ବଦା ସ୍ୱଚ୍ଛତା ଓ ମାନବିକତାର ସହ ନିଜର କର୍ମଚାରୀ ଓ ସେମାନଙ୍କ ପରିବାରକୁ ସହଯୋଗ କରିବା ପାଇଁ ପ୍ରତିବଦ୍ଧ। ଆମେ ଶ୍ରୀ ନାଏକଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ସମ୍ପୃକ୍ତ କର୍ତ୍ତୃପକ୍ଷ ଏବଂ ପରିବାର ସହ ଆଲୋଚନା ଜାରି ରଖିଛୁ।



