ଜିଲ୍ଲାସ୍ତରୀୟ ଦକ୍ଷତା ବିକାଶ କର୍ମଶାଳା ଆୟୋଜିତ
*ପ୍ରଶାସନିକ ସେବାରେ ବ୍ୟବହାର ହେବ ‘ଏଆଇ’

ଅନୁଗୋଳ, ୨୪.୦୩ : ପ୍ରଶାସନିକ କ୍ଷେତ୍ରରେ ଏଆଇର ସରଳ ବ୍ୟବହାର କରି ଜିଲ୍ଲାର ଜନସାଧାରଣଙ୍କୁ କିପରି ଉନ୍ନତମାନର ସେବା ଯୋଗାଇ ଦିଆଯିବ ସେ ସମ୍ପର୍କରେ ଆଜି ସ୍ଥାନୀୟ ବ୍ଲାକଡାଇମଣ୍ଡ ସଭାଗୃହ ପରିସରରେ ଜିଲ୍ଲାପାଳ ଅବ୍ଦାଲ୍ ମୁହମ୍ମଦ୍ ଅଖ୍ତରଙ୍କ ଅଧ୍ୟକ୍ଷତାରେ ଏକ ଦିନିକିଆ ଦକ୍ଷତା ବିକାଶ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲାପାଳ କହିଥିଲେ ଯେ ଆଜିର ଆଧୁନିକ ଯୁଗରେ ଏଆଇର ପ୍ରୟୋଗ ବଢ଼ି ବଢ଼ି ଚାଲିଛି। ପ୍ରଶାସନିକ କ୍ଷେତ୍ରରେ ଏଆଇର ବହୁ ଆବଶ୍ୟକତା ରହିଛି। ପ୍ରତ୍ୟେକ ବିଭାଗ ଏଆଇକୁ ନିଜ କାର୍ଯ୍ୟଧାରାରେ ପ୍ରୟୋଗ କରି କାର୍ଯ୍ୟ ସମ୍ପାଦନ କରିବା ସହ କାର୍ଯ୍ୟକ୍ଷମତା ମଧ୍ୟ ବୃଦ୍ଧି କରିପାରିବେ ମାତ୍ର ଏହାକୁ ପ୍ରୟୋଗ କରିବା ବେଳେ ସତର୍କତା ଅବଲମ୍ବନ କରିବା ଜରୁରୀ I ଓକାକ୍ ସୌଜନ୍ୟରୁ ଏବଂ ଓକେସିଏଲ ପକ୍ଷରୁ ଆୟୋଜିତ ଏହି କର୍ମଶାଳାରେ ଶ୍ରୀ ସମ୍ବିତ ସୁଭାଶିଷ ସାହୁ ଏବଂ ଶ୍ରୀ ସତ୍ୟଜିତ ସାମନ୍ତସିଂହାର ତାଲିମଦାତା ଭାବେ ଯୋଗଦେଇ ପ୍ରଶାସନିକ କ୍ଷେତ୍ରରେ ଏଆଇର ସରଳ ବ୍ୟବହାର ପାଇଁ ବିଭିନ୍ନ ଉପକରଣ (ଟୁଲ) ଗୁଡିକ ସମ୍ପର୍କରେ ବିଶଦ ଭାବରେ ଉପସ୍ଥାପନ କରିଥିଲେ । ପ୍ରଶାସନକୁ ଅଧିକ କାର୍ଯ୍ୟକ୍ଷମ, ପାରଦର୍ଶୀ ଓ ଲୋକାଭିମୁଖୀ କରିବାରେ ଏଆଇ ମୁଖ୍ୟ ମାଧ୍ୟମ ହେବ ଏବଂ ଜିଲ୍ଲାର ପ୍ରଶାସନିକ ଅଧିକାରୀମାନେ ଅତ୍ୟାଧୁନିକ ଏଆଇର ବ୍ୟବହାର କରିବେ ସେଥିପାଇଁ ଏହି କର୍ମଶାଳାର ଆୟୋଜନ କରାଯାଇଥିଲା। ଏହି କର୍ମଶାଳାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଉଦୟ କୁମାର ମହାପାତ୍ର , ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ପ୍ରୀତିମୟ , ଡେପୁଟି କଲେକ୍ଟର ଜୟଜିତ ଧଳଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଜିଲ୍ଲା ଇ – ଗଭର୍ନାନ୍ସ ମ୍ୟାନେଜର୍ ଶ୍ରୀ ଦେବଦତ୍ତ ସାହୁ ଜିଲ୍ଲା କାର୍ଯ୍ୟାଳୟ ତରଫରୁ ଏହି କର୍ମଶାଳାରେ ବୈଷୟିକ ସହାୟତା କରିଥିଲେ। ଓକେସିଏଲର ଜିଲ୍ଲା ସଂଯୋଜକ ଶ୍ରୀ ଦିବ୍ୟଜ୍ୟୋତି ଦାଶ, ଶ୍ରୀ ଗିରିଶ ଚନ୍ଦ୍ର ମିଶ୍ର, ଶ୍ରୀ ସୌମ୍ୟରଞ୍ଜନ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ I



