ବୃଦ୍ଧିପାଉଛି ଦେଶୀମଦ ଚୋରା କାରବାର, ତାତିଲେଣି ମହିଳା ଗ୍ରାମବାସୀ।
କେନ୍ଦୁଝର ଜିଲ୍ଲାରେ ଗ୍ରାମ ମାନଙ୍କରେ ଦେଶୀମଦ ଚୋରା କାରବାରକୁ ବନ୍ଦ କରିବାକୁ ବିଭିନ୍ନ ସ୍ଥାନରେ ବିଭିନ୍ନ ସମୟରେ ମହିଳା ମାନେ ଅଣ୍ଟା ଭିଡ଼ି ଆଗକୁ ଆସି ଏହାକୁ ବିରୋଧ କରୁଥିବା ଦେଖିବାକୁ ମିଳେ। କେନ୍ଦୁଝର ଜିଲ୍ଲାରେ ସେହିଭଳି ଚୋରାମଦ କାରବାରକୁ ନେଇ ତାତିଲେ ଗ୍ରାମର ମହିଳା। ଚୋରାମଦ ଯୋଗାଉଥିବା କର୍ମଚାରୀକୁ ଅଟକ ରଖିବା ସହ ପୋଲିସକୁ ମଧ୍ୟ ଖବର ଦେଇଥିଲେ । ସୂଚନା ଅନୁଯାୟୀ କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତ ଚମ୍ପୁଆବ୍ଲକ ଅନ୍ତର୍ଗତ ବଡନଇ ଗ୍ରାମରେ ଚୋରାମଦ କାରବାରକୁ ନେଇ ଗ୍ରାମବାସୀ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଗ୍ରାମରେ ବ୍ୟାପକ ମାତ୍ରାରେ ଚୋରାମଦ କାରବାରକୁ ନେଇ ଆଜି ଗ୍ରାମର ମହିଳାମାନେ ଗ୍ରାମକୁ ଦେଶୀମଦ ଯୋଗାଉଥିବା ଜଣେ ବ୍ୟକ୍ତିକୁ ଅଟକ ରଖିଥିଲେ । ଚମ୍ପୁଆ ଥାନା ଅନ୍ତର୍ଗତ ଚମ୍ପୁଆ ବ୍ଲକର କରଞ୍ଜିଆ ଠାରେ ଥିବା ଏକ ସରକାରୀ ଦେଶୀ ମଦ ଭାଟିର ଜଣେ କର୍ମଚାରୀ ଦେଶୀମଦ ନେଇ ବଡନଇ ଗ୍ରାମରେ ଚୋରାମଦ କାରବାର କରୁଥିବା ଲୋକଙ୍କୁ ମଦ ପହଞ୍ଚାଇବାକୁ ଯାଇଥିବା ବେଳେ ଗ୍ରାମର ମହିଳା ମାନେ ଏକତ୍ରିତ ହୋଇ ତାକୁ ଅଟକ ରଖିଥିଲେ । ଯାହାକୁ ନେଇ କିଛି ସମୟ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏନେଇ ମହିଳା ମାନେ ପୋଲିସକୁ ଖବର କରିଥିଲେ। ଖବର ପାଇ ଚମ୍ପୁଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଥିବା ବେଳେ ପୋଲିସ ପହଞ୍ଚିବା ପୂର୍ବରୁ ସୁଯୋଗ ଦେଖି ସମ୍ପୃକ୍ତ କର୍ମଚାରୀ ଜଣକ ଘଟଣାସ୍ଥଳରୁ ଚମ୍ପଟ୍ ହୋଇଯାଇଥିବା ନେଇ ସୂଚନା। ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଗ୍ରାମ ଛକରେ ମଦ କାରବାର କରୁଥିବା ଜଣେ ବ୍ୟକ୍ତିଙ୍କୁ ଗିରଫ କରିବା ସହ ତା ନିକଟରୁ କିଛି ଚୋରାମଦ ମଧ୍ୟ ଜବତ କରିଥିବା ନେଇ ସୂଚନା।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ



