ଜିଲ୍ଲା ସଙ୍କଟ ପରିଚାଳନା ଗୋଷ୍ଠୀର ବୈଠକ ଅନୁଷ୍ଠିତ ।
ଅନୁଗୋଳ ତା.୦୮.୦୪ : – ଜିଲ୍ଲାପାଳ ଶ୍ରୀ ଅବଦାଲ୍ ମୁହମ୍ମଦ୍ ଅଖତରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଆଜି ଅପରାହ୍ନରେ ଜିଲ୍ଲା ସଙ୍କଟ ପରିଚାଳନା ଗୋଷ୍ଠୀ ( DCMG)ର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାରେ ଘରୋଇ ଓ ବ୍ୟବସାୟିକ ଏଲ୍ ପି ଜି ସିଲିଣ୍ଡରର ଉପଲବ୍ଧତା ଓ ସ୍ବାଭାବିକ ଯୋଗାଣ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଛି । ସାଧାରଣ ଜନତାଙ୍କ ପାଇଁ ଘରୋଇ ଗ୍ୟାସ ସିଲିଣ୍ଡର ଏବଂ ବିଭିନ୍ନ ଗୁରୁତ୍ବପୂର୍ଣ୍ଣକ୍ଷେତ୍ର ଯଥା- ଡାକ୍ତରଖାନା, ସ୍ବାସ୍ଥ୍ୟ କେନ୍ଦ୍ର, ଅଙ୍ଗନଓ୍ବାଡି କେନ୍ଦ୍ର, ଶିକ୍ଷାନୁଷ୍ଠାନ, ଆହାର କେନ୍ଦ୍ର, ଏବଂ ସରକାରୀ ହଷ୍ଟେଲଗୁଡିକୁ ବ୍ୟବସାୟିକ ସିଲିଣ୍ଡର ଯୋଗାଣ ଉପରେ ଗୁରୁତ୍ବ ଦିଆଯାଇଛି । ଘରୋଇ ସିଲିଣ୍ଡରର ବେଆଇନ୍ ମହଜୁଦ୍ ଏବଂ କଳାବଜାରୀ ରୋକିବା ପାଇଁ ନିୟମିତ ଭାବେ ଏନଫୋର୍ସମେଣ୍ଟ ଓ ଚଢାଉ ଜାରି ରଖିବାକୁ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ସାଧାରଣ ଖାଉଟିମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେଥିପ୍ରତି ସତର୍କ ରହିବାକୁ ପ୍ରଶାସନ ପକ୍ଷରୁ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦିଆଯାଇଛି । ବେଆଇନ୍ ଭାବେ ଗ୍ୟାସ ସିଲିଣ୍ଡର ମହଜୁଦ ରଖୁଥିବା ବ୍ୟକ୍ତି କିମ୍ବା ସଂସ୍ଥା ବିରୁଦ୍ଧରେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ପ୍ରୀତିମୟ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ସମୀର କୁମାର ପଣ୍ଡା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ନିରୁପମା ପାଣି, ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ଦିଲ୍ଲୀପ କୁମାର ମିଶ୍ର, ଜିଲ୍ଲା ଆପାତ କାଳିନ ଅଧିକାରୀ ଶ୍ରୀ ଶୁଭେନ୍ଦୁ କୁମାର ଜେନା, ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀ ଶ୍ରୀନିବାସ ସାହୁଙ୍କ ସମେତ ବିଭିନ୍ନ ବିଭାଗୀୟ ଜିଲ୍ଲା ସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।



