
ଓଡିଆ ପକ୍ଷ ପାଳନ ଅବସରରେ ରକ୍ତଦାନ ଶିବିର ଆୟୋଜିତ
ଅନୁଗୋଳ ତା.୦୮.୦୪ : – ଓଡିଆ ପକ୍ଷ ପାଳନ ଅବସରରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ବାସ୍ଥ୍ୟ ସମିତି ତରଫରୁ ଜିଲ୍ଲାର ୨ ଟି ପୃଥକ ସ୍ଥାନରେ ସ୍ବେଛାକୃତ ରକ୍ତଦାନ ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରୁ ସର୍ବମୋଟ ୪୯ ୟୁନିଟ୍ ରକ୍ତ ସଂଗୃହିତ ହୋଇଛି । ଅନୁଗୋଳ ମହିଳା ମହାବିଦ୍ୟାଳୟ ଠାରେ ଆୟୋଜିତ ରକ୍ତଦାନ ଶିବିରରେ ୨୬ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । ଏହି ଶିବିରଟି ଡା. ସତ୍ୟବ୍ରତ ପଟ୍ଟଯୋଶୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ପରିଚାଳିତ ହୋଇଥିଲା । ସେହିଭଳି ଖମାରର ଉତ୍କଳମଣୀ ଗୋପବନ୍ଧୁ ମହାବିଦ୍ୟାଳୟ ଠାରେ ଆୟୋଜିତ ଶିବିରରେ ୨୩ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିବାବେଳେ ଡା. କୌଶିକ ପାତ୍ର ଶିବିର ପରିଚାଳନା କରିଥିଲେ । ଓଡିଆ ଭାଷା ସଂସ୍କୃତିର ପ୍ରଚାର ପ୍ରସାର ସହିତ ସମାଜସେବା ତଥା ଜୀବନ ରକ୍ଷାକାରୀ ରକ୍ତଦାନ ଭଳି ମହତ୍ କାର୍ଯ୍ୟକୁ ଯୋଡିବା ପାଇଁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଉଭୟ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ, ଅଧ୍ୟାପକ ଅଧ୍ୟାପିକା ଏବଂ କର୍ମଚାରୀମାନେ ଏହି ଶିବିରରେ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ରକ୍ତଦାତାମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ରକ୍ତ ଦାନର ଆବଶ୍ୟକତା ଉପରେ ସଚେତନ କରାଯାଇଥିଲା ।




