ଭୁବନେଶ୍ୱର : ଆତଙ୍କୀ ଲିଙ୍କ୍ରେ ଓଡ଼ିଆ ଯୁବକ ଗିରଫ । ଓଡ଼ିଆ ଯୁବକ ଶେଖ୍ ଇମ୍ରାନକୁ ଗିରଫ ଦର୍ଶାଇଲା ଦିଲ୍ଲୀ ପୋଲିସ । ଆତଙ୍କବାଦୀଙ୍କ ସହ ଲିଙ୍କ୍ ଥିବା ଅଭିଯୋଗରେ ଶେଖ୍ ଇମ୍ରାନକୁ ଦିଲ୍ଲୀରେ ଗିରଫ କରାଯାଇଛି । ତେବେ ଦିଲ୍ଲୀ ପୋଲିସ ଦର୍ଶାଇଥିବା ୪ ମୌଳବାଦୀଙ୍କ ମଧ୍ୟରୁ ଶେଖ୍ ଇମ୍ରାନ ଜଣେ ବୋଲି ଜଣାପଡିଛି । ମହାରାଷ୍ଟ୍ରରୁ ୨ ଓ ବିହାରରୁ ଆଉ ଜଣକୁ ମଧ୍ୟ ଗିରଫ କରିଛି ଦିଲ୍ଲୀ ପୋଲିସ ।ଗିରଫ ଯୁବକ ମାନେ ସୋସିଆଲ୍ ମିଡିଆ ଗ୍ରୁପ୍ ଜରିଆରେ ଅନ୍ୟ ଯୁବକଙ୍କୁ ସକ୍ରିୟ କରାଉଥିଲେ ।
ଏମିତିକି ଆତଙ୍କୀ ଆକ୍ରମଣ ପାଇଁ IED ପ୍ରସ୍ତୁତ କରୁଥିଲେ ଏମାନେ । ଜିହାଦୀ କାର୍ଯ୍ୟ ପାଇଁ QR କୋଡ୍/ବ୍ୟାଙ୍କ ଜରିଆରେ ଅର୍ଥ ସଂଗ୍ରହ ମଧ୍ୟ କରୁଥିଲେ । ଜିହାଦୀ କାର୍ଯ୍ୟ ପାଇଁ ଯୁବକ ମାନଙ୍କୁ ତାଲିମ ଦେବାକୁ ମଧ୍ୟ ପ୍ରତିଶ୍ରୁତି ଦେଉଥିଲେ । ଗିରଫ ଯୁବକ ମାନେ ଖଲିଫା ପ୍ରତିଷ୍ଠାର ଚିନ୍ତାଧାରା ଦ୍ୱାରା ଅନୁପ୍ରାଣିତ ହୋଇଥିଲେ । ପ୍ରାଥମିକ ତଦନ୍ତରୁ ଜଣାପଡିଛି, ଏମାନେ ‘ଗଜୱା-ଏ-ହିନ୍ଦ’ରେ ଭାଗ ନେବା ପାଇଁ ପ୍ରସ୍ତୁତି ଚଳାଇଥିଲେ ।ଉଲ୍ଲେଖଯୋଗ୍ୟ ଯେ, ଗତ ୧୦ ତାରିଖରେ ଓଡ଼ିଆ ଯୁବକ ଶେଖ୍ ଇମ୍ରାନକୁ ଭୁବନେଶ୍ବର ୟୁନିଟ 6 ଅଂଚଳରୁ ଉଠାଇ ନେଇଥିଲା ଦିଲ୍ଲୀ ପୋଲିସ ।



