ମେଡିକାଲ୍ କଲେଜ୍ ପ୍ରସଙ୍ଗରୋଗୀ ସେବା ଦାବୀ ନେଇ ଆସନ୍ତା ମେ ୮ ରେ ୧୨ ଘଂଟିଆ ଶାନ୍ତିପୂର୍ଣ୍ଣ ତାଳଚେର ବନ୍ଦ ଡାକରା
ତାଳଚେର, ୨୮/୦୪ ତାଳଚେର ସ୍ଥିତ ପବିତ୍ର ମୋହନ ମେଡିକାଲ୍ ରେ ମେଡିକାଲ୍ କଲେଜ୍ ର ରୋଗୀ ସେବା ଦାବୀ ନେଇ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆସନ୍ତା ମେ ୮ ରିଖରେ ୧୨ ଘଂଟିଆ ଶାନ୍ତିପୂର୍ଣ୍ଣ ତାଳଚେର ବନ୍ଦ ଡାକରା ଦିଆଯାଇଛି । ଏନେଇ କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତାଳଚେର ଉପଜିଲ୍ଲାପାଳଙ୍କ ଜରିଆ ଦାବୀ ପତ୍ର ପ୍ରଦାନ କରାଯାଇଛି । ଦାବୀପ୍ରତରେ ଉଲ୍ଲେଖ କରାଯାଇଅଛି ଯେ, ତାଳଚେର ଠାରେ ପବିତ୍ର ମୋହନ ମେଡିକାଲ୍ କଲେଜ୍ ତିଆରି ହୋଇଛି । କିନ୍ତୁ କଲେଜ୍ ର ରୋଗୀ ସେବା ତାଳଚେର ପବିତ୍ର ମୋହନ ମେଡିକାଲ୍ ପରିବର୍ତେ ଅନୁଗୋଳ ଜିଲ୍ଲା ମେଡିକାଲ୍ ରେ ଆରମ୍ଭ କରାଗଲା । ତାଳଚେରରୁ ସରକାର ଅଧିକ ରାଜସ୍ୱ ଆଦାୟ ପାଇଁ ଅଧିକ କୋଇଲା ଓ ବିଜୁଳି ଉତ୍ପାଦନ କରି ତାଳଚେରବାସୀଙ୍କୁ ଦେଶର ସବୁଠାରୁ ଅଧିକ ପ୍ରଦୂଷଣ ମଧ୍ୟକୁ ଠେଲି ଦେଇଛନ୍ତି । ଅତ୍ୟଧିକ ପ୍ରଦୂଷଣରେ ଜର୍ଜରିତ ହୋଇ ତାଳଚେରବାସୀ ବିଭିନ୍ନ ମାରାତ୍ମକ ରୋଗରେ ପିଡିତ ହୋଇ ଆସନ୍ନ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି । ତାଳଚେର ମେଡିକାଲ୍ କଲେଜ୍ ରେ ରୋଗୀ ସେବା ତାଳଚେର ପରିବର୍ତେ ଅନୁଗୋଳରେ କରି ତାଳଚେରବାସୀଙ୍କୁ ସର୍ବନିମ୍ନ ରୋଗୀ ସେବାରୁ ବଂଚିତ କରି ତାଳଚେରବାସୀଙ୍କୁ ମୃତ୍ୟୁ ମୁଖକୁ ସରକାର ଠେଲି ଦେଇଛନ୍ତି । ଏଠାରେ ମେଡିକାଲ୍ କଲେଜ୍ ପ୍ରତିଷ୍ଠାର ସମସ୍ତ ଭିତିଭୂମି ତିଆରି କରାଯାଇ ତାଳଚେର ମାଟିରୁ ସୁଯୋଗ୍ୟ ସନ୍ତାନ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଚେଷ୍ଟାରେ କୋଇଲା ଖଣି କର୍ତୃପକ୍ଷ ରାଜ୍ୟ ସରକାରଙ୍କୁ ସଂପୂର୍ଣ୍ଣ ଅର୍ଥ ଯୋଗାଇ ଦେବା ସତ୍ୱେ ସରକାର ତାଳଚେରବାସୀଙ୍କୁ ରୋଗୀ ସେବାରୁ ବଂଚିତ କରିଛନ୍ତି । ତାଳଚେର ଠାରେ ରୋଗୀ ସେବା ଦାବୀରେ ଗତ ଜାନୁଆରୀ ୮ ତାରିଖ ଠାରୁ ଆଜି ପର୍ଯ୍ୟନ୍ତ ୧୧୦ ଦିନ ହେବ ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଶାନ୍ତିପୂର୍ଣ୍ଣ ଗଣଧାରଣା ଚାଲିବା ସହିତ ଗତ ଜାନୁଆରୀ ୮ ତାରିଖ ଦିନ ଅନୁଗୋଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୨୪ ଘଂଟିଆ ଶାନ୍ତିପୂର୍ଣ୍ଣ ଧାରଣା ଓ ଫେବୃୟାରୀ ୧୮ ତାରିଖ ଦିନ ଓଡିଶା ବିଧାନସଭା ସମ୍ମୁଖରେ ୧୨ ଘଂଟିଆ ଗଣଧାରଣା ଦେଇଥିଲେ ମଧ୍ୟ ସରକାର ତାଳଚେର ଠାରେ ରୋଗୀ ସେବା ଆରମ୍ଭ କରି ନାହାନ୍ତି । କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ କାର୍ଯ୍ୟାଳୟ, ଫେବୃୟାରୀ ୨୭ରିଖରେ ମାନ୍ୟବର କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ତାଳଚେର ସ୍ଥିତ ବାସଭବନରେ ସାକ୍ଷାତ କରି ତାଳଚେର ଠାରେ ରୋଗୀ ସେବା ପାଇଁ ଆଲୋଚନା କରାଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ କରାଗଲା ନାହିଁ । ଏହାକୁ ନେଇ କ୍ରିୟାନୁଷ୍ଠାନ କମିଟି ବାଧ୍ୟ ହୋଇ ତାଳଚେର ବନ୍ଦ ଡାକରା ଦେଇଅଛି । ଏହି ବନ୍ଦରେ ତାଳଚେରର ସମସ୍ତ ଶିକ୍ଷାନୁଷ୍ଠାନ, ବ୍ୟବସାୟ ପ୍ରତିଷ୍ଠାନ, ଗାଡି ମଟର ଚଳାଚଳ ବନ୍ଦ ରହିବା ସହିତ କୋଇଲା ଉତ୍ପାଦନ ଓ ରେଳ ଏବଂ ସଡକ ପଥରେ ପରିବହନ ସଂପୂର୍ଣ୍ଣ ବନ୍ଦ ରହିବ ବୋଲି ଉଲ୍ଲେଖ କରାଯାଇଛି । ଏହାର ନକଲ କେନ୍ଦ୍ର ଶିକ୍ଷାମନ୍ତ୍ରୀ, କେନ୍ଦ୍ର ରେଳମନ୍ତ୍ରୀ, କେନ୍ଦ୍ର କୋଇଲା ମନ୍ତ୍ରୀ, ଢେଙ୍କାନାଳ ସାଂସଦ, ତାଳଚେର ବିଧାୟକ, ପରଜଙ୍ଗ ବିଧାୟକ ତଥା ଅଧ୍ୟକ୍ଷ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ବିଧାନସଭା ଗୃହ କମିଟି, ପାଲଲହଡା ବିଧାୟକ, ଅନୁଗୋଳ ଜିଲ୍ଲାପାଳ, ଜିଲ୍ଲା ଏସ୍.ପି, ତାଳଚେର ଏସ୍.ଡି.ପି.ଓ.ଙ୍କୁ ପ୍ରଦାନ କରାଯାଇଛି । ଆଜିର ଏହି ଦାବୀପତ୍ର ପ୍ରଦାନ ବେଳେ କମିଟିର ସଭାପତି ଅଭୟ ପାଣି, ସାଧାରଣ ସଂପାଦକ ବିଜୟ କୁମାର ପ୍ରଧାନ, କାର୍ଯ୍ୟକାରୀ ସଭାପତି ବିନୋଦ ଲାଲ୍, କେଶବ ଭୂତିଆ, ପ୍ରଫୁଲ ନାଏକ, ସବିତା ସିଂ, କୁନ୍ତଳା ମହାପାତ୍ର, ଗଗନ ଦାସ, ଗଦାଧର ପାତ୍ର, ସୁରଥ ରଥ, ହରିହର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-28.jpg)