ସନ୍ଥପଡ଼ା ଓ ଦାସନାଳୀ ବାଲିଘାଟ ଉପରେ ଚଢ଼ାଉ଼
ତାଳଚେର, ୦୫/୦୫ ତାଳଚେର ବ୍ଲକ ଅନ୍ତର୍ଗତ ସନ୍ଥପଡ଼ା ଓ ଦାସନାଳୀ ବ୍ରାହ୍ମଣୀ ନଦୀପଠାରୁ ବେଆଇଭାବେ ମାଫିଆମାନେ ବାଲି ଚୋରା ଚାଲାଣ କରୁଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବାପରେ ଖଣିବିଭାଗ ତତ୍ପରତା ଦେଖାଦେଇଛି । ଆଜି ଖଣିଉପନିର୍ଦ୍ଦେଶକ କାର୍ଯ୍ୟାଳୟ ପକ୍ଷରୁ ଚଢ଼ାଉ କରାଯାଇ ସନ୍ଥପଡ଼ା ଓ ଦାସନାଳୀ ଘାଟରୁ ଚୋରାବାଲି ଜବତ କରାଯାଇଥିବା ଜଣପଡ଼ିଛି । ତାଳଚେର ତହସିଲ ଅଂଚଳରେ ଥିବା ଉକ୍ତ ଦୁଇଘାଟ ସହ ଅନ୍ୟାନ୍ୟ ଘାଟରୁ ଦୈନିକ ଲକ୍ଷାଧିକ ଟଙ୍କାର ଚୋରାବାଲି ଚାଲାଣ ହୋଇ ଆସୁଛି । ଏଥିନେଇ ରାଜ୍ୟ ସରକାର ବିପୁଳ ମାତ୍ରାରେ ରାଜସ୍ୱ ହରାଉଥିବା କୁହାଯାଉଛି । ଏପରିକି ଦିନ ଦ୍ୱି୍ରପ୍ରହରେ ବାଲିଘାଟ ଗୁଡ଼ିକରୁ ବିନା ଟିପିରେ ଉଚ୍ଚାଦରରେ ବାଲିମାଫିଆମାନେ ବାଲି ବିକ୍ରି କରି ବେଶ କୋଟି କୋଟି ଟଙ୍କା ରୋଜଗର କରୁଥିବା ବେଳେ ଏହି ଅର୍ଥରୁ କିଛି ବାବୁଭାଇମାନଙ୍କୁ ପ୍ରଦାନ କରୁଥିବାରୁ ବାଲି ଚୋରି ଘଟଣା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଥିବା ଅଭିଯୋଗ ହେଉଛି । ତେବେ ଖବର ପ୍ରକାଶ ପାଇବାପରେ ସନ୍ଥପଡ଼ା ଓ ଦାସନାଳୀ ବାଲିଘାଟରେ ଖଣିଉପନିର୍ଦ୍ଦେଶକ ପଂହଚି ବେଆଇନ ଭାବେ ଗଦାକରି ରଖିଥିବା ବାଲିକୁ ଚିହ୍ନଟ କରିବାପରେ ଏହାର ମାପଚୁପ କରିଥିଲେ । ମାପଚୁପ ପରେ ଜଣାପଡ଼ିଥିଲା ଯେ, ଉଭୟ ଘାଟରୁ ପ୍ରାୟ ୧୫ହଜାର ୫ଶହ ୩୦କ୍ୱିବିକ୍ ମିଟର ବାଲି ଚୋରା ଚାଲାଣ ପାଇଁ ଗଚ୍ଛିତ କରି ରଖାଯାଇଥିଲା । ତାଳଚେର ଖଣି ଉପନିର୍ଦ୍ଦେଶକ ଦେବେନ୍ଦ୍ର ଦଳାଇ ଏକ ଟିମ ଗଠନ କରି ଉକ୍ତ ଟିମ ଘଟଣା ସ୍ଥଳରେ ପଂହଚି ଚଢ଼ାଉ କରିଥିଲେ । ତେବେ ଏହି ଚଢ଼ାଉ କରିବା ସହ ଅନ୍ୟ ବାଲି ଘାଟ ଗୁଡ଼ିକ ଯଥା- ଝାଡ଼ିଅମ୍ବା, ସନ୍ଥପଡ଼ା ଶ୍ମଶାନ, ବହ୍ଲଛକ, ମଣ୍ଡାପାଳ, ପଶ୍ଚିମେଶ୍ୱର, ସନ୍ଥପଡ଼ା, ଶିରିଗିଡ଼ା, କଙ୍କିଳି, ଧରମପୁର, ସରେଇଲ ଇତ୍ୟାଦି ଘାଟରୁ ବାଲି ଆଣି ଷ୍ଟକ କରିଥିବା ସ୍ଥାନ ଗୁଡ଼ିକୁ ସରଜମିନ୍ ତଦନ୍ତ କରାଯାଇ ବାଲିମାଫିଆଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।



