ମେଡିକାଲ୍ କଲେଜ୍ରେ ରୋଗୀସେବା ଦାବୀ ନେଇ ଆସନ୍ତା ମେ ୮ ରେ ୧୨ ଘଂଟିଆ
ତାଳଚେର ବନ୍ଦ ଡାକରାତାଳଚେର:-ତାଳଚେର ସ୍ଥିତ ପବିତ୍ର ମୋହନ ମେଡିକାଲ୍ରେ ରୋଗୀ ସେବା ଦାବୀ ନେଇ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆସନ୍ତା ମେ ୮ ରିଖରେ ୧୨ ଘଂଟିଆ ଶାନ୍ତିପୂର୍ଣ୍ଣ ତାଳଚେର ବନ୍ଦ ଡାକରା ଦିଆଯାଇଛି । ଏନେଇ କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତାଳଚେର ଉପଜିଲ୍ଲାପାଳଙ୍କ ଜରିଆ ଦାବୀ ପତ୍ର ପ୍ରଦାନ କରାଯାଇଛି । ଦାବୀପ୍ରତରେ ଉଲ୍ଲେଖ କରାଯାଇଅଛି ଯେ, ତାଳଚେର ଠାରେ ପବିତ୍ର ମୋହନ ମେଡିକାଲ୍ କଲେଜ୍ ତିଆରି ହୋଇଛି । କିନ୍ତୁ କଲେଜ୍ ର ରୋଗୀ ସେବା ତାଳଚେର ପବିତ୍ର ମୋହନ ମେଡିକାଲ୍ ପରିବର୍ତେ ଅନୁଗୋଳ ଜିଲ୍ଲା ମେଡିକାଲ୍ ରେ ଆରମ୍ଭ କରାଗଲା । ତାଳଚେରରୁ ସରକାର ଅଧିକ ରାଜସ୍ୱ ଆଦାୟ ପାଇଁ ଅଧିକ କୋଇଲା ଓ ବିଜୁଳି ଉତ୍ପାଦନ କରି ତାଳଚେରବାସୀଙ୍କୁ ଦେଶର ସବୁଠାରୁ ଅଧିକ ପ୍ରଦୂଷଣ ମଧ୍ୟକୁ ଠେଲି ଦେଇଛନ୍ତି । ଏହାକୁ ନେଇ କ୍ରିୟାନୁଷ୍ଠାନ କମିଟି ବାଧ୍ୟ ହୋଇ ତାଳଚେର ବନ୍ଦ ଡାକରା ଦେଇଅଛି । ଏହି ବନ୍ଦରେ ତାଳଚେରର ସମସ୍ତ ଶିକ୍ଷାନୁଷ୍ଠାନ, ବ୍ୟବସାୟ ପ୍ରତିଷ୍ଠାନ, ଗାଡି ମଟର ଚଳାଚଳ ବନ୍ଦ ରହିବା ସହିତ କୋଇଲା ଉତ୍ପାଦନ ଓ ରେଳ ଏବଂ ସଡକ ପଥରେ ପରିବହନ ସଂପୂର୍ଣ୍ଣ ବନ୍ଦ ରହିବ ବୋଲି ଉଲ୍ଲେଖ କରାଯାଇଛି । ଏହାର ନକଲ କେନ୍ଦ୍ର ଶିକ୍ଷାମନ୍ତ୍ରୀ, କେନ୍ଦ୍ର ରେଳମନ୍ତ୍ରୀ, କେନ୍ଦ୍ର କୋଇଲା ମନ୍ତ୍ରୀ, ଢେଙ୍କାନାଳ ସାଂସଦ, ତାଳଚେର ବିଧାୟକ, ପରଜଙ୍ଗ ବିଧାୟକ ତଥା ଅଧ୍ୟକ୍ଷ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ବିଧାନସଭା ଗୃହ କମିଟି, ପାଲଲହଡା ବିଧାୟକ, ଅନୁଗୋଳ ଜିଲ୍ଲାପାଳ, ଜିଲ୍ଲା ଏସ୍.ପି, ତାଳଚେର ଏସ୍.ଡି.ପି.ଓ.ଙ୍କୁ ପ୍ରଦାନ କରାଯାଇଛି । ଆଜିର ଏହି ଦାବୀପତ୍ର ପ୍ରଦାନ ବେଳେ କମିଟିର ସଭାପତି ଅଭୟ ପାଣି, ସାଧାରଣ ସଂପାଦକ ବିଜୟ କୁମାର ପ୍ରଧାନ, କାର୍ଯ୍ୟକାରୀ ସଭାପତି ବିନୋଦ ଲାଲ୍, କେଶବ ଭୂତିଆ, ପ୍ରଫୁଲ ନାଏକ, ସବିତା ସିଂ, କୁନ୍ତଳା ମହାପାତ୍ର, ଗଗନ ଦାସ, ଗଦାଧର ପାତ୍ର, ସୁରଥ ରଥ, ହରିହର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।



