ସୁରକ୍ଷା କର୍ମୀଙ୍କ ଅକାଳ ବିୟୋଗ
ତାଳଚେର, ୦୭/୦୫ ତାଳଚେରସ୍ଥିତ ଏମ୍ସିଏଲ୍ ହିଙ୍ଗୁଳା କୋଇଲାଖଣିରେ ସୁରକ୍ଷା କର୍ମୀ ଭାବରେ କାର୍ଯ୍ୟ କରୁଥିବା ରଞ୍ଜନ ମହାନ୍ତି(୫୯)ଙ୍କର ବୁଧବାର ସକାଳେ ଅକାଳ ମୃତ୍ୟୁ ହୋଇଯାଇଛି । ସ୍ୱର୍ଗତ ମହାନ୍ତି କଣିହାଁ ଥାନା ଅନ୍ତର୍ଗତ ବଜ୍ରକୋଟ ଗ୍ରାମର ବାସିନ୍ଦା । ଆଜି ସକାଳୁ ସେ ହିଙ୍ଗୁଳା କୋଇଲା ଖଣିକୁ କାମ କରିବାକୁ ଯାଉଥିବା ବେଳେ ରାସ୍ତାରେ ଅସୁସ୍ଥ ହୋଇ ପଡ଼ିଥିଲେ । ଚିକିତ୍ସା ପାଇଁ ତାଙ୍କୁ କଣିହାଁ ସରକାରୀ ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସ୍ୱର୍ଗତ ମହାନ୍ତିଙ୍କର ମୃତ୍ୟୁ ହୃଦଘାତରେ ହୋଇଥିବାର ଜଣାପଡ଼ିଛି । ଏହାପରେ ତାଙ୍କ ମୃତଦେହକୁ ବ୍ୟବଚ୍ଛେଦ କରିବା ପାଇଁ ମଣ୍ଡାପାଳ ସରକାରୀ ଚିକିତ୍ସାଳୟକୁ ପଠାଯାଇଥିଲା । କ୍ଷତିପୂରଣ ଓ ନିଯୁକ୍ତି ଦାବି କରି ସ୍ୱର୍ଗତ ମହାନ୍ତିଙ୍କର ପରିବାର ଲୋକ ହିଙ୍ଗୁଳା କୋଇଲା ଖଣିର ଟାଇମ ଅଫିସ ସମ୍ମୁଖରେ ମୃତଦେହ ରଖି ଆନ୍ଦୋଳନ କରିଥିଲେ । ଖବର ପାଇ ହିଙ୍ଗୁଳା ଓସିପିର ବରିଷ୍ଠ ଖଣି ଅଧିକାରୀ, ବରିଷ୍ଠ ବିଜେପି ନେତା ରାଜେନ୍ଦ୍ର ସିଂହ, ପୂର୍ବତନ ସରପଂଚ ପଠାଣି ବାରିହା ପ୍ରମୁଖ ଘଟଣାସ୍ଥଳରେ ପହଞ୍ôଚ ପରିବାରବର୍ଗଙ୍କୁ ବୁଝାସୁଝା କରିଥିଲେ । ଶେଷରେ ସ୍ୱର୍ଗତ ମହାନ୍ତିଙ୍କ ପରିବାରବର୍ଗଙ୍କୁ ଦୁଇ ଲକ୍ଷ ପଚାଶ ହଜାର ଟଙ୍କାର ଅନୁକମ୍ପା ରାଶି ସହ ଜଣକୁ ସୁରକ୍ଷା କର୍ମୀ ଭାବରେ ନିଯୁକ୍ତି ଦେବାକୁ ଖଣି କର୍ତୃପକ୍ଷ ପ୍ରତିଶୃତି ଦେବାରୁ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା ।



