ବଳରାମ କୋଇଲା ଖଣିରେ ସଂଘବଦ୍ଧ ଆକ୍ରମଣ ଘଟଣା : ଗିରଫଦାରୀ କେବେ?୩ଦିନ ପରେ ମଧ୍ୟ ପୋଲିସ୍ ହାତ ଖାଲି଼
ତାଳଚେର, ୧୧/୦୫ ବଳରାମ ଖଣିରେ ସଂଘବଦ୍ଧ ଆକ୍ରମଣ ଘଟଣାକୁ ୩ଦିନ ପୁରି ଯାଇଥିଲେ ମଧ୍ୟ ପୋଲିସ୍ ହାତ ଖାଲି ରହିଥିବା ଘଟଣାକୁ ନେଇ ବିଭିନ୍ନ ମହଲରେ ଆଲୋଚନାର ମୁଖ୍ୟ ବିଷୟ ହୋଇଛି । ଦୁଇଜଣ ଆହାତ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ଭୂବନେଶ୍ୱରର ଏକ ଘରୋଇ ଚିକିତ୍ସାଳୟରେ ମରଣ ସହ ସଂଗ୍ରାମ କରୁଥିବା ବେଳେ ଏପାଖେ ପୋଲିସ୍ ନିରବଦ୍ରଷ୍ଟା କାହିଁକି? ସୂଚନାମୂତାବକ, ତାଳଚେର ବ୍ଲକ ଅନ୍ତର୍ଗତ ବଳରାମ କୋଇଲା ଖଣିରେ ସୋଲଡ଼ା ଗ୍ରାମର ଦୁଇଜଣ ଟ୍ରକ ମାଲିକଙ୍କୁ ଆକ୍ରମଣ ହୋଇଥିବା ଘଟଣା ସେହି ଅଂଚଳରେ ଚହଳ ପକାଇ ଦେଇଛି । ଘଟଣାରୁ ପ୍ରକାଶ ଦିବା ୧୧ଟା ସମୟରେ ସୋଲଡ଼ା ଗ୍ରାମର ଟ୍ରକ ମାଲିକ ସୁଧିରରଞ୍ଜନ (୫୮) ଓ ଆକାଶ ଜେନା (୩୨) ବଳରାମ ଖଣିର ଲୋଡ଼ିଙ୍ଗ ପଂଏଟକୁ ଯାଉଥିଲେ । ସେଠାରେ କିଛି ବ୍ୟକ୍ତି କୋଇଲା ବୋଝେଇ ଟ୍ରକରୁ ବେଆଇନ ଚାନ୍ଦା ଆଦାୟ କରୁଥିଲେ । ଏହି ସମୟରେ ଚାନ୍ଦା ଆଦାୟ କରୁଥିବା ୨୦ରୁ ୨୫ଜଣ ବ୍ୟକ୍ତି ସେମାନଙ୍କୁ ଲୁହାରେଡ଼ରେ ଆତର୍କିତ ଆକ୍ରମଣ କରିଥିଲେ । ଉଭୟ ସେଠାରେ ଅଚେତ ହୋଇ ପଡ଼ିବା ଫଳରେ ସେମାନେ ମରିଗଲେ ବୋଲି ଭାବି ଆକ୍ରମଣକାରୀମାନେ ସେଠାରୁ ପଳାଇ ଯାଇଥିଲେ । କିଛି ସମୟ ପରେ ଜଣଙ୍କର ଚେତା ଫେରିଥିଲା । ସେ ତାଙ୍କ ସମ୍ପର୍କିୟଙ୍କୁ ଡ଼ାକିବାରୁ ସେମାନେ ଉଭୟଙ୍କୁ ଉଦ୍ଧାରକରି ଅନୁଗୋଳ ଚିକିତ୍ସାଳୟରେ ଭର୍ତି କରିଥିଲେ । ସୁଧିରରଞ୍ଜନଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଭୂବନେଶ୍ୱର ଏକ ଘରୋଇ ହସିପିଟାଲକୁ ନିଆ ଯାଇଛି ଓ ଆକାଶ ଅନୁଗୋଳ ଜିଲ୍ଳା ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ଗତ କିଛି ମାସହେବ ବଳରାମ କୋଇଲା ଖଣିରେ ସୋଲଡ଼ା ଗ୍ରାମବାସୀ ଏବଂ ଟ୍ରକମାଲିକ ସଂଘ ମଧ୍ୟରେ ଟ୍ରକ ଚାନ୍ଦା ଆଦାୟକୁ ନେଇ ବିବାଦ ଲାଗି ରହିଥିଲା । ଏହାର ସମାଧାନ ପାଇଁ ଗୋପାଳ ପ୍ରସାଦ ଥାନା ଅଧିକାରୀ ଓ ଉପଜିଲ୍ଲାପାଳଙ୍କ ଉପସ୍ଥିତିରେ ଅନେକ ଥର ବୈଠକ ବସିଛି । ଟ୍ରକ ମାଲିକମାନେ ବେଆଇନ ଭାବେ ଚାନ୍ଦା ଦେବାକୁ ରାଜି ନଥିବା ବେଳେ ଗ୍ରାମବାସୀମାନେ ଟ୍ରକପିଛା ୩୮୦ଟଙ୍କା ଯୋରଜବରଦସ୍ତ ନେବାକୁ ଦାବି କରୁଛନ୍ତି । ଯାହାକୁ ନେଇ ଆଜକୁ ୬ମାସ ହେବ ଖଣି ପରିସର ମଧ୍ୟରେ ଉତେଜନା ଲାଗି ରହିଛି । ଏନେଇ ଗୋପାଳ ପ୍ରସାଦ ଥାନାରେ ଟ୍ରକମାଳିକଙ୍କ ପରିବାର ପକ୍ଷରୁ ଲିଖିତ ଅଭିଯୋଗ କରାଯାଇଛି । ମାତ୍ର ୩ଦିନ ପୁରି ଯାଇଥିଲେ ହେଁ ପୋଲିସ୍ ହାତ ଖାଲି ରହିଥିବା ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ସହ ଏହାକୁ ନେଇ ପୋଲିସ ଉପରୁ ଲୋକଙ୍କର ଆସ୍ତା ତୁଟିବାରେ ଲାଗିଛି ।



