୧୫୦୦ କୋଟି ଟଙ୍କା ଖର୍ଚ୍ଚ ସତ୍ୱେ ତାଳଚେରବାସୀ ପାନୀୟ ଜଳରୁ ବଂଚିତ ହେବା ନେଇମୁଖ୍ୟ ଶାସନ ସଚିବଙ୍କ ଉଦ୍ଦେଶ୍ୟରେ ଉପ-ଜିଲ୍ଲାପାଳଙ୍କ ଜରିଆରେ ଦାବୀପତ୍ର
ତାଳଚେର, ୧୧/୦୫ ତାଳଚେରରେ ୧୫୦୦ କୋଟି ଟଙ୍କା ଖର୍ଚ୍ଚ ହେବା ସତ୍ୱେ ଅଂଚଳବାସୀ ପାନୀୟ ଜଳରୁ ବଂଚିତ ହେବା ନେଇ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ଉଦ୍ଦେଶ୍ୟରେ ପ୍ରଗତି ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ତାଳଚେର ଉପ-ଜିଲ୍ଲାପାଳଙ୍କ ଜରିଆରେ ଦାବୀପତ୍ର ପ୍ରଦାନ କରାଯାଇଛି । ଦାବୀପତ୍ରରେ ଉଲ୍ଲେଖ କରାଯାଇଅଛି ଯେ, ତାଳଚେର ବର୍ତମାନ ସ୍ଥିତିରେ ତାପମାତ୍ରାରେ ସର୍ବ ଭାରତୀୟ ସ୍ତରରେ ଏକ ନମ୍ବର ଥିବା ବେଳେ ଗ୍ରୀଷ୍ମ ପ୍ରବାହକୁ ଆଖି ଆଗରେ ରଖି ଚଳିତ ବର୍ଷ ତାଳଚେର ଉପଖଣ୍ଡର ତାଳଚେର ବ୍ଲକ, କଣିହାଁ ବ୍ଲକ, ତାଳଚେର ପୌର ପରିଷଦ ଅଂଚଳରେ ପାନୀୟ ଜଳର ଘୋର ସଂକଟ ଓ ସମସ୍ୟା ଦେଖା ଦେଇଛି । ଆର.ଡବ୍ଲୁ,ଏସ୍.ଏସ୍. ଦ୍ୱାରା ଡି.ଏମ୍.ଏଫ୍. ଓ ସି.ଏସ୍.ଆର. ର ବିନିଯୋଗରେ ୧୫୦୦ କୋଟି ଟଙ୍କା ଖର୍ଚ୍ଚ ହୋଇ ପାନୀୟ ଜଳ ପାଇଁ ବାରମ୍ବାର ପାଇପ୍ ବିଛା ଯାଇଛି । ଥରେ ନୁହେଁ କି ଦୁଇ ଥର ନୁହେଁ, ଅନେକ ଥର ପାଇପ୍ ବିଛା ହୋଇଥିଲେ ମଧ୍ୟ ସେଥିରେ ପାଣି ପଡୁନି । ଏନେଇ ପୂର୍ବରୁ ଅନୁଗୋଳ ଜିଲ୍ଲାପାଳ, ତାଳଚେର ଉପଜିଲ୍ଲାପାଳ, ଆର.ଡବ୍ଲୁ,ଏସ୍.ଏସ୍. ର ଉଚ୍ଚ ପଦାଧିକାରୀ ଏବଂ ଏମ୍.ସି.ଏଲ୍.ର ଉଚ୍ଚ ପଦାଧିକାରୀଙ୍କୁ ବାରମ୍ବାର ଦାବୀପତ୍ର ଦେବା ସହ ଅଭିଯୋଗ କରାଯାଇଛି । କିନ୍ତୁ କେହି ଏଥିପ୍ରତି ଦୃଷ୍ଟି ଦେଇ ନାହାନ୍ତି । ଫଳରେ ସମସ୍ତ ତାଳଚେରବାସୀ ଜଳ ସଂକଟର ଶୀକାର ହେଉଛନ୍ତି । ଗ୍ରୀଷ୍ମ ଋତୁକୁ ଆଖି ଆଗରେ ରଖି ପାନୀୟ ଜଳ ସଂକଟରୁ ନିରାକରଣ ନିମନ୍ତେ ଯଥାଶୀଘ୍ର ପଦକ୍ଷେପ ନିଆଯିବା ପାଇଁ ଅନୁରୋଧ କରାଯାଇଛି । ଆଜିର ଏହି ଦାବୀପତ୍ର ପ୍ରଦାନ ବେଳେ କଂଗ୍ରେସ୍ ନେତା ରାଜକିଶୋର ସାହୁ, ତାଳଚେର ବ୍ଲକ କଂଗ୍ରେସ୍ ସଭାପତି ବିମ୍ବାଧର ବେହେରା, ବଅଁରପାଳ ବ୍ଲକ କଂଗ୍ରେସ୍ ସଭାପତି ବିନୋଦ ବିହାରୀ ବେହେରା, ଯୁବ କଂଗ୍ରେସ୍ ନେତା କିର୍ତି ରଂଜନ ବିଶୋଇ, ଜଗା ସାମଲ, ବେଡା କାଞ୍ଜି, ସୁନିଲ ପାଣି ପ୍ରମୁଖ ଉପସ୍ଥତ ଥିଲେ ।



