
ଜମନକିରା:୧୨/୫ : ସମ୍ବଲପୁର ଜିଲ୍ଲା ଜମନକିରା ପଞ୍ଚାୟତର ଜଣେ ୯ ବର୍ଷୀୟ ଶିଶୁ କନ୍ୟା ,ଖେଳିବା – ପଢ଼ିବା ବୟସରେ ନିଶାର ଅନ୍ଧାର ରାସ୍ତାକୁ ଚାଲିଯାଇଛି। ଚତୁର୍ଥ ଶ୍ରେଣୀ ରେ ପଢ଼ୁଥିବା ଏହି ଶିଶୁ କନ୍ୟା ସଫଳ ଗୁଟୁକା,କୁସୁନା ହାଣ୍ଡିଆ,ପାଉଚ୍ ଦେଶି ମହୁଲି ମଦ, ବୋତଲ ଫରେନ୍ ଲିକର୍ ଓ କଡ଼ା ପାନ ଭଳି ନିଶା ସେବନ କରୁଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଗାଁ ରେ ଖୋଲାଖୋଲି ଭାବେ ମିଳୁଥିବା ଦେଶି ମଦ ଓ ଗୁଟଖା ସଂସ୍ପର୍ଶ ରେ ଆସି ଶିଶୁ ଟି ନିଶାଗ୍ରସ୍ତ ହୋଇ ପଡିଛି। ଅଭିଭାବକଙ୍କ ଅଜ୍ଞତା ଓ ସଚେତନତା ଅଭାବ ଏଥିପାଇଁ ମୁଖ୍ୟ କାରଣ ବୋଲି ଗ୍ରାମବାସୀ କହିଛନ୍ତି। ଗାଁ ରେ ମହୁଲି ମଦ ଓ ହାଣ୍ଡିଆ କିପରି ସହଜରେ ମିଳୁଛି ?ଅବକାରୀ ବିଭାଗର ଚଢାଉ କେଉଁଠି ? ଶିଶୁ ସୁରକ୍ଷା କମିଟି ଓ ଅଙ୍ଗନବାଡି କର୍ମୀ ଏ ବିଷୟରେ ଅବଗତ ଅଛନ୍ତି କି ? ସ୍କୁଲରେ ନିଶାନିବାରଣ ସଚେତନତା କାର୍ଯ୍ୟକ୍ରମ ହେଉଛି କି ? ଏଭଳି କିଛି ସିଧା ପ୍ରଶ୍ନ ପ୍ରଶାସନ ର ଭୂମିକା ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ବିଶେଷଜ୍ଞ ଙ୍କ ମତରେ ଏତେ କମ୍ ବୟସରେ ନିଶା ସେବନ ଶିଶୁ ର ଶାରୀରିକ ଓ ମାନସିକ ବିକାଶ କୁ ସମ୍ପୂର୍ଣ୍ଣ ନଷ୍ଟ କରିଦିଏ। ତୁରନ୍ତ କାଉନସିଲିଙ୍ଗ ଓ ଚିକିତ୍ସା ଦରକାର। ଗାଁ ରେ ବେଆଇନ ଭାବେ ଦେଶି ମଦ ଓ ନିଶା ସାମଗ୍ରୀ ଖୋଲାଖୋଲି ବିକ୍ରି ହେଉଥିବାରୁ ଶିଶୁଟି ଏହାର ଶିକାର ହୋଇଛି। ଏହା ଜୁଭେନାଇଲ୍ ଜଷ୍ଟିସ (ଶିଶୁ ଙ୍କ ଯତ୍ନ ଓ ସୁରକ୍ଷା) ଆଇନ ୨୦୧୫,ପୋକ୍ସୋ ଆଇନ ଏବଂ ସିଗାରେଟ ଏଣ୍ଡ ଅଦର ଟୋବାକୋ ପ୍ରଡକ୍ଟ ଆକ୍ଟ ,୨୦୦୩ ର ଖୋଲାଖୋଲି ଉଲ୍ଲଂଘନ। ଏନେଇ ଗ୍ରାମବାସୀ ତୁରନ୍ତ ଶିଶୁଟିକୁ ଉଦ୍ଧାର କରି ନିଶାମୁକ୍ତି କେନ୍ଦ୍ର ରେ ଚିକିତ୍ସା କରାଇବା ସହ ଗାଁ ରେ ବେଆଇନ ମଦ ଓ ଗୁଟୁଖା ବିକ୍ରି ବନ୍ଦ କରିବାକୁ ପ୍ରଶାସନ ନିକଟରେ ଦାବି କରିଛନ୍ତି।




