.ନବୋଦୟ ସାହିତ୍ୟର ପରିଭାଷା ପକ୍ଷରୁ ଶ୍ରଦ୍ଧାଞ୍ଜଳି
ତାଳଚେର, ୨୭/୦୫ ତାଳଚେରର ଅନ୍ୟତମ ଅଗ୍ରଣୀ ସାରସ୍ୱତ ଅନୁଷ୍ଠାନ ନବୋଦୟ ସାହିତ୍ୟର ପରିଭାଷା ପରିବାର ପକ୍ଷରୁ ସାରସ୍ୱତ ସାଧକ ପ୍ରାଧ୍ୟାପକ କୁମୁଦ ଚନ୍ଦ୍ର ଦାଶଙ୍କ ଅକାଳ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ପ୍ରତିଷ୍ଠାତା ସଂପାଦିକା ଦୀପ୍ତିରାଣୀ ସିଂହଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ଆଭାସୀ କାର୍ଯ୍ୟକ୍ରମରେ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦର ପ୍ରାକ୍ତନ ସଭାପତି ପ୍ରାବନ୍ଧିକ ଡ. ଧରଣୀଧର ନାଥ ଅଧ୍ୟକ୍ଷତା କରିଥିଲେ । ଏହି ଅବସରରେ ସଂପାଦିକା ଦୀପ୍ତିରାଣୀ ସିଂହ ସ୍ୱାଗତ ଭାଷଣ ଏବଂ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଅନୁଷ୍ଠାନର ବରିଷ୍ଠ ସଦସ୍ୟା ସୁଶ୍ରୀ ଶୋଭାଗିନୀ ଦେବୀ ପ୍ରାଧ୍ୟାପକ କୁମୁଦ ଚନ୍ଦ୍ର ଦାଶଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଏବଂ ପ୍ରଦୀପ ପ୍ରଜ୍ୱଳନ କରିଥିବାବେଳେ ଶିକ୍ଷାବିତ୍ ଲତିକା ମହାପାତ୍ର ଶାନ୍ତିମନ୍ତ୍ର ପାଠ କରିଥିଲେ । ଅନୁଷ୍ଠାନର ଯୁଗ୍ମ ସଂପାଦକ ଶିଶୁ ସାହିତ୍ୟିକ ବିଭୂତି ଭୂଷଣ ସ୍ୱାଇଁ ଅତିଥି ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଭାବରେ ଅନୁଗୋଳ ସ୍ୱୟଂଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡ. ଶାନ୍ତନୁ କୁମାର ସର, ମୁଖ୍ୟ ବକ୍ତା ଭାବରେ ଆଇନଜୀବୀ ଡ. ଯଦୁମଣି ସାହୁ, ଅନ୍ୟତମ ଅତିଥି ଭାବରେ ତାଳଚେର ସ୍ୱୟଂଶାସିତ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଡ. ବିନୟ ଖିଲାର, ଇଂ. ଧନେଶ୍ୱର ସାହୁ, ବରିଷ୍ଠ ସାହିତ୍ୟିକ ଡ. କୁଳମଣି ନାୟକ, ପ୍ରାଧ୍ୟାପିକା ଡ. କଳ୍ପନା ବୋଇତି ଏବଂ ଅଧ୍ୟାପକ ମନୋଜ ବେହେରା ପ୍ରମୁଖ ଯୋଗ ଦେଇ ପ୍ରାଧ୍ୟାପକ କୁମୁଦ ଚନ୍ଦ୍ର ଦାଶଙ୍କ ସ୍ମୃତିଚାରଣ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି ଅବସରରେ ଅତିଥିମାନେ ନିଜ ଅଭିଭାଷଣରେ ସାରସ୍ୱତ ସାଧକ ପ୍ରଧ୍ୟାପକ କୁମୁଦ ଚନ୍ଦ୍ର ଦାସ ଏକ ବିରଳ ସାରସ୍ୱତ ପ୍ରତିଭା ଥିଲେ । ଜଣେ ପ୍ରାବନ୍ଧିକ, ସମାଲୋଚକ ତଥା କବି ଭାବରେ ପ୍ରସିଦ୍ଧି ଲାଭ କରିଥିବା ଏହି ଅନନ୍ୟ ସାରସ୍ୱତ ପ୍ରତିଭାଙ୍କ ଅକାଳ ବିୟୋଗ ଓଡ଼ିଆ ସାହିତ୍ୟ ଜଗତରେ ଏକ ଅପୂରଣୀୟ କ୍ଷତି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହାପରେ ଶିକ୍ଷାବିତ୍ ଲତିକା ମହାପାତ୍ରଙ୍କ ସଂଯୋଜନାରେ ଏକ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । ସୁଶ୍ରୀ ଶୋଭାଗିନି ଦେବୀ, ସ୍ୱାତୀ ନନ୍ଦୀ, ନଳିନୀ ମଞ୍ଜରୀ ଦାଶ, ତ୍ରେତାନନ୍ଦ ସାମନ୍ତ, ପ୍ରଣବ କିଶୋର ଗଡ଼ନାୟକ, ଧ୍ରୁବ ଚରଣ ବେହେରା, ଅଧ୍ୟାପିକା ମନ୍ଦାକିନୀ ପାଢ଼ୀ, ତ୍ରିନାଥ ସାହୁ, ଲତିକା ମହାପାତ୍ର, ଦୀପ୍ତିରାଣୀ ସିଂହ, ବିଭୂତି ଭୂଷଣ ସ୍ୱାଇଁ, ଅଧ୍ୟାପକ ମନୋଜ ବେହେରା ପ୍ରମୁଖ ପ୍ରାଧ୍ୟାପକ କୁମୁଦ ଚନ୍ଦ୍ର ଦାଶଙ୍କ ସ୍ୱରଚିତ କବିତା ପାଠ କରିବା ସହ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ସଂପାଦିକା ଦୀପ୍ତିରାଣୀ ସିଂହ ଧନ୍ୟବାଦ ଅର୍ପଣ କରିଥିଲେ ।

May 27, 2026/
No Comments


