“ସୁସ୍ଥ ବାର୍ଦ୍ଧକ୍ୟ ନିମନ୍ତେ ଯୋଗ” ବାର୍ତ୍ତା ନେଇ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ


ଅନୁଗୋଳ, ୨୧.୦୬ : ଜିଲ୍ଲା ସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ -୨୦୨୬ ଆଜି ସକାଳେ ନୂଆ ଇଣ୍ଡୋର ଷ୍ଟାଡିୟମ୍ ହଲ୍ ଠାରେ ପାଳିତ ହୋଇଯାଇଛି। ଏହି ସାମୁହିକ ଯୋଗାଭ୍ୟାସରେ ମାନ୍ୟବର ଅନୁଗୋଳ ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ ଯୋଗ ଦେଇ ଦୈନନ୍ଦିନ ବ୍ୟସ୍ତବହୁଳ ଜୀବନରୁ କିଛି ସମୟ ବାହାର କରି ଯୋଗ ଓ ପ୍ରାଣାୟାମ କରିବା ସହ ନିଜକୁ ସୁସ୍ଥ ଓ ନିରୋଗ ରଖିବାକୁ ଜନସାଧାରଣଙ୍କୁ ଆହ୍ୱାନ ଦେଇଥିଲେ।

ସେହିଭଳି ଅନ୍ୟତମ ଅତିଥି ମାନ୍ୟବର ଛେଣ୍ଡିପଦା ବିଧାୟକ ଶ୍ରୀ ଅଗସ୍ତି ବେହେରା ଯୋଗ ଓ ପ୍ରାଣାୟାମ ଶରୀର ଓ ମନକୁ ସୁସ୍ଥ ରଖିବା ସହ ଏକ ନିରୋଗ ଜୀବନଯାପନ କରିବାରେ ସହାୟକ ହୋଇଥାଏ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମରେ ମାନ୍ୟବର କେନ୍ଦ୍ରଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦଙ୍କ ପ୍ରତିନିଧି ଶ୍ରୀ ସୁଦିପ କୁମାର ଗଡ଼ନାୟକ, ଜିଲ୍ଲାପାଳ ଶ୍ରୀ ଅବ୍ଦାଲ୍ ମୁହମ୍ମଦ୍ ଅଖ୍ତର, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଉଦୟ କୁମାର ମହାପାତ୍ର, ଆଇଏଏସ ପ୍ରୋବେସନର ଶ୍ରୀ ଅଭି ଜୈନ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଦେବଦତ୍ତ ମହନ୍ତ ପ୍ରମୁଖ ଉପସ୍ଥିତ ଥିଲେ। ପତଞ୍ଜଳି ଯୋଗ ସମିତିର ସଭାପତି ତଥା ଯୋଗଗୁରୁ ଶ୍ରୀ ଅଭୟ ରାୟଙ୍କ ସହଯୋଗରେ ବିଭିନ୍ନ ଯୋଗାସନ ଅଭ୍ୟାସ କରାଯାଇଥିଲା।

ପ୍ରକାଶ ଥାଉକି, ପ୍ରତ୍ୟେକ ବର୍ଷ ଜୁନ୍ ୨୧ ତାରିଖରେ ମିଳିତ ଜାତିସଂଘର ସାଧାରଣ ପରିଷଦର ନିଷ୍ପତ୍ତି କ୍ରମେ ୨୦୧୫ ମସିହାରୁ ଯୋଗ ଦିବସ ପାଳିତ ହୋଇଆସୁଅଛି। ଚଳିତ ବର୍ଷର ମୁଖ୍ୟ ବିଷୟବସ୍ତୁକୁ ଆଧାର କରି ଆୟୋଜିତ ଏହି ସମୂହ ଯୋଗାଭ୍ୟାସ କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ, କ୍ରୀଡ଼ାବିତ୍, ବୁଦ୍ଧିଜୀବୀ, ଜିଲ୍ଲାସ୍ତରୀୟ ଅଧିକାରୀ, ଗଣମାଧ୍ୟମର ପ୍ରତିନିଧିଙ୍କ ସମେତ ବହୁ ସଂଖ୍ୟାରେ ସ୍ଥାନୀୟ ଜନସାଧାରଣ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମ ସମାଜରେ ସ୍ୱାସ୍ଥ୍ୟ ସଚେତନତା ସୃଷ୍ଟି କରିବା ଦିଗରେ ଏକ ସଫଳ ପ୍ରୟାସ। ପରିଶେଷରେ ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ଅକ୍ଷୟ କୁମାର ସିଠ ଧନ୍ୟବାଦ ଅର୍ପଣ କରିଥିଲେ।




