ଭୋଟର ତାଲିକାରେ ବଡ଼ ଅସଙ୍ଗତି! ୧୨ ଲକ୍ଷ ଭୋଟରଙ୍କ ତଥ୍ୟ ଅମିଳ, ୫୮ ଲକ୍ଷରୁ ଅଧିକଙ୍କୁ ନୋଟିସ
ଭୁବନେଶ୍ୱର: ରାଜ୍ୟର ଭୋଟର ତାଲିକା ଯାଞ୍ଚ ବେଳେ ବଡ଼ ଧରଣର ଅସଙ୍ଗତି ସାମ୍ନାକୁ ଆସିଛି। ୨୦୦୨ ମସିହାର ଭୋଟର ତାଲିକା ସହ ୨୦୨୫ର ତାଲିକାକୁ ମ୍ୟାପିଂ କରିବା ସମୟରେ ପ୍ରାୟ ୧୨ ଲକ୍ଷ ଭୋଟରଙ୍କ ସମ୍ପୂର୍ଣ୍ଣ ତଥ୍ୟ ମିଳିନଥିବା ଜଣାପଡ଼ିଛି। ଏହା ସହିତ ମୋଟ ୫୮ ଲକ୍ଷ ୩୬ ହଜାର ୩୪୧ ଜଣ ଭୋଟରଙ୍କୁ ନୋଟିସ ଜାରି କରିବାକୁ ନିଷ୍ପତ୍ତି ହୋଇଛି।
ଏଥିମଧ୍ୟରୁ ପ୍ରାୟ ୪୬ ଲକ୍ଷ ଭୋଟରଙ୍କ ତଥ୍ୟରେ ଛୋଟମୋଟ ତ୍ରୁଟି ଥିବାବେଳେ, ଅବଶିଷ୍ଟ ୧୨ ଲକ୍ଷ ଭୋଟରଙ୍କ ରେକର୍ଡ ମେଳ ଖାଉନଥିବାରୁ ସେମାନଙ୍କୁ ମଧ୍ୟ ନୋଟିସ ପଠାଯିବ।
ରାଜ୍ୟ ନିର୍ବାଚନ କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ, ୨୦୨୬ ଜୁଲାଇ ୫ରୁ ଅଗଷ୍ଟ ୪ ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଦାଖଲ କରିବାର ସୁଯୋଗ ରହିବ। ସେହିପରି ଜୁଲାଇ ୫ରୁ ସେପ୍ଟେମ୍ବର ୨ ପର୍ଯ୍ୟନ୍ତ ନୋଟିସ ପ୍ରକ୍ରିୟା, ଯାଞ୍ଚ ଓ ଦାବି-ଆପତ୍ତିର ସମାଧାନ କରାଯିବ।
ସମସ୍ତ ପ୍ରକ୍ରିୟା ଶେଷ ହେବା ପରେ ସେପ୍ଟେମ୍ବର ୬ ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରାଯିବ।
ନୋଟିସ ପାଇଥିବା ଭୋଟରମାନେ ଆବଶ୍ୟକୀୟ ଦଲିଲପତ୍ର ଦାଖଲ କରି ନିଜର ତଥ୍ୟ ସଂଶୋଧନ କିମ୍ବା ଭୋଟର ତାଲିକାରେ ନାମ ବଜାୟ ରଖିପାରିବେ। ନିର୍ବାଚନ କର୍ତ୍ତୃପକ୍ଷଙ୍କ କହିବା ଅନୁସାରେ, ଏହି ପଦକ୍ଷେପର ଲକ୍ଷ୍ୟ ହେଉଛି ତ୍ରୁଟିମୁକ୍ତ ଓ ସ୍ୱଚ୍ଛ ଭୋଟର ତାଲିକା ପ୍ରସ୍ତୁତ କରିବା।



