୨୦୨୭ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଆରମ୍ଭ ହେଲା କସରତ: ଭୋଟର ତାଲିକା ସଂଶୋଧନକୁ ଗୁରୁତ୍ୱ
ଭୁବନେଶ୍ୱର: ୨୦୨୭ ମସିହାରେ ହେବାକୁ ଥିବା ତ୍ରି-ସ୍ତରୀୟ ପଞ୍ଚାୟତ ଓ ପୌର ସଂସ୍ଥା ନିର୍ବାଚନକୁ ସ୍ୱଚ୍ଛ, ଅବାଧ ଓ ନିରପେକ୍ଷ ଭାବେ ସମ୍ପନ୍ନ କରିବା ପାଇଁ ରାଜ୍ୟ ନିର୍ବାଚନ ଆୟୋଗ ପ୍ରସ୍ତୁତିକୁ ତ୍ୱରାନ୍ୱିତ କରିଛନ୍ତି। ଏହି ପରିପ୍ରେକ୍ଷୀରେ ରାଜ୍ୟ ନିର୍ବାଚନ ଆୟୁକ୍ତ ମଧୁସୂଦନ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମସ୍ତ ଜିଲ୍ଲାପାଳ, ପୌର କମିଶନର, ଉପ-ଜିଲ୍ଲାପାଳ ଓ ନିର୍ବାଚନ ଦାୟିତ୍ୱରେ ଥିବା ଅଧିକାରୀମାନଙ୍କ ସହ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି।
ବୈଠକରେ ଭୋଟର ତାଲିକାକୁ ତ୍ରୁଟିମୁକ୍ତ କରିବା ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଇଥିଲା। ଏଥିପାଇଁ ଘରକୁ ଘର ସର୍ଭେ କରି ପ୍ରକୃତ ଯୋଗ୍ୟ ଭୋଟରଙ୍କୁ ଚିହ୍ନଟ କରିବା, ମୃତ, ସ୍ଥାନାନ୍ତରିତ ଓ ଅଯୋଗ୍ୟ ଭୋଟରଙ୍କ ନାମ ବାଦ ଦେବା ଏବଂ ବାଦ ପଡ଼ିଥିବା ଯୋଗ୍ୟ ନାଗରିକଙ୍କୁ ତାଲିକାରେ ସାମିଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ସର୍ଭେ କାର୍ଯ୍ୟ ପାଇଁ ପ୍ରତ୍ୟେକ ବୁଥ୍ରେ ବୁଥ୍ ଲେଭେଲ୍ ଅଫିସର (BLO)ଙ୍କୁ ଟିମ୍ ଲିଡର ଭାବେ ନିଯୁକ୍ତ କରାଯିବ। ତାଙ୍କ ସହ ଦୁଇଜଣ ଅଙ୍ଗନୱାଡ଼ି କର୍ମୀ କାମ କରିବେ। ଆବଶ୍ୟକତା ଅନୁଯାୟୀ ଆଶା କର୍ମୀ, ଜଳ ସାଥୀ କିମ୍ବା ସ୍ୱଚ୍ଛ ସାଥୀଙ୍କୁ ମଧ୍ୟ ଏହି ପ୍ରକ୍ରିୟାରେ ସାମିଲ କରାଯିବ। ସମଗ୍ର ସର୍ଭେ କାର୍ଯ୍ୟ ଜୁଲାଇ ୩୧ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି।
ଏହାସହ ବୁଥ୍ ଓ ୱାର୍ଡ ସୀମା ନିର୍ଦ୍ଧାରଣ, ଦାବି-ଆପତ୍ତି ଆବେଦନ ଗ୍ରହଣ, ସର୍ଭେ ତଥ୍ୟର ଡିଜିଟାଲ ଏଣ୍ଟ୍ରି ଏବଂ ସମସ୍ତ କାର୍ଯ୍ୟକୁ ସମୟସୀମା ମଧ୍ୟରେ ଶେଷ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଆୟୋଗଙ୍କ ଯୋଜନା ଅନୁସାରେ ୨୦୨୭ ଜାନୁଆରୀ ୧ରେ ଖସଡ଼ା ଭୋଟର ତାଲିକା ଏବଂ ଫେବୃଆରୀ ୧୦ରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରାଯିବ।
ରାଜ୍ୟ ନିର୍ବାଚନ ଆୟୁକ୍ତ ମଧୁସୂଦନ ପାଢ଼ୀ କହିଥିଲେ, କୌଣସି ଯୋଗ୍ୟ ଭୋଟର ଯେପରି ତାଲିକାରୁ ବାଦ ନପଡ଼ନ୍ତି ଏବଂ ଗୋଟିଏ ପରିବାରର ସମସ୍ତ ସଦସ୍ୟଙ୍କ ନାମ ଯେପରି ଏକାଠି ଗୋଟିଏ ବୁଥ୍ରେ ରହିବ, ସେଥିପାଇଁ ବିଶେଷ ଧ୍ୟାନ ଦେବାକୁ ଅଧିକାରୀମାନଙ୍କୁ କୁହାଯାଇଛି।
ବୈଠକରେ ନିର୍ବାଚନ ଦାୟିତ୍ୱରେ ନିୟୋଜିତ କର୍ମଚାରୀ ଓ ଅଧିକାରୀମାନଙ୍କୁ ସମୟ ପୂର୍ବରୁ ଉପଯୁକ୍ତ ପ୍ରଶିକ୍ଷଣ ଦେବା, ଭୋଟର ତାଲିକାର ଗୁଣାତ୍ମକ ଯାଞ୍ଚ କରିବା ଏବଂ ନିର୍ବାଚନ ପ୍ରକ୍ରିୟାକୁ ସୁଚାରୁ ଭାବେ ପରିଚାଳନା କରିବା ଉପରେ ମଧ୍ୟ ଗୁରୁତ୍ୱାରୋପ କରାଯାଇଛି। ବୈଠକରେ ରାଜ୍ୟ ନିର୍ବାଚନ ଆୟୋଗର ବରିଷ୍ଠ ଅଧିକାରୀଙ୍କ ସମେତ ସମସ୍ତ ଜିଲ୍ଲାର ପ୍ରଶାସନିକ ଅଧିକାରୀମାନେ ଆଭାସୀ ମାଧ୍ୟମରେ ଯୋଗ ଦେଇଥିଲେ।
ଏହି ବୈଠକରେ ରାଜ୍ୟ ନିର୍ବାଚନ ଆୟୁକ୍ତ ଶ୍ରୀ ମଧୁସୂଦନ ପାଢ଼ୀ,ନିର୍ବାଚନ ଆୟୋଗଙ୍କ ସଚିବ ଶ୍ରୀ ସନ୍ତୋଷ କୁମାର ଦାଶ ଙ୍କ ସମେତ ରାଜ୍ୟର ସମସ୍ତ ପୌର ନିଗମର ଆୟୁକ୍ତ(କମିଶନର),ସମସ୍ତ ଜିଲ୍ଲାର ର ଜିଲ୍ଲାପାଳ, ଉପ-ଜିଲ୍ଲାପାଳ ଏବଂ ଡେ଼ପୁଟି କଲେକ୍ଟର(ନିର୍ବାଚନ) ଆଭାସୀ ମାଧ୍ୟମରେ ଅଂଶଗ୍ରହଣ କରିଥିଲେ।



