ରାଜ୍ୟସ୍ତରୀୟ ବ୍ୟାପକ ଏଚ୍.ଆଇ.ଭି./ଏଡ୍ସ ସଚେତନତା ଅଭିଯାନ–୨୦୨୬ ଓ ସିକଲ୍ ସେଲ୍ ଟୀକାକରଣ କାର୍ଯ୍ୟକ୍ରମର ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ଅନୁଗୋଳ,୨୯.୦୭: ଆସନ୍ତା ୧୨ ଅଗଷ୍ଟ “ଅନ୍ତର୍ଜାତୀୟ ଯୁବ ଦିବସ” ଅବସରରେ ଅନୁଗୋଳଠାରେ ଆୟୋଜିତ ହେବାକୁ ଥିବା ରାଜ୍ୟସ୍ତରୀୟ ତୃତୀୟ ପର୍ଯ୍ୟାୟ ଇଣ୍ଟେନ୍ସିଫାଏଡ ଆଇ.ଇ.ସି ଅଭିଯାନ–୨୦୨୬ର ସୁପରିଚାଳନା ଓ ସଫଳ ଆୟୋଜନ ନିମନ୍ତେ ଆଜି ଜିଲ୍ଲାପାଳ ଶ୍ରୀ ଅବ୍ଦାଲ୍ ମୁହମ୍ମଦ୍ ଅଖ୍ତରଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ସଚେତନତା ପ୍ରଚାରରେ ଯୁବବର୍ଗର ସହଭାଗିତାକୁ ସୁନିଶ୍ଚିତ କରି ସମସ୍ତ ସମ୍ପୃକ୍ତ ବିଭାଗକୁ ପରସ୍ପର ସମନ୍ୱୟ ରକ୍ଷା କରି ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମସ୍ତ ପ୍ରସ୍ତୁତି ସମ୍ପୂର୍ଣ୍ଣ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଏହି ବୈଠକରେ ଓଡ଼ିଶା ରାଜ୍ୟ ଏଡ୍ସ ନିୟନ୍ତ୍ରଣ ସମିତି (OSACS)ର ପ୍ରକଳ୍ପ ନିର୍ଦ୍ଦେଶକ ଡ. ରୂପଭାନୁ ମିଶ୍ର ଦୁଇମାସବ୍ୟାପୀ ଚାଲିବାକୁ ଥିବା ଏହି ଅଭିଯାନର ରୂପରେଖ ଉପରେ ବିବରଣୀ ଦେଇ ଏଚ୍.ଆଇ.ଭି./ଏଡସ ଓ ଯୌନ ସଂକ୍ରମିତ ରୋଗ ସମ୍ପର୍କରେ ସଠିକ୍ ତଥ୍ୟ ପହଞ୍ଚାଇବା, ମାଗଣା ପରୀକ୍ଷା ଓ ଚିକିତ୍ସା ପ୍ରତି ସଚେତନ କରାଇବା ଏବଂ ଆକ୍ରାନ୍ତ ବ୍ୟକ୍ତିଙ୍କ ପ୍ରତି ସାମାଜିକ କଳଙ୍କ ଓ ଭେଦଭାବ ଦୂର କରିବାକୁ କହିଥିଲେ। ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମର ସମସ୍ତ ପ୍ରସ୍ତୁତି, ଅତିଥି ପରିଚାଳନା, ସଚେତନତା ରାଲି, ପ୍ରଦର୍ଶନୀ, ଆଇଇସି ପ୍ରଚାର ଭ୍ୟାନ୍, ଗଣମାଧ୍ୟମ ପ୍ରଚାର, ପାନୀୟ ଜଳ, ବିଦ୍ୟୁତ୍, ପରିମଳ, ସୁରକ୍ଷା ବ୍ୟବସ୍ଥା, ଯାତାୟାତ ପରିଚାଳନା ଏବଂ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ସମ୍ପର୍କରେ ସବିଶେଷ ଆଲୋଚନା ବୈଠକରେ କରାଯାଇଥିଲା। ଏହି ଅବସରରେ ତାଳଚେରସ୍ଥିତ ପିଏମ୍ପିଏମ୍ସିଏଚ୍ (PMPMCH) ଟ୍ରମା ବିଲ୍ଡିଂଠାରେ ସିକଲ୍ ସେଲ୍ ଟୀକାକରଣ କାର୍ଯ୍ୟକ୍ରମ, ଏଚ୍.ଆଇ.ଭି./ ଏଡ୍ ସ ସଚେତନତା ପ୍ରଦର୍ଶନୀ, ତିନୋଟି ସଜ୍ଜିତ ଆଇଇସି ଭ୍ୟାନର ଶୁଭାରମ୍ଭ, ଅନଲାଇନ୍ ଏଚ୍.ଆଇ.ଭି. ରିସ୍କ ଆସେସମେଣ୍ଟ ଟୁଲ୍, ସଚେତନତାମୂଳକ ସ୍ୱଳ୍ପଦୈର୍ଘ୍ୟ ଚଳଚ୍ଚିତ୍ର ଓ ଅନ୍ୟାନ୍ୟ ସଚେତନତାମୂଳକ ପଦକ୍ଷେପର ଉନ୍ମୋଚନ ପାଇଁ ମଧ୍ୟ ଯୋଜନା ପ୍ରସ୍ତୁତ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଦେବଦତ୍ତ ମହନ୍ତ, ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ ମଦନ ମୋହନ ପ୍ରଧାନ, ପୌରପାଳିକାର ନିର୍ବାହୀ ଅଧିକାରୀ ଶ୍ରୀ ସତ୍ୟ ପ୍ରକାଶ ତ୍ରିପାଠୀ, OSACS ର ଯୁଗ୍ମ ନିର୍ଦ୍ଦେଶକ ଡ. ନମିତା ମିଶ୍ର, ସହକାରୀ ନିର୍ଦ୍ଦେଶକ ଶ୍ରୀମତୀ ସ୍ମୃତି ସାଗରିକା କାନୁନଗୋ, ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ (DPM) ଶ୍ରୀମତୀ ସୌମ୍ୟାରାଣୀ ଗୌଡ଼ଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।



