ଶୀର୍ଷକ:
ସେଞ୍ଚୁରିୟନ ବିଶ୍ୱବିଦ୍ୟାଳୟରେ ରାଜ୍ୟପାଳ; ନବସୃଜନ, ଗବେଷଣା ଓ ଦକ୍ଷତା ବିକାଶ ମଡେଲର ପ୍ରଶଂସା
ଭୁବନେଶ୍ୱର: ଓଡ଼ିଶାର ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ବୁଧବାର ସେଞ୍ଚୁରିୟନ ବିଶ୍ୱବିଦ୍ୟାଳୟ ପରିଦର୍ଶନ କରି ବିଶ୍ୱବିଦ୍ୟାଳୟର ନବସୃଜନ, ଗବେଷଣା, ଦକ୍ଷତା ବିକାଶ ଏବଂ ଉଦ୍ୟୋଗୀକରଣ ଭିତ୍ତିକ ଶିକ୍ଷା ମଡେଲକୁ ଉଚ୍ଚ ପ୍ରଶଂସା କରିଛନ୍ତି। ଏହି ଗସ୍ତରେ ରାଜ୍ୟପାଳଙ୍କ ସହ ମାନ୍ୟବର ପ୍ରଥମ ମହିଳା ଡ. ଜୟଶ୍ରୀ କମ୍ଭମପାଟି ମଧ୍ୟ ଉପସ୍ଥିତ ଥିଲେ।
ଗସ୍ତ ଅବସରରେ ରାଜ୍ୟପାଳ ପାରମ୍ପରିକ ଜ୍ଞାନ ଓ ଆଧୁନିକ ପ୍ରଯୁକ୍ତିର ସମନ୍ୱୟରେ ଗଠିତ **”ଟ୍ରାଡିସନାଲ୍ ଆଣ୍ଡ ଟେକ୍ନୋଲୋଜି ଇଣ୍ଟରଫେସ୍ ଲର୍ଣ୍ଣିଙ୍ଗ ଲ୍ୟାବ”**ର ଉଦଘାଟନ କରିଥିଲେ। ସେ ମହାଭାରତ ଓ ରାମାୟଣ ଉପରେ ଆଧାରିତ ଭିତ୍ତିଚିତ୍ରର ଲୋକାର୍ପଣ କରିବା ସହ ଶିଳ୍ପୀମାନଙ୍କ ସହ ମତବିନିମୟ କରିଥିଲେ।
ଏହାପରେ ରାଜ୍ୟପାଳ ବିଶ୍ୱବିଦ୍ୟାଳୟର ବାୟୋ-ଏଞ୍ଜାଇମ୍ ଓ ବାୟୋ-ଚାର ୟୁନିଟ୍, ୱାଇଲ୍ଡ ଅର୍କିଡ୍ ଲ୍ୟାବ୍, ଟିସ୍ୟୁ କଲଚର କେନ୍ଦ୍ର, ଇଣ୍ଡଷ୍ଟ୍ରି ୫.୦ ଲ୍ୟାବ୍ ଏବଂ କ୍ରିଏଟିଭିଟି, କ୍ୟୁରିଓସିଟି ଓ କମ୍ପିଟେନ୍ସି ସେଣ୍ଟର ସମେତ ବିଭିନ୍ନ ଗବେଷଣା ଓ ନବସୃଜନ କେନ୍ଦ୍ର ବୁଲି ଦେଖିଥିଲେ। ପ୍ରତିରକ୍ଷା କ୍ଷେତ୍ର ଓ ସରକାରୀ ସଂସ୍ଥା ପାଇଁ ବିକଶିତ ସ୍ୱତନ୍ତ୍ର ବୈଦ୍ୟୁତିକ ଯାନ ମଧ୍ୟ ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲା।
ପରିଦର୍ଶନ ସମୟରେ ରାଜ୍ୟପାଳ ବିଶ୍ୱବିଦ୍ୟାଳୟ ପରିସରର ପ୍ରଜାପତି ଉଦ୍ୟାନରେ ସ୍ୱଦେଶୀ ପ୍ରଜାତିର ପ୍ରଜାପତି ଛାଡ଼ିବା ସହ କୋଇ ମାଛର ପୋନା ଓ ଉଦ୍ଧାର କରାଯାଇଥିବା ପାରାମାନଙ୍କୁ ମୁକ୍ତ କରିଥିଲେ। ସେ ବବଲ୍ ଅକ୍ସିଜେନେସନ୍ ଏରେସନ୍ ସଷ୍ଟେନେବଲ୍ ଟେକ୍ନୋଲୋଜି (BOOST) ଏବଂ ଆଇଓଟି ଆଧାରିତ ଉଚ୍ଚମୂଲ୍ୟ କୃଷି ପ୍ରଣାଳୀ ସମ୍ପର୍କରେ ମଧ୍ୟ ଅବଗତ ହୋଇଥିଲେ।
ବିଶ୍ୱବିଦ୍ୟାଳୟ ପକ୍ଷରୁ ସ୍ୱଦେଶୀ କ୍ରୀଡ଼ା, କମ୍ ଖର୍ଚ୍ଚର ଟିସ୍ୟୁ କଲଚର ପ୍ରଯୁକ୍ତି ଓ ବିଭିନ୍ନ ନବସୃଜନମୂଳକ ପ୍ରକଳ୍ପର ଡିଜିଟାଲ୍ ଉପସ୍ଥାପନା କରାଯାଇଥିଲା। ରାଜ୍ୟପାଳ ଏହାର ଭର୍ଚୁଆଲ୍ ପ୍ରଦର୍ଶନ ମଧ୍ୟ ଅନୁଭବ କରିଥିଲେ।
ଏହି ଅବସରରେ ରାଜ୍ୟପାଳ ଓ ପ୍ରଥମ ମହିଳା ବିଶ୍ୱବିଦ୍ୟାଳୟର “ଶ୍ରାଇନ୍ ଅଫ୍ ସୋଲ୍, ପିସ୍ ଆଣ୍ଡ ସ୍ପିରିଚୁଆଲିଟି” ପରିସରରେ ଧଳା ଚନ୍ଦନର ଦୁଇଟି ଚାରା ରୋପଣ କରିଥିଲେ। ପରେ ଫାର୍ମାସି ଓ ଲାଇଫ୍ ସାଇନ୍ସେସ୍ ବିଭାଗ ଦ୍ୱାରା ବିକଶିତ ପ୍ରାକୃତିକ ସ୍କିନ୍କେୟାର ଉତ୍ପାଦର ଲୋକାର୍ପଣ କରିଥିଲେ।
କାର୍ଯ୍ୟକ୍ରମରେ ରାଜ୍ୟପାଳ କହିଥିଲେ ଯେ, କେବଳ ପାଠ୍ୟପୁସ୍ତକ ଭିତ୍ତିକ ଶିକ୍ଷା ନୁହେଁ, ବରଂ ଦକ୍ଷତା ବିକାଶ, ନବସୃଜନ ଓ ଉଦ୍ୟୋଗୀକରଣକୁ ଶିକ୍ଷା ସହ ଯୋଡ଼ିବା ସମୟର ଆବଶ୍ୟକତା। ଛାତ୍ରଛାତ୍ରୀଙ୍କ ଦ୍ୱାରା ବିକଶିତ ଉତ୍ପାଦକୁ ପରୀକ୍ଷାଗାରରୁ ବଜାରକୁ ପହଞ୍ଚାଇବା ଦିଗରେ ସେଞ୍ଚୁରିୟନ ବିଶ୍ୱବିଦ୍ୟାଳୟର ପ୍ରୟାସ ଅନ୍ୟ ଶିକ୍ଷାନୁଷ୍ଠାନ ପାଇଁ ପ୍ରେରଣାଦାୟକ ବୋଲି ସେ ମତ ପ୍ରକାଶ କରିଥିଲେ।


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/09/Picsart_26-09-23_06-59-47-451-scaled.jpg)
