ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ସାଂସଦଙ୍କ ଅନୁଗୋଳ ଗସ୍ତ ଓ ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଶିଳାନ୍ୟାସ

ଆଠମଲ୍ଲିକର ଆର୍ଥିକ ଓ ସାମାଜିକ ପ୍ରଗତି ତ୍ୱରାନ୍ୱିତ ହେବ- ମାନ୍ୟବର ସାଂସଦ
ଅନୁଗୋଳ, ୦୭.୦୮ : ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଆଠମଲ୍ଲିକ ଗସ୍ତ କରି ଆଠମଲ୍ଲିକ ଅଞ୍ଚଳର ଭିତ୍ତିଭୂମିର ବିକାଶ ପାଇଁ ଅନେକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନା କରିବା ସହ ଶିଳାନ୍ୟାସ କରିଛନ୍ତି। ଜିଲ୍ଲାପାଳ ଶ୍ରୀ ଅବ୍ଦାଲ୍ ମୁହମ୍ମଦ୍ ଅଖ୍ତର ଏହି ଗସ୍ତ ସମୟରେ ଉପସ୍ଥିତ ରହି ସହଯୋଗ କରିଥିଲେ। ମାନ୍ୟବର ସାଂସଦ ୧.୫୭ କୋଟି ବ୍ୟୟରେ ବଡଟିକିରା ଠାରୁ ଟାଙ୍ଗିଆନିଶା ଏବଂ ୩.୭୮ କୋଟି ବ୍ୟୟରେ ଟାଙ୍ଗିଆନିଶା ଛତିଆ ସାହି ଠାରୁ ପଦ୍ମପୋଖରୀ ପର୍ଯ୍ୟନ୍ତ ପକ୍କା ସଡ଼କ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିବା ବେଳେ ୨୨ଲକ୍ଷ ଟଙ୍କା ବ୍ୟୟରେ ଆଠମଲ୍ଲିକ ଦୁର୍ଗାବଜାର ସ୍ଥିତ ଆରାଧ୍ୟା ଦେବୀ ମା’ ଦୁର୍ଗା ମନ୍ଦିରର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟୀକରଣ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି । ଏହା ସହ ୧.୬୨ କୋଟି ଟଙ୍କା ବ୍ୟୟରେ ପଶୁ ଡାକ୍ତରଖାନା ଛକ ଠାରୁ ମହାନଦୀ ସେତୁ ପର୍ଯ୍ୟନ୍ତ ନୂତନ ଆଲୋକୀକରଣ ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି। ଏହିସବୁ ପଦକ୍ଷେପ ଆଗାମୀ ଦିନରେ ସ୍ଥାନୀୟ ଲୋକଙ୍କ ଯାତାୟତକୁ ସୁଗମ ଓ ସୁରକ୍ଷିତ କରିବା ସହ ସମଗ୍ର ଅଞ୍ଚଳର ଆର୍ଥିକ ଓ ସାମାଜିକ ପ୍ରଗତିକୁ ଅଧିକ ତ୍ୱରାନ୍ୱିତ କରିବ ବୋଲି ମାନ୍ୟବର ସାଂସଦ କହିଛନ୍ତି। ଆଠମଲ୍ଲିକ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ମାଧପୁର ବସଷ୍ଟାଣ୍ଡ୍ ଠାରେ ନୂତନ ହାଇମାଷ୍ଟ ଲାଇଟ୍ ସ୍ଥାପନ ପାଇଁ ମଧ୍ୟ ସେ ଶିଳାନ୍ୟାସ କରିଥିଲେ। ଶେଷରେ ଆଠମଲ୍ଲିକ ସ୍ଥିତ ଦୁର୍ଗା ମନ୍ଦିରରେ ଦର୍ଶନ କରିବା ସହ ମା’ଙ୍କ ପାଖରେ ଜଗତର କଲ୍ୟାଣ କାମନା କରିଥିଲେ । ଏହି ଗସ୍ତ ସମୟରେ ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ତଥା ମାନ୍ୟବର ପାଲଲହଡ଼ା ବିଧାୟକ ଶ୍ରୀ ଅଶୋକ ମହାନ୍ତିଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ, କର୍ମକର୍ତ୍ତା, ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ।




