ପୋତି ହୋଇଗଲାଣି ଡ଼୍ରେନ, ଦୋକାନ ଗୁଡ଼ିକ ବର୍ଷା ଜଳରେ ଉବୁଟୁବୁ!
ତାଳଚେର, ୨୫/୦୮ ତାଳଚେର ସହର ମଧ୍ୟରେ ଯାଇଥିବା ୧୪୯ନଂ ଜାତୀୟ ରାଜପଥର ରାସ୍ତା ନିର୍ମାଣ ଯୋଗୁଁ ଦୁଇପାଶ୍ୱର୍ରେ ରହିଥିବା ଡ଼୍ରେନ ଗୁଡ଼ିକ ପୋତି ହୋଇଗଲାଣି । ଲଗାଣ ବର୍ଷା ଲାଗି ରହିଥିବାରୁ ଡ଼୍ରେନ ପୋତି ହୋଇଯିବା ଫଳରେ ବର୍ଷାପାଣି ଓ ଅନ୍ୟ ଆଡ଼ୁ ଆସୁଥିବା ବର୍ଷା ଜଳ ଦୋକାନ ଗୁଡ଼ିକରେ ପଶି ରହୁଥିବାରୁ ଏହି ଦୋକାନ ଗୁଡ଼ିକ କେବେ ଯେ, ଧରାସାଇ ହେବ ତାହା ଦେଖିବାକୁ କେବଳ ବାକି ରହିଛି । ନୂତନ ରାସ୍ତା ନିର୍ମାଣ ଯୋଗୁଁ ଗୋଟିଏ ପାଶ୍ୱର୍ରେ ଡ଼୍ରେନ ନିର୍ମାଣ କାମ ଚାଲୁ ରହିଛି । ରାସ୍ତାର ଉଚ୍ଚତା ସାଙ୍ଗକୁ ଡ଼୍ରେନର ଉଚ୍ଚତା ପୂର୍ବ ଅପେକ୍ଷା ଅଧିକ ବୃଦ୍ଧି ପାଉଥିବାରୁ ଦୋକାନ ଗୃହ ଗୁଡ଼ିକ ସେହି ୫ଫୁଟ ଗଭୀର ତଳେ ରହିଛି । ଫଳରେ ବର୍ଷାଜଳ ନିଷ୍କାସନ ନହୋଇ ଦୋକନରେ ପାଣି ପଶୁଥିବା ଅଭିଯୋଗ ହେଉଛି । ବାରମ୍ବାର ଅଭିଯୋଗ ସତ୍ୱେ ରାସ୍ତାରେ ନିୟୋଜିତ ଠିକାଦାର ଏହାକୁ ହାଲୁକା ଭାବେ ଗ୍ରହଣ କରୁଥିବାରୁ ଏପରି ଅବସ୍ଥା ସୃଷ୍ଟି ହେଉଥିବା ଅଭିଯୋଗ ହେଉଛି । ଏପରକି, ସାମାନ୍ୟ ବର୍ଷା ହେଲେ ମଧ୍ୟ ଉକ୍ତ ବର୍ଷାଜଳ ଦୋକାନ ଗୁଡ଼ିକରେ ପଶି ଯାଉଥିବାରୁ ଦୋକାନୀମାନେ ବର୍ଷବର୍ଷ ଧରି ସେହି ଦୋକାନରୁ ପରିବାରର ଗୁଜୁରାଣ ମେଟାଂଉଥିବା ବେଳେ ଏବେ ଆଶଙ୍କା ଭିତରେ ରହିଛନ୍ତି । ଆହୁରି ମଧ୍ୟ ଉକ୍ତ ଜାତୀୟ ରାଜପଥରେ ପାଣି ଟହଲ ମାରୁଥିବାରୁ ବାଇକ ଆରୋହୀ ଯିବାଆସିବା ସମୟରେ କାଦୁଅପାଣି ପଡ଼ି ଅସୁବିଧା ସୃଷ୍ଟି କରୁଛି । ତେଣୁ ଜାତୀୟ ରାଜପଥ ବିଭାଗ ପକ୍ଷରୁ ଏହି ରାଜପଥର ଉଭୟପାଶ୍ୱର୍ରେ ଡ଼୍ରେନ ସୁବିଧା କରିବା ସହ ଜମି ରହିଥିବା ବର୍ଷାଜଳ ଅତିଶିଘ୍ର ନିଷ୍କାସନ କରିବାକୁ ଅଂଚଳବାସୀ ଦାବି କରିଛନ୍ତି ।

August 25, 2026/
No Comments


