ଟ୍ରକ ଦୁର୍ଘଟଣାରେ ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର
ତାଳଚେର, ୨୫/୦୮ ପ୍ରାୟ ୧୦ଦିନ ପୂର୍ବରୁ ଏହି ରାଜପଥ ଉପରେ ତାଳଚେର ଟାଉନର ବୋହୁ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ବେଳେ ତାଙ୍କ ସ୍ୱାମୀ ଗୁରୁତର ଆହାତ ହୋଇଥିବା ଘଟଣା ମନରୁ ନଲିଭୁଣୁ ପୁଣି ଆଜି ଏହାର ପୁନରାବୃତି ଘଟିଯାଇଛି । ତାଳଚେର ଥାନା ଅନ୍ତର୍ଗତ ଚାଇଁପାଳ ଅଭରବ୍ରିଜ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ହିନ୍ଦୋଳ ଅଂଚଳର ସାବିତ୍ରୀ ବେହେରାଙ୍କ ଅକାଳ ବିୟୋଗ ଏବଂ ତାଙ୍କ ସ୍ୱାମୀ ଭୂବନ ବେହେରା ଗୁରୁତର ଆହାତ ହେବା ଖବର ଅତ୍ୟନ୍ତ ହୃଦୟ ବିଦାରକ ଖବର । ଆଜି ସକାଳୁ ତାଙ୍କ ସ୍କୁଟି ଯୋଗେ ନିଜଗ୍ରାମ କଂସରାରୁ କାମାକ୍ଷାନଗରରୁ ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ଖବରପାଇ ଘଟଣା ସ୍ଥଳରେ ପୋଲିସ୍ ପଂହଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ମୃତ ମହିଳାଙ୍କୁ ଶବବ୍ୟଚ୍ଛେଦ ପାଇଁ ସ୍ଥାନୀୟ ମେଡ଼ିକାଲକୁ ପଠାଇ ଦେଇଥିବା ଜଣାପଡ଼ିଛି । ତେବେ ୧୪୯ନଂ ଜାତୀୟ ରାଜପଥରେ ଦୈନନ୍ଦିନ ଦୁର୍ଘଟଣା ଘଟୁଥିଲେ ମଧ୍ୟ ସ୍ଥାନୀୟ ପ୍ରଶାସନର କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗୁନଥିବା ଚର୍ଚ୍ଚା ହେଉଛି । ପୂର୍ବରୁ ଅନୁଗୋଳ ଜିଲ୍ଳାପାଳ ଦୁର୍ଘଟଣା ଓ ପ୍ରଦ୍ୟୁଷଣକୁ ନଜରରେ ରଖି ଉକ୍ତ ଜାତୀୟ ରାଜପଥରେ ନୋଏଂଟ୍ରି ଲଗାଇବା ସହ ୨୦କିମି ବେଗରେ ଭାରୀଯାନ ଚଳାଚଳ କରିବାକୁ ନିୟମ କରିଥିଲେ । ଏହି ନିୟମକୁ କିଛି ଦିନ କଡ଼ାକଡ଼ି ପାଳନ ହେବା ପରେ ଏପରି କ’ଣ ହେଲା ଯେ, ନିୟମକୁ ବେଖାତିର କରି ଏବେ ଭାରୀଯାନ ଗୁଡ଼ିକ କ୍ଷିପ୍ରଗତିରେ ଯିବା ସହିତ ଇନ୍ଦ୍ରଚନ୍ଦ୍ର ମାନୁନଥିବା ଦେଖାଯାଉଛି । ଏସମ୍ପର୍କରେ ତାଳଚେର ଉପଜିଲ୍ଳାପାଳ ଆଶିଷରଞ୍ଜନ ସାହୁଙ୍କୁ ଆଲୋଚନା ମାଧ୍ୟମରେ ଜଣାଯାଇଥିଲା ଏବଂ ଉପଜିଲ୍ଳାପାଳ ଏହାକୁ ଦେଖିବେ ବୋଲି ପ୍ରକାଶ କରିଥିଲେ । ତେବେ ଉକ୍ତ ଜାତୀୟ ରାଜପଥ ୪ଲାଇନ୍ ହେବା ଯୋଗୁଁ ରାସ୍ତାଟି ଏବେ ଖାଲଖମାରେ ଭର୍ତି ହେବା ସହ ସଂକିର୍ଣ୍ଣ ଯୋଗୁଁ ଓ ରାସ୍ତାରେ ଭାରୀଯାନ ଗୁଡ଼ିକରୁ ନିର୍ଗତ ପାଉଁଲଶ କୋଇଲା, ଏପରି କି, ମୋବିଲ, ଗ୍ରୀସ୍ ପଡ଼ି ରହିବାରୁ ବାଇକ ଆରୋହୀମାନେ ନାହିଁନଥିବା ଅସୁବିଧାରେ ସମ୍ମୁଖୀନ ହେବା ସହ ଦୁର୍ଘଟଣାରରେ ମୃତାହତ ହେଉଥିବା ଅଭିଯୋଗ ହେଉଛି ।

August 25, 2026/
No Comments


