ପାନୀୟଜଳ ପାଇଁ ଆନ୍ଦୋଳନ
଼ତାଳଚେର, ୩୦/୦୮ ତାଳଚେର ବ୍ଲକ ଅନ୍ତର୍ଗତ କଣ୍ଢାଳ ପଂଚାୟତର ପ୍ରାୟ ୭୦ଭାଗ ଲିଙ୍ଗରାଜ କୋଇଲା ଖଣିରେ ଜମି ଅଧିଗ୍ରହଣ ହୋଇଥିବାରୁ ଏଠାରେ ବର୍ଷସାରା ଜଳସଙ୍କଟ ଦେଖାଦେଇଥାଏ । କାରଣ କୋଇଲା ଖଣି ୫୦ଫୁଟ୍ କୋଇଲା ଉତୋଳନ କରି ନେଇଯବା ପରେ ଭୂ-ତଳ ଜଳସ୍ତର ନିମ୍ନଗାମୀ ହୋଇଥାଏ ଓ କୂଅ, ପୋଖରୀ ସୁଖିଯାଇଥାଏ । ବର୍ଷା ଦିନକୁ ଛାଡ଼ି ଦେଲେ ଅନ୍ୟଦିନ ଗୁଡ଼ିକରେ ଜଳକଷ୍ଟ ଲାଗି ରହିଥାଏ । ବର୍ଷାଜଳରେ କୂଅ ପୋଖରୀ ପରିପୂର୍ଣ୍ଣ ହୋଇଥିଲେ ମଧ୍ୟ ଖଣି, ଏନଟିପିସି, ଜିନ୍ଦଲ ଯୋଗୁଁ ଏହା ଉପଯୋଗୀ ନୁହେଁ ବୋଲି ଗ୍ରାମବାସୀମାନେ ଏହା ଅଭିଯୋଗ କରିଛନ୍ତି । ତେଣୁ ବର୍ଷ ତମାମ ଲିଙ୍ଗରାଜ କର୍ତୁପକ୍ଷ ପାଇପ ଯୋଗେ ପାଣି ଯୋଗାଇ ଦେଉଥିଲେ ମଧ୍ୟ ୧୪୯ନମ୍ବର ଜାତୀୟ ରାଜପଥ ସଂପ୍ରସାରଣ ହେଉଥିବାରୁ କମ୍ପାନୀ ପାଇପ ଗୁଡ଼ିକୁ କାଟି ଦେଉଥିବାରୁ ଆଜକୁ ପ୍ରାୟ ୭ମାସ ହେବ ଏମସିଏଲ ପକ୍ଷରୁ ପାନୀୟଜଳ ବ୍ୟବସ୍ଥା ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । ସେହିପରି ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚକରି ପ୍ରତି ଗାଁକୁ ପାଣି ଟାଙ୍କି ନିର୍ମାଣ କରି ପ୍ରତ୍ୟେକ ଗାଁକୁ ପାଇପ ଯୋଗେ ଜଳ ଯୋଗାଇ ଦେଇଥାନ୍ତି । ମାତ୍ର ସେହି ୧୪୯ନଂ ରାଜପଥ କାର୍ଯ୍ୟ ଯୋଗୁଁ ସେହି ପାଇପ ଲାଇନ ଗୁଡ଼ିକୁ ମଧ୍ୟ ଠିକା କମ୍ପାନୀ କାଟି ଦେଉଥିବାରୁ ଆଜକୁ ୧ମାସ ହେବ ତାଳବେଡ଼ା ସମେତ ଏହାର ଆଖାପାଖ ଅଂଚଳବାସୀ ପାନୀୟଜଳ ପାଇଁ ଡ଼ହକବିଳକ ହେଉଥିବାରୁ ଆଜି ବାଧ୍ୟହୋଇ କମ୍ପାନୀର କାମକୁ ବନ୍ଦ କରି ଦିଆଯାଇଥିଲା । କଣ୍ଢାଳ ପଂଚାୟତର ସରପଂଚ ଯୋଶବନ୍ତୀ ବେହେରାଙ୍କ ନେତୃତ୍ୱରେ ଗ୍ରାମାବାସୀ ଆନ୍ଦୋଳନରେ ସାମିଲ ହୋଇଥିଲେ । ପ୍ରକାଶ ଥାଉକି ଏହି ଜଳକଷ୍ଟପାଇଁ ତାଳଚେର ଉପଜିଲ୍ଳାପାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସି ଏହାର ସମାଧାନ ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ କୌଣସି ଫଳ ମିଳିପାରି ନାହିଁ ବୋଲି ଗ୍ରାମବାସୀମାନେ ପ୍ରକାଶ କରିଛନ୍ତି । ଏସମ୍ପର୍କରେ ଉପଜିଲ୍ଳାପାଳଙ୍କୁ ପଚାରିବାରୁ ସେ କହନ୍ତି କି ଏନଏଚଆଇ କର୍ତୁପକ୍ଷ ସାଙ୍ଗେ କଥା ହୋଇ ପାନୀୟଜଳର ବ୍ୟବସ୍ଥା କରାଇବି ବୋଲି ପ୍ରକାଶ କରିଥିଲେ ।

August 30, 2026/
No Comments


