୧୧ରେ UAEରେ ପ୍ରବାସୀ ଓଡ଼ିଆଙ୍କୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ
ନିବେଶକଙ୍କ ସହ ଆଲୋଚନା, ‘ଓଡ଼ିଶା ଇନ୍ଭେଷ୍ଟର୍ସ ମିଟ୍’ରେ ଯୋଗଦେବେ ମୋହନ ମାଝୀ
ଭୁବନେଶ୍ୱର: ଓଡ଼ିଶାକୁ ଦେଶର ଏକ ପ୍ରମୁଖ ଶିଳ୍ପ ଓ ନିବେଶ କେନ୍ଦ୍ର ଭାବେ ଗଢ଼ି ତୋଳିବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଆଉ ଏକ ବିଦେଶ ଗସ୍ତ। ଆସନ୍ତାକାଲିଠାରୁ ସେ ପାଞ୍ଚ ଦିନିଆ ସଂଯୁକ୍ତ ଆରବ ଏମିରେଟ୍ସ (UAE) ଗସ୍ତରେ ଯିବେ। ଗସ୍ତ ସମୟରେ ବିଶ୍ୱସ୍ତରୀୟ ଶିଳ୍ପପତି ଓ ନିବେଶକଙ୍କ ସହ ଆଲୋଚନା କରି ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ସୁଯୋଗ ଓ ସମ୍ଭାବନା ଉପସ୍ଥାପନ କରିବେ।
ଏହି ଗସ୍ତର ଅନ୍ୟତମ ମୁଖ୍ୟ ଆକର୍ଷଣ ହେବ ସେପ୍ଟେମ୍ବର ୧୧ର ‘ଓଡ଼ିଶା ଇନ୍ଭେଷ୍ଟର୍ସ ମିଟ୍’। ଦୁବାଇରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଉଦ୍ୟୋଗପତି ଓ ନିବେଶକଙ୍କୁ ଭେଟି ଓଡ଼ିଶାରେ ନିବେଶର ବିଭିନ୍ନ ସୁଯୋଗ ସମ୍ପର୍କରେ ଆଲୋଚନା କରିବେ। ସେହିଦିନ ପ୍ରବାସୀ ଓଡ଼ିଆଙ୍କ ସହ ମଧ୍ୟ ବ୍ୟାପକ ମତବିନିମୟ କାର୍ଯ୍ୟକ୍ରମ ରହିଛି।
ନିବେଶ ଆଣିବାକୁ ଶିଳ୍ପ ଜଗତ ସହ ଆଲୋଚନା
ଗସ୍ତର ପ୍ରଥମ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ନୂଆଦିଲ୍ଲୀ ଯାଇ ସେଠାରୁ ଆବୁଧାବି ଯାତ୍ରା କରିବେ। ସେପ୍ଟେମ୍ବର ୯ରେ International Holding Company (IHC), Indian Business and Professional Group ଏବଂ ପେଟ୍ରୋକେମିକାଲ କମ୍ପାନୀ Borougeର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କରିବେ।
ସେହି ସନ୍ଧ୍ୟାରେ ଦୁବାଇରେ ‘One District One Product’ କାର୍ଯ୍ୟକ୍ରମ ଅଧୀନରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଉତ୍ପାଦିତ ସାମଗ୍ରୀର ପ୍ରଦର୍ଶନୀ ଉଦ୍ଘାଟନ କରାଯିବ।
UAE ମନ୍ତ୍ରୀଙ୍କ ସହ ବୈଠକ
ସେପ୍ଟେମ୍ବର ୧୦ରେ UAEର ଅର୍ଥନୀତି ଓ ପର୍ଯ୍ୟଟନ ମନ୍ତ୍ରୀ ତଥା Council of International Investmentsର ଅଧ୍ୟକ୍ଷ ଅବଦୁଲ୍ଲା ବିନ୍ ତକ୍ ଅଲ୍ ମାରିଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ସାକ୍ଷାତ ଆଲୋଚନା ହେବ।
ଏହାସହ Indian Business and Professional Council, Emirates Global Aluminiumର ଶୀର୍ଷ ଅଧିକାରୀଙ୍କ ସହ ଆଲୋଚନା ସହିତ Middle East Recycling Association ସହ ରାଉଣ୍ଡ ଟେବୁଲ ବୈଠକ ଏବଂ ଓଡ଼ିଶା ବିଜନେସ୍ ଡେଲିଗେସନ୍ ସହ ଆଲୋଚନା କାର୍ଯ୍ୟକ୍ରମ ରହିଛି।
ପ୍ରବାସୀ ଓଡ଼ିଆଙ୍କୁ ବିକାଶର ବାର୍ତ୍ତା
ସେପ୍ଟେମ୍ବର ୧୧ରେ ଦୁବାଇରେ ପ୍ରବାସୀ ଓଡ଼ିଆଙ୍କୁ ସମ୍ବୋଧନ କରି ରାଜ୍ୟର ବିକାଶମୂଳକ ପଦକ୍ଷେପ ଓ ନୂଆ ସୁଯୋଗ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଆଲୋକପାତ କରିବେ। ଏଥିସହ ଓଡ଼ିଶା ଓ UAE ମଧ୍ୟରେ ବାଣିଜ୍ୟିକ ଓ ସାଂସ୍କୃତିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବାକୁ ସେ ଆହ୍ୱାନ ଦେବେ।
ସେପ୍ଟେମ୍ବର ୧୨ରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଫେରିବେ।
ଓଡ଼ିଶାରେ ବୃହତ୍ ଶିଳ୍ପ ଓ ନିବେଶ ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ପୂର୍ବରୁ ଦେଶର ବିଭିନ୍ନ ରାଜ୍ୟ ସହିତ ସିଙ୍ଗାପୁର ଭଳି ବିଦେଶୀ ନିବେଶ କେନ୍ଦ୍ର ଗସ୍ତ କରି ନିବେଶକଙ୍କ ସହ ଆଲୋଚନା କରିଛନ୍ତି। UAE ଗସ୍ତ ମଧ୍ୟ ରାଜ୍ୟର ଶିଳ୍ପାୟନ ଓ ପୁଞ୍ଜିନିବେଶ କ୍ଷେତ୍ରରେ ନୂଆ ଅଧ୍ୟାୟ ଯୋଡ଼ିବ ବୋଲି ଆଶା କରାଯାଉଛି।
ମୁଖ୍ୟମନ୍ତ୍ରୀଙ୍କ ସହ ଶିଳ୍ପମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମେତ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ମଧ୍ୟ UAE ଗସ୍ତ କରୁଛନ୍ତି।



