ତାଳଚେର ବାଇପାସ୍ ଟ୍ରାଫିକ ଛକ ‘ନର୍କକୁଣ୍ଡରୁ କମନୁହଁ’
ବଡ଼ ଦୟନୀୟ ଅବସ୍ଥାରେ ଯାତାୟତ କରୁଛନ୍ତି ଲୋକେ!
ବାବୁଭାୟା ଓ ନେତାଙ୍କୁ ହେଉନି ଦୃଶ୍ୟ, କହିବ କାହାକୁ ଶୁଣିବ କିଏ?
ତାଳଚେର, ୧୨/୦୯ ତାଳଚେର ନିଜକୁ ବ୍ଲାକ ଡ଼ାଇମଣ୍ଡ ବା କଳାହୀରା ସହରଭାବେ ସାରା ଭାରତରେ ପରିଚୟ ସୃଷ୍ଟି କରିଥିବା ବେଳେ ଆଜି ନିଜଭାଗ୍ୟକୁ ଆଦରି ସମୟ ଅତିବାହିତ କରୁଛି, ତତ୍ ସହିତ ମାଟି ମା’ର ବକ୍ଷରେ ଯେଉଁମାନେ ବସବାସ କରୁଛନ୍ତି ସେମାନଙ୍କ ଦୁର୍ଦ୍ଦଶା ବି କିଛି କମ ନୁହେଁ । ବର୍ଷ ତମାମ ଖରା, ଧୂଳିଧୂଆଁ ଖାଇବା ସହ ଋତୁ ପରିବର୍ତନ ହେଲ କାଦୁଅ ପଚପଚ ରାସ୍ତା ସହରବାସୀଙ୍କୁ ଦେଉଛି ଯମ ଯନ୍ତ୍ରଣା । ହଁ ଏହା ମଧ୍ୟ ଚର୍ଚ୍ଚା ହେଉଛି ଯେ, ତାଳଚେର ବାଇପାସ୍ ଟ୍ରାଫିକ ଛକର ଉଭୟପାଶ୍ୱର୍ରେ ଖାଲଖମଣ ହେବା ସହିତ ପାଣିଜମି ଏକ ନର୍କକୁଣ୍ଡରେ ପରିଣତ ହେଉଛି । ଏହା କେବଳ ଯାତାୟତ ସମସ୍ୟା ନୁହଁ, ଜନସାଧାରଣଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷା ସହିତ ଜଡ଼ିତ । ରାସ୍ତା କଡ଼ରେ ରହିଥିବା ଡ଼୍ରେନର ନର୍ଦ୍ଦମା ପାଣି ରାସ୍ତା ଉପରକୁ ଉଠି ଆସି ନିକଟରେ ଥିବା ଦୋକାନଗୃହ ଗୁଡ଼ିକ ଭିତରେ ମଧ୍ୟ ପ୍ରବେଶ କରି ଏକ ଅପ୍ରିତୀକର ପରିବେଶ ସୃଷ୍ଟି କରିବା ସହ ଲୋକଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ବିପଦ ସୃଷ୍ଟି କରୁଛି । ଏପରି ପରିବେଶରେ ବିଭିନ୍ନ ସରକାରୀ, ବେସରକାରୀ କାର୍ଯ୍ୟାଳୟ, ଦୋକାନ ବଜାର, ପଥଚାରୀ, ବାଇକ ଆରୋହୀ, ସ୍କୁଲପିଲା, କଲେଜ ଛାତ୍ରଛାତ୍ରୀ ଓ ମେଡ଼ିକାଲକୁ ଯିବାକୁ ହେଲେ ବାଇପାସ୍ ଟ୍ରାଫିକ ଛକକୁ ଅତିକ୍ରମ କରିବାକୁ ପଡେ ।଼ ଯାହା ଅସରାଏ ବର୍ଷାରେ ସହରର ମୁଖ୍ୟ ରାସ୍ତା ଉପରେ ପାଣିର ସୂଅ ଛୁଟିବା ସହ ବାଇପାସ୍ ରାସ୍ତାର ଉଭୟପାଶ୍ୱର୍ରେ ପାଣି କାଦୁଅରୁ ବସ୍ତ୍ର, ପୋଷାକ ସୁରକ୍ଷା କରିବା ନେଇ ପଥଚାରୀମାନେ ଗୋଡ଼ ଟେକି ଟେକି ଯାଉଥିବା ଦୃଶ୍ୟ ମଧ୍ୟ ପରିଲକ୍ଷିତ ହୋଇଛି । ବାଇପାସ୍ ଟ୍ରାଫିକ ଛକ ରାସ୍ତା ଓ ନିକଟରେ ରହିଥିବା ୟୁକୋବ୍ୟାଙ୍କ ସମ୍ମୁଖ ରାସ୍ତା ସାମାନ୍ୟ ବର୍ଷାରେ ଯେମିତି ଏକ ନଦୀବନ୍ଧରେ ପରିଣତ ହେଉଛି ବୋଲି ପଥଚାରୀ ଓ ନିକଟସ୍ଥ ମାର୍କେଟ ବ୍ୟବସାୟୀମାନେ ପ୍ରାୟ ସମୟରେ ଅଭିଯୋଗ କରୁଛନ୍ତି । ତାଳଚେର ଅଂଚଳରୁ କୋଟି କୋଟି ଟଙ୍କା ଉଭୟ ସରକାର ରାଜସ୍ୱ ନେଉଥିଲେ ହେଁ ତାଳଚେରର ବିକାଶ ଦିଗରେ ଏତେ ପଛଘୁଂଚା କାହିଁକି? ଏଠି ଲୋକପ୍ରତିନଧି ନା ପ୍ରଶାସନ କେହି ହେଲେ ସାମାନ୍ୟତମ ଦୃଷ୍ଟି ଦେଉନଥିବା ତାଳଚେର ପାଇଁ ଏକ ଅଭିଶପ୍ତ ପାଲଟିଛି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ସହରର ମୁଖ୍ୟ ବାଇପାସ୍ ଟ୍ରାଫିକ ଛକ ରାସ୍ତାଟିର ଅବସ୍ଥା ଏତେ ଶୋଚନୀୟ ତାହା ହେଲେ ସହରର ଅନ୍ୟ ସ୍ଥାନ ଗୁଡ଼ିକର ଅବସ୍ଥା କ’ଣ ହୋଇଥାଏ ପାରେ ବୋଲି ଅଂଚଳବାସୀ ମତ ରଖୁଛନ୍ତି । ଆହୁରି ମଧ୍ୟ ତାଳଚେରର ବିଭିନ୍ନ ଦୁର୍ଦ୍ଦଶା ଖବର ସର୍ବଦା ସୋସିଆଲ ମିଡ଼ିଆରେ ଘୂରୀବୁଲୁ ଥିବା ବେଳେ କିପରି କାହାକୁ ଜଣାପଡ଼ୁ ନାହିଁ ନା’ ଜାଣି ଅଜଣା ହେଉଛନ୍ତି ତାହା ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ତେଣୁ ତୁରନ୍ତ ପ୍ରଶାସନ ଏଥିପ୍ରତି ଧ୍ୟାନ ଦେବାକୁ ସାଧାରଣରେ ଦାବି ହେଉଛି ।

September 13, 2026/
No Comments


