୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରପ୍ତାନି ପାଇଁ RCMC ଆବଶ୍ୟକତାରେ ଛାଡ଼
ନୂଆଦିଲ୍ଲୀ: ଛୋଟ ରପ୍ତାନିକାରୀ, ଏମ୍ଏସ୍ଏମ୍ଇ ଏବଂ ପ୍ରଥମଥର ପାଇଁ ରପ୍ତାନି କରୁଥିବା ବ୍ୟବସାୟୀଙ୍କ ପାଇଁ କେନ୍ଦ୍ର ସରକାର ଅନୁପାଳନ ପ୍ରକ୍ରିୟାକୁ ସହଜ କରିଛନ୍ତି। ଏଣିକି ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରପ୍ତାନି ମାଲ୍ର ଶିପ୍ମେଣ୍ଟ ପାଇଁ ରେଜିଷ୍ଟ୍ରେସନ୍-କମ୍-ମେମ୍ବରସିପ୍ ସାର୍ଟିଫିକେଟ୍ (RCMC) କିମ୍ବା ରେଜିଷ୍ଟ୍ରେସନ୍ ସାର୍ଟିଫିକେଟ୍ର ଆବଶ୍ୟକତା ରହିବ ନାହିଁ।
ବିଦେଶ ବାଣିଜ୍ୟ ମହାନିର୍ଦ୍ଦେଶାଳୟ (DGFT) ବିଦେଶ ବାଣିଜ୍ୟ ନୀତି, ୨୦୨୩ର ଅନୁଚ୍ଛେଦ ୨.୫୭ରେ ସଂଶୋଧନ କରି ଏହି ବ୍ୟବସ୍ଥା ଲାଗୁ କରିଛି। ଏହା ଅନୁସାରେ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ FOB ମୂଲ୍ୟର ରପ୍ତାନି ଶିପ୍ମେଣ୍ଟ ପାଇଁ, ଯେଉଁ କ୍ଷେତ୍ରରେ RCMC କିମ୍ବା ରେଜିଷ୍ଟ୍ରେସନ୍ ସାର୍ଟିଫିକେଟ୍ ଆବଶ୍ୟକ ଥିଲା, ସେଠାରେ ଏହି ଛାଡ଼ ଲାଗୁ ହେବ। ତେବେ ୩ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ରପ୍ତାନି ପାଇଁ ପୂର୍ବବତ୍ ନିୟମ ଲାଗୁ ରହିବ।
ଗତ ପାଞ୍ଚ ବର୍ଷର ତଥ୍ୟରୁ ଜଣାପଡ଼ିଛି ଯେ କମ୍ ମୂଲ୍ୟର ରପ୍ତାନି ଶିପିଂ ବିଲ୍ରେ ବଡ଼ ଅଂଶ ରଖୁଥିଲେ ମଧ୍ୟ ମୋଟ ରପ୍ତାନି ମୂଲ୍ୟରେ ସେମାନଙ୍କ ଅଂଶ ଅତ୍ୟନ୍ତ କମ୍। ୩,୦୦୦ ଆମେରିକୀୟ ଡଲାର ପର୍ଯ୍ୟନ୍ତ ମାଲ୍ର ଶିପିଂ ବିଲ୍ରେ ପ୍ରାୟ ୪୩ ପ୍ରତିଶତ ଅଂଶ ଥିବାବେଳେ ମୋଟ ଭାରତୀୟ ମାଲ୍ ରପ୍ତାନି ମୂଲ୍ୟରେ ଏହାର ଅଂଶ ପ୍ରାୟ ୦.୮୬ ପ୍ରତିଶତ।
ନୂଆ ବ୍ୟବସ୍ଥାରେ ଛୋଟ ବ୍ୟବସାୟୀ, କାରିଗର, ଏମ୍ଏସ୍ଏମ୍ଇ ଏବଂ ପ୍ରଥମଥର ରପ୍ତାନିକାରୀମାନେ ଅଧିକ ସହଜରେ ବିଦେଶୀ ବଜାରରେ ପ୍ରବେଶ କରିପାରିବେ। ବିଶେଷକରି କମ୍ ମୂଲ୍ୟର ମାଲ୍ ରପ୍ତାନି କରୁଥିବା ଉଦ୍ୟୋଗୀଙ୍କୁ ରପ୍ତାନି ପୂର୍ବରୁ RCMC ପାଇବା ପାଇଁ ଅତିରିକ୍ତ ପଞ୍ଜୀକରଣ ପ୍ରକ୍ରିୟା ଦେଇ ଯିବାକୁ ପଡ଼ିବ ନାହିଁ।
ଡାକ, କୁରିଅର୍, ଇ-କମର୍ସ ଏବଂ ଅନ୍ୟାନ୍ୟ ନୂଆ ରପ୍ତାନି ମାଧ୍ୟମ ପାଇଁ ମଧ୍ୟ ଏହି ନିଷ୍ପତ୍ତି ସୁବିଧାଜନକ ହେବ ବୋଲି ଆଶା କରାଯାଉଛି। ଛୋଟ ବ୍ୟବସାୟୀମାନେ ପ୍ରଥମେ ସୀମିତ ପରିମାଣର ମାଲ୍ ରପ୍ତାନି କରି ଅନ୍ତର୍ଜାତୀୟ ବଜାରର ଚାହିଦା ପରୀକ୍ଷା କରିବା ସହ ନିଜର ରପ୍ତାନି ରେକର୍ଡ ଗଢ଼ିପାରିବେ।
ବ୍ୟବସାୟ ବୃଦ୍ଧି ପାଇ ୩ ଲକ୍ଷ ଟଙ୍କା ସୀମା ଅତିକ୍ରମ କଲେ ସମ୍ପୃକ୍ତ ରପ୍ତାନି ପ୍ରୋତ୍ସାହନ ପରିଷଦ (EPC) କିମ୍ବା କମୋଡିଟି ବୋର୍ଡର ସଦସ୍ୟତା ଗ୍ରହଣ କରି RCMC ପାଇପାରିବେ। ଏହା ମାଧ୍ୟମରେ ରପ୍ତାନି ପ୍ରୋତ୍ସାହନ, ବଜାର ପ୍ରବେଶ ଏବଂ ଅନ୍ୟାନ୍ୟ ସଂସ୍ଥାଗତ ସହାୟତା ମିଳିପାରିବ।
ସରକାରଙ୍କ ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଛୋଟ ରପ୍ତାନିକାରୀଙ୍କ ଅନୁପାଳନ ଭାର କମାଇବା, ଏମ୍ଏସ୍ଏମ୍ଇଙ୍କ ଅଂଶଗ୍ରହଣ ବଢ଼ାଇବା ଏବଂ ଅନ୍ତର୍ଜାତୀୟ ବାଣିଜ୍ୟକୁ ଅଧିକ ସହଜ ଓ ସୁଗମ କରିବା।



