ସେବା ସଂକଳ୍ପ ଅଭିଯାନ-୨୦୨୬: ମାନ୍ୟବର ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀଙ୍କ ପ୍ରସ୍ତୁତି ବୈଠକ ।
ଅନୁଗୋଳ, ତା. ୧୬.୦୯:— ଦେଶ ସାରା ସେବା, ସୁଶାସନ ଏବଂ ଜନକଲ୍ୟାଣକୁ ବ୍ୟାପକ କରିବା ଲକ୍ଷ୍ୟରେ ସେପ୍ଟେମ୍ବର ୧୭ ତାରିଖରୁ ଅକ୍ଟୋବର ୧୨ ତାରିଖ ପର୍ଯ୍ୟନ୍ତ ମାସ ବ୍ୟାପୀ ସେବା ସଂକଳ୍ପ ଅଭିଯାନ ଆରମ୍ଭ ହେବାକୁ ଯାଉଛି । ଏହି ଉପଲକ୍ଷେ ଆଜି ଅପରାହ୍ନରେ ସ୍ଥାନୀୟ ସର୍କିଟ ହାଉସ୍ ସମ୍ମିଳନୀ କକ୍ଷଠାରେ ମାନ୍ୟବର ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯାନରେ ରାଜ୍ୟର ପ୍ରତ୍ୟେକ ନାଗରିକଙ୍କୁ ସାମିଲ କରିବା ପାଇଁ ବିଭିନ୍ନ ବିଭାଗ ତରଫରୁ ମାସ ବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ମିଶନ ଶକ୍ତି, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ସଂସ୍କୃତି ବିଭାଗ, ମହିଳା ଓ ଶିଶୁ ବିକାଶ, ସୂଚନା ଓ ଲୋକ ସମ୍ପର୍କ, ପଞ୍ଚାୟତି ରାଜ, ଗ୍ରାମ୍ୟ ଉନ୍ନୟନ, ଏମ୍.ଏସ୍.ଏମ୍.ଇ ଆଦି ବିଭାଗ ଦ୍ୱାରା ଆଶୀର୍ବାଦ ଦୀପ, ପଦଯାତ୍ରା, ମାନବ ଶୃଙ୍ଖଳ, ପରିବର୍ତ୍ତନର କାହାଣୀ, ସେବା ଜ୍ୟୋତି ଯାତ୍ରା, ପଥ ପ୍ରାନ୍ତ ନାଟକ, ସେବା ସେତୁ ଅଭିଯାନ ଭଳି କାର୍ଯ୍ୟକ୍ରମର ଆୟୋଜନ କରାଯିବ । ସେହିପରି ବୃକ୍ଷ ରୋପଣ, ରକ୍ତଦାନ ଶିବିର କରାଯାଇ ଜନସଚେତନତା ସୃଷ୍ଟି କରାଯିବାର ଲକ୍ଷ୍ୟ ରଖାଯାଇଛି ।
ଏହି ବୈଠକରେ ବିଭାଗୀୟ ଅଧିକାରୀମାନଙ୍କ ମଧ୍ୟରେ ସହଯୋଗ ସମନ୍ୱୟ ସହ ବିଭିନ୍ନ କାର୍ଯ୍ୟକ୍ରମର ଡକ୍ୟୁମେଣ୍ଟେସନ୍ କରି ତାହାର ବ୍ୟାପକ ପ୍ରଚାର ପ୍ରସାର କରିବାକୁ ଜିଲ୍ଲାପାଳ ଶ୍ରୀ ଅବଦାଲ୍ ମୁହମ୍ମଦ୍ ଅଖତର ନିର୍ଦ୍ଦେଶ ଦେଇଛନ୍ତି । ସେବା ପର୍ବ ଦ୍ୱାରା ଅନ୍ତ୍ୟୋଦୟ ନାଗରିକ ଯେପରି ଉପକୃତ ହୋଇପାରିବେ ସେଥିପାଇଁ କାର୍ଯ୍ୟ କରିବାକୁ ମାନ୍ୟବର ମନ୍ତ୍ରୀ ଉପଦେଶ ଦେଇଥିଲେ । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଉଦୟ କୁମାର ମହାପାତ୍ର, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଦେବଦତ୍ତ ମହନ୍ତ, ଅନୁଗୋଳ ଉପଜିଲ୍ଲାପାଳ ଶ୍ରୀ ମାୟାଧର ବେହେରାଙ୍କ ସମେତ ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

September 16, 2026/
No Comments


