କପିଳାସ ପୀଠରେ ଜାଗର ଯାତ୍ରା ନିମନ୍ତେ ଦ୍ୱିତୀୟ ପ୍ରସ୍ତୁତି ବୈଠକ
ଢେଙ୍କାନାଳ ତା ୦୭.୦୨.୨୦୨୩ – ଆସନ୍ତା ୧୮ ତାରିଖରେ ପ୍ରଭୁ ଶ୍ରୀ ଶ୍ରୀ ଚନ୍ଦ୍ର ଶେଖର ଜୀଉଙ୍କ କପିଳାସ ପୀଠରେ ମହାଶିବ ରାତ୍ରି ଜାଗର ଯାତ୍ରା ପର୍ବ ଆୟୋଜନ ନିମନ୍ତେ ଆଜି କପିଳାସ ପୀଠ ଠାରେ ଦ୍ୱିତୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ମାନ୍ୟବର ସଦର ବିଧାୟକ ଶ୍ରୀଯୁକ୍ତ ସୁଧୀର କୁମାର ସାମଲ , ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅର୍ଜନା ପୁହାଣ , ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ , ଆରକ୍ଷୀ ଅଧୀକ୍ଷକ ଶ୍ରୀ ଜ୍ଞାନ ରଞ୍ଜନ ମହାପାତ୍ର , ଦେବୋତ୍ତର ଅଧିକାରୀ ତଥା ଉପଜିଲ୍ଲାପାଳ ସୁଶ୍ରୀ ସ୍ନିଗ୍ଧା ରାଣୀ ଧଳ , ପ୍ରମୁଖ ସେବାୟତ ଶ୍ରୀ ପଞ୍ଚାନନ ମହାପାତ୍ର , ଗନ୍ଦିଆ ବିଡ଼ିଓ ଆଶିଷ ରଞ୍ଜନ ସାହୁ , ଯୋରନ୍ଦା ସରପଞ୍ଚ ଶ୍ରୀ ବିଜୟ କୁମାର ଦେହୁରୀ , ଗନ୍ଦିଆ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ରୀନାରାଣୀ ଖଟୁଆ , ସମସ୍ତ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି ଜାଗର ଯାତ୍ରା କିପରି ଶାନ୍ତି ଶୃଙ୍ଖଳାର ସହିତ ପାଳନ କରାଯିବ ସେ ସମ୍ପର୍କରେ ବିଷଦ ଆଲୋଚନା କରିଥିଲେ । ଜୀଉଙ୍କ ଗର୍ଭଗୃହରେ ପାଣି ଗଳୁଥିବାରୁ ଏହାକୁ ଯଥାଶୀଘ୍ର ମରାମତି କରିବା ନିମନ୍ତେ ବିହିତ ବ୍ୟବସ୍ଥା କରିବାକୁ ମାନ୍ୟବର ବିଧାୟକ ଗୁରୁତ୍ବାରୋପ କରିଥିଲେ । ସମସ୍ତ ସେବାୟତ , ବିଭାଗୀୟ ଅଧିକାରୀ ଓ ସମ୍ପୃକ୍ତ ସମସ୍ତ କର୍ମ କର୍ତ୍ତା ଶାନ୍ତି ଶୃଙ୍ଖଳାର ସହିତ ଭକ୍ତି ଭାବରେ ଜାଗର ଯାତ୍ରା ସମାପନ କରି ଶ୍ରୀ ଶ୍ରୀ ଚନ୍ଦ୍ର ଶେଖର ଜୀଉ ଙ୍କ ମହିମା ବୃଦ୍ଧି କରିବାକୁ ଆଶାବ୍ୟକ୍ତ କରିଥିଲେ । ମନ୍ଦିର ବେଢା ମଧ୍ୟରେ ଖରା ବର୍ଷାକୁ ଦୃଷ୍ଟିରେ ରଖ୍ ଶ୍ରଦ୍ଧାଳୁ ମାନଙ୍କ ପାଇଁ ପ୍ଲାଷ୍ଟିକ ଚଦରର ଛାତ ନିର୍ମାଣ କରାଯିବ ବୋଲି ନିଷ୍ପତ୍ତି ହୋଇଛି । ପୀଠର ବଡଦାଣ୍ଡ ପ୍ରଶସ୍ଥ କରାଯିବା ସହିତ ପ୍ରଭୁଙ୍କ ପୀଠର ସୌନ୍ଦର୍ଯ୍ୟ ବୃଦ୍ଧି କରାଯିବ । ଜଗର ଯାତ୍ରାର ସୁପରିଚାଳନା ନିମନ୍ତେ ପାନୀୟ ଜଳ ଯୋଗାଣ , ଭ୍ରାମ୍ୟମାଣ ଶୌଚାଳୟ , ପୀଠର ପରିଷ୍କାର ପରିଚ୍ଛନ୍ନତା , ପର୍ଯ୍ୟାପ୍ତ ଆଲୋକ ବ୍ୟବସ୍ଥା , ଯାନବାହାନ ନିୟନ୍ତ୍ରଣ , ପାକିଂ ବ୍ୟବସ୍ଥା , ସ୍ଥାନୀୟ ଅଞ୍ଚଳର ସ୍ୱେଚ୍ଛାସେବୀ ଯୁବକ ମୁତୟନ , ଆଶୁଚିକିତ୍ସା ବ୍ୟବସ୍ଥା ଓ ଆମ୍ବୁଲାନ୍ସ ମୁତୟନ , ପୀଠକୁ ଶ୍ରଦ୍ଧାଳୁ ନିମନ୍ତେ ପରିବହନ ବ୍ୟବସ୍ଥା , ପାହାଚ ଓ ବାରବାଙ୍କ ରାସ୍ତାରେ ବିଶ୍ରାମ ନିମନ୍ତେ ରହଣି ବ୍ୟବସ୍ଥା , ଅଗ୍ନି ନିର୍ବାପନ ଆଦି ସମ୍ପର୍କରେ ଆଲୋଚନା ହୋଇଥିଲା ।




