ଭୁବନେଶ୍ୱର – ରାଜ୍ୟ ପ୍ରଶାସନର ସଚିବସ୍ତରୀୟ ବୈଠକ ଆଜି ଅପରାହ୍ନରେ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଖାରବେଳ ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି ।
ବୈଠକରେ ବିଭିନ୍ନ ବିଭାଗରେ ଖାଲି ରହିଥିବା ବିଭିନ୍ନ ପଦବୀଗୁଡିକ ପୂରଣ କରିବା ସହ ପଡିରହିଥିବା ପେନସନ ମାମଲାଗୁଡିକୁ ଧ୍ୟାନ ଦେଇ ପଦକ୍ଷେପକୁ ତ୍ୱରାନ୍ୱିତ କରାଯିବା ସଂପର୍କରେ ବୈଠକରେ ଆଲୋଚନା କରାଯାଇଛି ।
ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଦ୍ୱାରା ଜନକଲ୍ୟାଣକାରୀ କାର୍ଯ୍ୟକ୍ରମଗୁଡିକର ପ୍ରଚାର ପ୍ରସାର ପରିପ୍ରେକ୍ଷୀରେ ସୂଚନା ଓ ଲୋକସଂପର୍କ ବିଭାଗ ଏବଂ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ କରାଯାଉଥିବା ସୂଚନା, ଶିକ୍ଷା ଓ ଯୋଗାଯୋଗ ବ୍ୟବସ୍ଥା ଏବଂ ଲୋକ କଳାକାରମାନଙ୍କ ଦ୍ୱାରା ଜନସଚେତନତା କାର୍ଯ୍ୟକ୍ରମ ସଂପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା ।
ବୈଠକରେ ଉପସ୍ଥାପିତ ବିଭିନ୍ନ କାର୍ଯ୍ୟସୂଚୀ ମଧ୍ୟରେ ପ୍ରଥମେ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ମହା ନିର୍ଦ୍ଦେଶକ ଶ୍ରୀଯୁକ୍ତ ଶର୍ମା ଏକାଡେମୀରେ ବିଭିନ୍ନ ପ୍ରଶିକ୍ଷଣ ପ୍ରକ୍ରିୟାର ଆଧୁନିକୀକରଣ କରାଯାଇଥିବା ପ୍ରକାଶ କରିବା ସହିତ ସରକାରୀ ଅଧିକାରୀ,ଯନ୍ତ୍ରୀ ଓ କର୍ମଚାରୀମାନଙ୍କ ପାଇଁ ପ୍ରଶିକ୍ଷଣର ଆବଶ୍ୟକତା ସଂପର୍କରେ ଆଲୋକପାତ କରିଥିଲେ ।
ବିଭିନ୍ନ ବିଭାଗରେ ନୂତନ ଭାବେ ନିଯୁକ୍ତି ପାଇଥିବା ଅଧିକାରୀମାନଙ୍କୁ ପ୍ରଶିକ୍ଷଣ ସହ ସେକ୍ସନ ଅଫିସର, ଡେକ୍ସ ଅଫିସର, ବିଭାଗୀୟ ଅଧିକାରୀ ତଥା ଉପ ବିଭାଗୀୟ ଅଧିକାରୀ ଏବଂ ଉପଶାସନ ସଚିବ ମାନଙ୍କ ନିମନ୍ତେ ନୋଟିଂ ଓ ଡ୍ରାଫିଂ ଦକ୍ଷତା ବୃଦ୍ଧି ପାଇଁ ପ୍ରଶିକ୍ଷଣ ସହିତ ବରିଷ୍ଠ ଅଧିକାରୀମାନଙ୍କୁ କର୍ପୋରେଟ୍ ମାର୍ଗଦର୍ଶିକା ନିୟମାବଳୀ ଓ କମ୍ପାନୀ ଆଇନ ସଂପର୍କରେ ପ୍ରଶିକ୍ଷଣ ପ୍ରସ୍ତାବ ଆଲୋଚନା କରାଯାଇଛି । ଅନ୍ୟ ପକ୍ଷରେ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀରେ 2ଟି ଛାତ୍ରାବାସ ନିର୍ମାଣ ଏବଂ ଭିତ୍ତିଭୂମିର ଉନ୍ନତି ସଂପର୍କରେ ବେଠକରେ ଆଲୋଚନା କରାଯାଇଥିଲା । ସବୁ ବିଭାଗର ସଚିବମାନଙ୍କୁ ସେମାନଙ୍କ ବିଭାଗରେ ପ୍ରଶିକ୍ଷଣ ଆବଶ୍ୟକତା ସମ୍ପର୍କରେ ଯଥାଶିଘ୍ର ପ୍ରସ୍ତାବ ପ୍ରେରଣ କରିବାକୁ କୁହାଯାଇଛି ।
ବୈଠକରେ ଅର୍ଥ ବିଭାଗ ତରଫରୁ 2023-24 ଆର୍ଥିକ ବର୍ଷ ପାଇଁ ଜୁନ ମାସ ସୁଦ୍ଧା ରାଜ୍ୟ ବଜେଟ୍ ଅନୁମୋଦନ ଓ ଅଦ୍ୟାବଧି କରାଯାଇଥିବା ଖର୍ଚ୍ଚ ସଂପର୍କରେ ଉପସ୍ଥାପନ କରାଯାଇଥିଲା । ଧାର୍ଯ୍ୟ ଲକ୍ଷ୍ୟ ଅନୁସାରେ କାର୍ଯ୍ୟ ତ୍ୱରାନ୍ୱିତ କରି ଅର୍ଥ ବିନିଯୋଗ ଉପରେ ମୁଖ୍ୟ ଶାସନ ସଚିବ ବୈଠକରେ ଗୁରୁତ୍ୱାରୋପ କରିଛନ୍ତି । ବିଭିନ୍ନ କ୍ଷେତ୍ରରେ ରାଜ୍ୟକୁ ପ୍ରାପ୍ତ କେନ୍ଦ୍ରୀୟ ଅନୁଦାନ ସ୍ୱତନ୍ତ୍ର ସହାୟତା ଅର୍ଥର ବିନିଯୋଗ ସଂପର୍କରେ ମଧ୍ୟ ବୈଠକରେ ଗୁରୁତ୍ୱାରୋପ କରାଯାଇଛି ।
ଆହୁରି ମଧ୍ୟ ବୈଠକରେ ଅଣୁ, କ୍ଷୁଦ୍ର,ମଧ୍ୟମ ଉଦ୍ୟୋଗ ଦ୍ୱାରା ରୂପାନ୍ତରୀକରଣ ପଦକ୍ଷେପ ସ୍ୱରୂପ ଇ-କମର୍ସ ପୋର୍ଟାଲ ଜରିଆରେ ଏମଏସଏମଇ ଉତ୍ପାଦର ରପ୍ତାନିକୁ ପ୍ରୋତ୍ସାହିତ କରାଯିବା ସଂପର୍କରେ ବିଭାଗ ତରଫରୁ ପ୍ରସ୍ତାବ ଉପସ୍ଥାପନ କରାଯାଇଥିଲା । ସେହିପରି ସରକାରୀ କାର୍ଯ୍ୟାଳୟରେ ବିଦ୍ୟୁତ ଶକ୍ତି ସଂରକ୍ଷଣ କରି ଶକ୍ତି କ୍ଷମତାର ଉପଯୁକ୍ତ ବ୍ୟବହାର ସଂପର୍କରେ ପଦକ୍ଷେପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗରେ ଆବଶ୍ୟକ ଥିବା ପ୍ରଶାସନିକ ସଂସ୍କାର. ବିଭିନ୍ନ ଜିଲ୍ଲା ଓ ବିଭାଗରେ କରାଯାଉଥିବା ଜନ ଅଭିଯୋଗ ଶୁଣାଣି ପ୍ରକ୍ରିୟାରେ ଫଇସଲା ହୋଇନପାରି ନଥିବା ମାମଲାଗୁଡିକ ପ୍ରତି ସଚିବମାନେ ଗୁରୁତ୍ୱ ଦେବାକୁ ବୈଠକରେ ଗୁରୁତ୍ୱ ଦିଆଯାଇଛି । ସେହିପରି ତତ୍ ସହିତ ସାମାଜିକ ଅର୍ଥନୈତିକ ପରିବର୍ତ୍ତନ ଉନ୍ନତି ପ୍ରକଳ୍ପ (ସେତୁ) ଅଧିନରେ ମାଲକାନଗିରି ଜିଲ୍ଲା ‘ସ୍ୱାଭିମାନ ଅଂଚଳ’ର ଉନ୍ନତି ଏବଂ ‘କେବିକେ’ ଅଂଚଳର ବିକାଶ ପରିପ୍ରେକ୍ଷୀରେ ବିଭିନ୍ନ ବିଭାଗମାନେ ଜାରି ରହିଥିବା କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବାକୁ ବୈଠକରେ ଗୁରୁତ୍ୱାରୋପ କରାଯାଇଛି ।
ବୈଠକ ପ୍ରାରମ୍ଭରେ ‘ଜଳଜୀବନ ମିଶନ’ ଅଧିନରେ ଦେଶରେ ଟ୍ୟାପ୍ ଜଳ ଯୋଗାଣ କ୍ଷେତ୍ରରେ ଆକାଂକ୍ଷିତ ଜିଲ୍ଲା ମଧ୍ୟରେ ଉଚ୍ଚ ସଫଳତା ପାଇଥିବା ନୂଆପଡା ଜିଲ୍ଲାକୁ ପ୍ରମାଣପତ୍ର ପ୍ରଦାନ କରାଯାଇଛି । ଏହି ପରିପ୍ରେକ୍ଷୀରେ ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ଶ୍ରୀ ସଚିନ ରାମଚନ୍ଦ୍ର ଯାଦବ ଓ ନୂଆପଡା ଜିଲ୍ଲାପାଳ ଶ୍ରୀ ହେମକାନ୍ତ ରାୟ, ମୁଖ୍ୟ ଶାସନ ସଚିବଙ୍କ ଠାରୁ ଏହି ପ୍ରମାଣପତ୍ର ଗ୍ରହଣ କରିଥିଲେ ।
ବୈଠକରେ ରାଜସ୍ୱ ପର୍ଷଦ ସଭ୍ୟ ତଥା ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ମହାନିର୍ଦ୍ଦେଶକ ଶ୍ରୀ ରାଜ କୁମାର ଶର୍ମା, ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗଙ୍କ ସମେତ ରାଜ୍ୟ ସରକାରଙ୍କର ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ ଏବଂ କମିଶନର ତଥା ଶାସନ ସଚିବବୃନ୍ଦ ଉପସ୍ଥିତ ଥିଲେ ।





