ଭୁବନେଶ୍ବର: ୨ କୋଟି ଟଙ୍କା ପାଇଁ ବ୍ୟବସାୟୀଙ୍କୁ ଅପହରଣ । ଗୋପାଳପୁର ଥାନା ସତ୍ୟନାରାୟଣପୁର ଗାଁରୁ ଆସିଛି ଏପରି ଅଭିଯୋଗ । ଗାଁର ସୁଧୀର ପାତ୍ରଙ୍କୁ ଗତ ଚାରିଦିନ ହେବ ନିଖୋଜ ଅଛନ୍ତି । ଏହା ମଧ୍ୟରେ ଅପହରଣକାରୀ ୨କୋଟି ଟଙ୍କା ମାଗିଥିବା ଜଣାପଡିଛି । ଗତ ୧୫ ତାରିଖରୁ ସୁଧୀର ନିଖୋଜ ଥିବା କହିଛନ୍ତି ପତ୍ନୀ ରଶ୍ମିତା କୁମାରୀ ।
ସେହି ଦିନ ରାତିରେ ତାଙ୍କ ହ୍ବାଟସ୍ ଆପ୍ ନମ୍ବରକୁ କଲ୍ କରି ଜଣେ ବ୍ୟକ୍ତି କହିଥିଲେ ସ୍ବାମୀଙ୍କୁ ମୁକ୍ତ କରିବାକୁ ହେଲେ ୨କୋଟି ଟଙ୍କା ଦେବାକୁ ପଡ଼ିବ । ଟଙ୍କା ନଦେଲେ ହତ୍ୟା କରାଯିବ ବୋଲି ଧମକ ଦେଇଥିବା କହିଛନ୍ତି ରଶ୍ମିତା । ଏନେଇ ଅଭିଯୋଗ ପାଇବା ସୁଧୀରଙ୍କ ସନ୍ଧାନରେ ଲାଗିଛନ୍ତି ବ୍ରହ୍ମପୁର ଓ ଗଞ୍ଜାମ ପୋଲିସର ୭ଟି ସ୍ବତନ୍ତ୍ର ଟିମ୍ ।
ସବୁ ଦିଗକୁ ନଜର ରଖି ତଦନ୍ତ କରୁଛି ପୋଲିସ । ବିଭିନ୍ନ ଅଞ୍ଚଳର ସିସିଟିଭି ଫୁଟେଜ୍ ଯାଞ୍ଚ କରିବା ସହ ପରିବାର ଲୋକ ଓ ସାଙ୍ଗସାଥୀଙ୍କୁ ପଚରାଉଚରା କରୁଛି । ସିଡିଆର ବାହାର କରି ଯେଉଁମାନେ କଥା ହୋଇଥିଲେ ସମସ୍ତଙ୍କୁ ଡାକି ଜେରା କରୁଛି ପୋଲିସ । ବ୍ୟାଙ୍କରୁ ପୋଲିସ ସୁଧୀରଙ୍କ ଅର୍ଥ ନେଣଦେଣର ତଥ୍ୟ ବାହାର କରିଛି । ସୁଧୀର ଜଣେ ପ୍ଲଟ୍ ବ୍ୟବସାୟୀ ଓ ଜଣେ ଭଲ ଭଲିବଲ୍ ଖେଳାଳି । ୧୫ ତାରିଖ ଦିନ ଭାବିନାରାୟଣପୁର ରୁ ଭଲି ଖେଳି ଘରକୁ ଫେରୁଥିବା ବେଳେ ମାଣ୍ଡିଆପଲ୍ଲୀ ରାସ୍ତାରେ ତାଙ୍କୁ କିଛି ଦୁର୍ବୃତ୍ତ ବନ୍ଧୁକ ଦେଖାଇ ଅପହରଣ କରି ନେଇଥିବା ଅଭିଯୋଗ ହୋଇଛି । ସେଠାରୁ ତାଙ୍କ ବାଇକ୍ ଉଦ୍ଧାର ହୋଇଥିବା ବେଳେ ତାଙ୍କର କୌଣସି ପତ୍ତା ମିଳୁନି । ଗଞ୍ଜାମ ପୋଲିସ ଜିଲ୍ଲାର ୪ଟି ଟିମ ଏବଂ ବ୍ରହ୍ମପୁର ପୋଲିସ ଜିଲ୍ଲାରେ ତିନିଟି ଟିମ ସହ ଅନ୍ୟ ଟିମ ମଧ୍ୟ ତଦନ୍ତ କରୁଛନ୍ତି । ଖୁବଶୀଘ୍ର ପୁରା ଘଟଣାର ପର୍ଦାଫାଶ ହେବ ବୋଲି କହିଛନ୍ତି ବ୍ରହ୍ମପୁର ଅତିରିକ୍ତ ଏସପି ଆଲୋକ ଜେନା ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-05-14_06-19-38-643-1-scaled.jpg)


