ରେଙ୍ଗାଲି: ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବାଇପାସ୍ ରାସ୍ତାର ରେଲବାଇ କ୍ରସିଂ ନିକଟରେ ଓଭର ବ୍ରିଜ୍ ନିର୍ମାଣ କରାଯିବା। ରେଙ୍ଗାଲି ରେ ଏକ ସରକାରୀ ବସ୍ ଷ୍ଟାଣ୍ଡ୍ ନିର୍ମାଣ କରାଯିବା ଏବଂ ହିରାକୁଦ ନଦୀବନ୍ଧ ଯୋଜନାରେ ବିସ୍ଥାପିତ ହୋଇ ଗତ ସାତ ଦଶନ୍ଧି ହେଲା ରେଙ୍ଗାଲି ଜିଲ୍ଲା ପରିଷଦ ଜୋନ୍ (୧) ଅଞ୍ଚଳରେ ବିଭିନ୍ନ ଗାଁ ରେ ପୁର୍ନବସତି ସ୍ଥାପନ କରିଥିବା ଭୂମିହୀନ ଗରିବ ଖଟିଖିଆ ପରିବାରକୁ ଜମିପଟ୍ଟା ପ୍ରଦାନ କରିବା ଆଦି ଜନସମସ୍ୟା ସମ୍ବଳିତ ଦାବୀ ପୂରଣ କରିବାକୁ ଆଜି ଜିଲ୍ଲା ପରିଷଦ ଜୋନ୍(୧) ସଭ୍ୟା ଚୋଳଶ୍ରୀ ମହାନନ୍ଦ ଜିଲ୍ଲାପାଳ ଅନନ୍ୟା ଦାସଙ୍କୁ ସାକ୍ଷାତ କରି ଦାବୀପତ୍ର ପ୍ରଦାନ କରିଛନ୍ତି।
ଦାବୀପତ୍ର ପ୍ରଦାନ ସମୟ ରେ ଜିଲ୍ଲା ପରିଷସଦ ସଭ୍ୟାଙ୍କ ସହିତ ଜିଲ୍ଲାପରିଷଦ ଅଧ୍ୟକ୍ଷ କୁମୋଦିନି ନାଏକ, ମାନେଶ୍ୱର ଜୋନ୍ (୧) ଜିଲ୍ଲା ପରିଷଦ ସଭ୍ୟ ସୁରଜ ସେଠ୍ ଉପସ୍ଥିତ ଥିଲେ।
ଦାବୀପତ୍ର ଅନୁଯାୟୀ ସମ୍ବଲପୁର-ରାଉରକେଲା ୧୦ ନମ୍ବର ରାଜ୍ୟ ରାଜପଥର ରେଙ୍ଗାଲିରୁ ଝାରସୁଗୁଡା ଜିଲ୍ଲାର ଲଖନପୁର ଅଞ୍ଚଳକୁ ସଂଯୋଗ କରୁଥିବା ରେଲବାଇ ଲାଇନ୍ ଉପରେ ଓଭର୍ ବ୍ରିଜ୍ ନିର୍ମାଣ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅର୍ନ୍ତଭୁକ୍ତ ହୋଇଥିବା ହିରାକୁଦ ବିସ୍ଥାପିତ ଭୂମିହୀନ ଗରିବ ଖଟିଖିଆ ପରିବାରଙ୍କୁ ଶୀଘ୍ର ଜମିପଟ୍ଟା ପ୍ରଦାନ କରିବା ଦିଗରେ ବ୍ୟବସ୍ଥା କରିବାକୁ ଦାବି କରାଯାଇଛି।




