ଜିଲ୍ଲା ସଡକ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ
ଅନୁଗୋଳ, ୧୩.୦୩ : ଜିଲ୍ଲା ସଡକ ସୁରକ୍ଷା କମିଟିର ଏକ ବୈଠକ ଆଜି ଅପରାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ଶ୍ରୀ ଅବଦାଲ୍ ମୁହମ୍ମଦ୍ ଅଖତର୍ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକର ପ୍ରାରମ୍ଭରେ ଫେବୃଆରୀ ମାସରେ ହୋଇଥିବା ଦୁର୍ଘଟଣା, ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ଓ ବିଭିନ୍ନ ପ୍ରକାର ପଦକ୍ଷେପ ଉପରେ ପରିବହନ ବିଭାଗ ଦ୍ୱାରା କମିଟି ସଭ୍ୟଙ୍କୁ ଅବଗତ କରାଯାଇଥିଲା ।ପରିବହନ ବିଭାଗ ସୂଚନା ଅନୁଯାୟୀ ଗତ ଫେବୃଆରୀ ମାସରେ ଜିଲ୍ଲାରେ ମୋଟ ୪୦ଟି ଦୁର୍ଘଟଣା ଘଟିଥିବାବେଳେ ୧୯ ଜଣଙ୍କର ମୃତ୍ୟୁ ଘଟିଛି ଓ ୨୧ଜଣ ଆହତ ହୋଇଛନ୍ତି । ଗତ ମାସରେ ପରିବହନ ବିଭାଗ ଦ୍ୱାରା ହୋଇଥିବା ଯାଞ୍ଚ ସମୟରେ ବିନା ହେଲମେଟରେ ଗାଡି ଚାଳନା ଯୋଗୁଁ ୧୧୧୫ ଜଣ, ଦ୍ରୁତ ଗାଡି ଚାଳନ କରିବା ନିମନ୍ତେ ୧୦୩୩ ଜଣ , ମଦ୍ୟପାନ କରି ଗାଡି ଚାଳନ ନିମନ୍ତେ ୧୮ଜଣ, ଅତ୍ୟଧିକ ମାଲ ପରିବହନ ନିମନ୍ତେ ୪୯ଜଣଙ୍କଠାରୁ ଜୋରିମାନା ଆଦାୟ କରାଯାଇଥିବା ବେଳେ ୪୩୨ଜଣଙ୍କର ଲାଇସେନ୍ସ ରଦ୍ଦ କରାଯାଇଥିଲା । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ବିରଞ୍ଚି ବାଗ, ଉପ-ଜିଲ୍ଲାପାଳ ଶ୍ରୀ ମାୟାଧର ବେହେରା , ଅନୁଗୋଳ ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ସମ୍ବିତ କୁମାର, ତାଳଚେର ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ନିଖିଳ ପଟ୍ଟନାୟକଙ୍କ ସମେତ ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ ।



