ଏମଏସଏମଇ (MSME) ଉଦ୍ୟୋଗୀମାନଙ୍କ ପାଇଁ ଦକ୍ଷତା ବୃଦ୍ଧି କର୍ମଶାଳା ଆୟୋଜିତ

ଅନୁଗୋଳ,୧୩.୦୩ : ରାଜ୍ୟ ଉଦ୍ୟୋଗ ବିକାଶ ପ୍ରତିଷ୍ଠାନ (Institute of Entrepreneur Development )ଦ୍ଵାରା Raising and Accelerating MSME Performance (RAMP) ଅଧୀନରେ ଅନୁଗୋଳ ଜିଲାର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀମାନଙ୍କ ପାଇଁ ଏକ ଦକ୍ଷତା ବୃଦ୍ଧି କର୍ମଶାଳା ସ୍ଥାନୀୟ ବ୍ଲାକ୍ ଡାଇମଣ୍ଡର ସମ୍ମିଳନୀ କକ୍ଷଠାରେ ଆୟୋଜିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିଳ୍ପ କେନ୍ଦ୍ରର ସାଧାରଣ ପରିଚାଳକ ଶ୍ରୀ ଶିବାଶିଷ କାନୁନଗୋ Government e-Marketplace (GeM) ପରି ଡିଜିଟାଲ୍ ପ୍ଲାଟଫର୍ମ ମାଧ୍ୟମରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀମାନେ କିପରି ସରକାରୀ କ୍ରୟ ପ୍ରକ୍ରିୟାରେ ସହଜରେ ଅଂଶଗ୍ରହଣ କରି ପାରିବେ ଏବଂ ତାଙ୍କର ବଜାର ସୁଯୋଗକୁ ବିସ୍ତାର କରି ପାରିବେ ସେ ବିଷୟରେ ଆଲୋଚନା କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ପ୍ରୀତିମୟ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଜିଲ୍ଲାର ସ୍ଥାନୀୟ ଉଦ୍ୟୋଗୀମାନଙ୍କୁ ସରକାରୀ କ୍ରୟ ପ୍ରକ୍ରିୟାରେ ସକ୍ରିୟ ଭାବେ ଅଂଶଗ୍ରହଣ କରିବାକୁ ପ୍ରୋତ୍ସାହନ କରିଥିଲେ। ଏହାଦ୍ବାରା ଉଦ୍ୟୋଗୀମାନେ ରୋଜଗାରକ୍ଷମ ହେବା ସହ ସ୍ଥାନୀୟ ଅର୍ଥନୀତିକୁ ସୁଦୃଢ଼ କରିପାରିବେ ବୋଲି ସେ କହିଥିଲେ। GeM ପ୍ରଶିକ୍ଷକ ଶ୍ରୀ ସୁଧାଂଶୁ ପ୍ରଧାନ ଏହି ସରକାରୀ ପ୍ଲାଟଫର୍ମ ବିଷୟରେ ବିସ୍ତୃତ ଭାବେ ଅବଗତ କରାଇବା ସହ ଆଧାର (Aadhar) କିମ୍ବା (PAN) ମାଧ୍ୟମରେ ବିକ୍ରେତା ପଞ୍ଜୀକରଣ ବ୍ୟକ୍ତିଗତ ବିବରଣୀ ସମ୍ପୂର୍ଣ୍ଣ କରିବା, ଦ୍ରବ୍ୟ ଓ ସେବାର କ୍ୟାଟାଲଗ୍ ସୃଷ୍ଟି କରିବା ଏବଂ ବିଡ୍ ଓ ରିଭର୍ସ ଅକ୍ସନ୍ରେ ଅଂଶଗ୍ରହଣ କରିବା ଭଳି ପ୍ରକ୍ରିୟା ବିଷୟରେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ MSME ଉଦ୍ୟୋଗୀଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।



