ଅନୁଗୋଳର ବିଭିନ୍ନ ସ୍ଥାନରେ ଉତ୍ସାହର ସହ ପାଳିତ ହେଲା ରଜ ମହୋତ୍ସବ
ଅନୁଗୋଳ,
ଓଡ଼ିଆ ସଂସ୍କୃତି ଓ ପରମ୍ପରାର ଅନ୍ୟତମ ଗଣପର୍ବ ରଜ ଅବସରରେ ଅନୁଗୋଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ରଜ ମହୋତ୍ସବ ଉତ୍ସାହ ଓ ଆଡ଼ମ୍ବରର ସହ ପାଳିତ ହୋଇଛି। ଗ୍ରାମାଞ୍ଚଳରୁ ସହରାଞ୍ଚଳ ପର୍ଯ୍ୟନ୍ତ ସବୁଠି ରଜର ମାହୋଲ ଦେଖିବାକୁ ମିଳିଛି।
ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ସଂଗଠନ ପକ୍ଷରୁ ରଜ ଉତ୍ସବର ଆୟୋଜନ କରାଯାଇଥିଲା। ବିଭିନ୍ନ ପ୍ରକାର ପିଠା, ମିଠା ପାନ,ରଜଗୀତ, ପୁଚି, ଶଙ୍ଖ ଫିଙ୍କିବା, ହୁଳହୁଳି, ବାଟି ଚାମଚ ଓ ଅନ୍ୟାନ୍ୟ ପାରମ୍ପରିକ ଖେଳ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ମହିଳା ଓ ଯୁବତୀମାନେ ନୂତନ ପୋଷାକ ପରିଧାନ କରି ରଜ ପାଳନରେ ସାମିଲ ହୋଇଥିବା ବେଳେ ବିଭିନ୍ନ ପ୍ରକାର ପିଠାପଣାର ଆସର ମଧ୍ୟ ଜମିଥିଲା।
ରଜ ମହୋତ୍ସବ ମାଧ୍ୟମରେ ଓଡ଼ିଆ ଲୋକସଂସ୍କୃତି ଓ ପରମ୍ପରାର ପ୍ରଚାର ପ୍ରସାର ସହ ସାମାଜିକ ସମ୍ପ୍ରୀତିର ବାର୍ତ୍ତା ପ୍ରସାରିତ ହୋଇଥିବା ଆୟୋଜକମାନେ କହିଛନ୍ତି। ଉତ୍ସବକୁ ନେଇ ସବୁ ବର୍ଗର ଲୋକଙ୍କ ମଧ୍ୟରେ ଉତ୍ସାହ ଓ ଆନନ୍ଦ ପରିଲକ୍ଷିତ ହୋଇଥିଲା।



