ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ଶେଷ କରିବା ଏବଂ ବିଶ୍ୱର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ତୈଳ ପରିବହନ ମାର୍ଗ ହର୍ମୁଜ୍ ଜଳସନ୍ଧି (Strait of Hormuz) ପୁନଃ ଖୋଲିବା ପାଇଁ ଏକ ପ୍ରାରମ୍ଭିକ ଚୁକ୍ତି ହୋଇଥିବା ଘୋଷଣା କରାଯାଇଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହାକୁ “ସମ୍ପୂର୍ଣ୍ଣ ଚୁକ୍ତି” ବୋଲି କହିଥିବା ବେଳେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ୍ ଶରିଫ୍ ମଧ୍ୟ ଏହି ସହମତିକୁ ନିଶ୍ଚିତ କରିଛନ୍ତି।
ଚୁକ୍ତିର ଔପଚାରିକ ସ୍ୱାକ୍ଷର ଆସନ୍ତା ଶୁକ୍ରବାର ସ୍ୱିଜରଲ୍ୟାଣ୍ଡରେ ହେବାକୁ ଥିବା ଜଣାପଡ଼ିଛି।
ଏହି ଚୁକ୍ତି ଅନୁସାରେ ସମସ୍ତ ମୋର୍ଚ୍ଚାରେ ସାମରିକ କାର୍ଯ୍ୟକଳାପ ବନ୍ଦ କରାଯିବ ଏବଂ ହର୍ମୁଜ୍ ଜଳସନ୍ଧିକୁ ବାଣିଜ୍ୟିକ ଜାହାଜ ଚଳାଚଳ ପାଇଁ ଖୋଲାଯିବ। ଇରାନ ମଧ୍ୟ ନିଜ ବନ୍ଦର ଉପରେ ଲାଗିଥିବା ଆମେରିକୀୟ ନୌସେନା ଅବରୋଧ ହଟାଇବା ଏବଂ ଅର୍ଥନୈତିକ ପ୍ରତିବନ୍ଧକରେ କୋହଳ ଆଣିବା ପାଇଁ ଆଲୋଚନା କରୁଛି। ତେବେ ଇରାନର ପରମାଣୁ କାର୍ଯ୍ୟକ୍ରମ ଓ ୟୁରେନିୟମ ସମ୍ପର୍କିତ ବିବାଦୀୟ ପ୍ରସଙ୍ଗଗୁଡ଼ିକ ଆଗାମୀ ୬୦ ଦିନର ଆଲୋଚନାରେ ନିଷ୍ପତ୍ତି ହେବ।



