ନିଟ୍ ପେପର ଲିକ୍ ମାମଲାରେ ଦୋଷୀଙ୍କ ବିରୋଧରେ ହୋଇଛି କାର୍ଯ୍ୟାନୁଷ୍ଠାନ: ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିକୁ ଖାରଜ କଲେ ଆଠୱାଲେ
ନୂଆଦିଲ୍ଲୀ: ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲାକୁ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିକୁ ଖାରଜ କରିଛନ୍ତି କେନ୍ଦ୍ରମନ୍ତ୍ରୀ ରାମଦାସ ଆଠୱାଲେ। ଶନିବାର ସାମ୍ବାଦିକଙ୍କ ସହ ଆଲୋଚନା ବେଳେ ସେ କହିଛନ୍ତି, ନିଟ୍ ପେପର ଲିକ୍ ଘଟଣା ନିଶ୍ଚିତ ଭାବେ ଗୁରୁତର, ହେଲେ ଏହି ମାମଲାରେ ସରକାର କୌଣସି ପଦକ୍ଷେପ ନେଇନାହାନ୍ତି ବୋଲି କହିବା ଠିକ୍ ନୁହେଁ।
ଆଠୱାଲେଙ୍କ ଦାବି ଅନୁଯାୟୀ, ପ୍ରଶ୍ନପତ୍ର ଲିକ୍ ମାମଲାରେ ସମ୍ପୃକ୍ତ ଅନେକ ଅଭିଯୁକ୍ତଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ହୋଇସାରିଛି। ତେଣୁ ଏହି ଘଟଣାକୁ ଆଧାର କରି ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି କରିବାର ଆବଶ୍ୟକତା ନାହିଁ ବୋଲି ସେ ମତ ଦେଇଛନ୍ତି।
ଏହା ସହ ସାମାଜିକ କର୍ମୀ ସୋନମ ୱାଙ୍ଗଚୁକଙ୍କୁ ଅନଶନ ପ୍ରତ୍ୟାହାର କରିବାକୁ ମଧ୍ୟ ଆହ୍ୱାନ ଜଣାଇଛନ୍ତି ରାମଦାସ ଆଠୱାଲେ। ପେପର ଲିକ୍ ରୋକିବା ପାଇଁ ୱାଙ୍ଗଚୁକଙ୍କ ପରାମର୍ଶ ଦେବାର ଅଧିକାର ରହିଛି ବୋଲି ସେ କହିଥିଲେ ମଧ୍ୟ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାର କୌଣସି ଆବଶ୍ୟକତା ନଥିବା ସ୍ପଷ୍ଟ କରିଛନ୍ତି।
ଭବିଷ୍ୟତରେ ଏଭଳି ପ୍ରଶ୍ନପତ୍ର ଲିକ୍ ଘଟଣା ଯେପରି ପୁନରାବୃତ୍ତି ନହୁଏ, ସେଥିପାଇଁ କେନ୍ଦ୍ର ସରକାର ଆହୁରି କଠୋର ଓ ପ୍ରଭାବଶାଳୀ ପଦକ୍ଷେପ ନେବେ ବୋଲି ଆଠୱାଲେ ଆଶ୍ୱାସନା ଦେଇଛନ୍ତି।



