ଶୈଳ ଶ୍ରୀକ୍ଷେତ୍ରରେ ଭକ୍ତିର ରଥଯାତ୍ରା: ମା’ ସୁଭଦ୍ରାଙ୍କ ରଥ ଟାଣିଥିଲେ ମହିଳା
ଅନୁଗୋଳ: ଅନୁଗୋଳ ଜିଲାର ପ୍ରସିଦ୍ଧ ଶୈଳ ଶ୍ରୀକ୍ଷେତ୍ରରେ ଗତ ୧୬ ତାରିଖରେ ଭକ୍ତି ଓ ଉତ୍ସାହର ସହ ଅନୁଷ୍ଠିତ ହୋଇଥିଲା ଚତୁର୍ଦ୍ଧାମୂର୍ତ୍ତିଙ୍କ ପବିତ୍ର ରଥଯାତ୍ରା। ହଜାର ହଜାର ଶ୍ରଦ୍ଧାଳୁଙ୍କ ଗହଳିରେ ଶୈଳ ଶ୍ରୀକ୍ଷେତ୍ରର ବଡ଼ଦାଣ୍ଡ ଭକ୍ତିମୟ ହୋଇଉଠିଥିଲା।
ନିର୍ଦ୍ଧାରିତ ନୀତିକାନ୍ତି ପରେ ଦଇତା ସେବାୟତମାନେ ଧାଡ଼ି ପହଣ୍ଡିରେ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ରଥାରୂଢ଼ କରାଇଥିଲେ। ଝିପିଝିପି ବର୍ଷା ମଧ୍ୟରେ ପହଣ୍ଡି ବିଜେ ଅନୁଷ୍ଠିତ ହୋଇଥିବାବେଳେ ଘଣ୍ଟ, ଘଣ୍ଟା, ହରିବୋଲ ଓ ହୁଳହୁଳି ଧ୍ୱନିରେ ସମଗ୍ର ପରିବେଶ ପ୍ରକମ୍ପିତ ହୋଇଉଠିଥିଲା।
ଦିନ ପ୍ରାୟ ୧ଟାରେ ତିନି ରଥରେ ଛେରାପହଁରା ନୀତି ସମ୍ପନ୍ନ ହୋଇଥିଲା। ଏହାପରେ ଅପରାହ୍ନ ପ୍ରାୟ ୩ଟାରେ ଆରମ୍ଭ ହୋଇଥିଲା ରଥଟଣା। ହଜାର ହଜାର ଭକ୍ତ ତିନି ରଥକୁ ଟାଣି ଅମଲାପଡ଼ାସ୍ଥିତ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ନେଇଥିଲେ।
ରଥଯାତ୍ରାର ସବୁଠାରୁ ଆକର୍ଷଣୀୟ ଦୃଶ୍ୟ ଥିଲା ମା’ ସୁଭଦ୍ରାଙ୍କ ରଥଟଣା। ଏଠାରେ କେବଳ ମହିଳା ଭକ୍ତମାନେ ମା’ ସୁଭଦ୍ରାଙ୍କ ରଥର ଦଉଡ଼ି ଧରି ରଥ ଟାଣିଥିଲେ। ଭକ୍ତି ସହ ନାରୀଶକ୍ତିର ଏହି ଅପୂର୍ବ ସମନ୍ୱୟ ଶ୍ରଦ୍ଧାଳୁଙ୍କ ମନ ଜିଣିଥିଲା।
ରଥଯାତ୍ରା ମାର୍ଗରେ ଅନୁଗୋଳ ଥାନା ସମ୍ମୁଖରେ ସ୍ୱତନ୍ତ୍ର ପୂଜାନୀତି ପରେ ରଥଗୁଡ଼ିକ ଗୋଟିଏ ପରେ ଗୋଟିଏ ଶ୍ରୀଗୁଣ୍ଡିଚା ମନ୍ଦିରରେ ପହଞ୍ଚିଥିଲା। ରାତି ପ୍ରାୟ ୮ଟା ସମୟରେ ନନ୍ଦିଘୋଷ ରଥ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିଥିଲା।
କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରଥଯାତ୍ରା ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଥିଲା। ଜିଲା ପୋଲିସ ପକ୍ଷରୁ ଭକ୍ତଙ୍କ ସୁରକ୍ଷା ଓ ଶୃଙ୍ଖଳା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା।



