ଆଉ ଦୁଇମାସ ପରେ ଗଣେଶପୂଜା ହୋଇପାରିନି କମିଟି ଗଠନ
ତାଳଚେର, ୨୦/୦୭ ତାଳଚେର ଗଣପର୍ବଭାବେ ପରିଚିତ ଗଣେଶପୂଜା ଆଉ ମାତ୍ର ଦୁଇମାସ ବାକି ରହିଥିବା ବେଳେ ଏପର୍ଯ୍ୟନ୍ତ କମିଟି ଗଠନ କରାଯାଇନଥିବାରୁ ଗଣେଶପୂଜା କମିଟି ଗୁଡ଼ିକର କର୍ମକର୍ତାଙ୍କ ମହଲରେ ବିଭିନ୍ନ କଳ୍ପନାଜଳ୍ପନା ବୃଦ୍ଧି ପାଇଛି । ପୂର୍ବବର୍ଷ ପୁରସ୍କାର ଓ ଆୟବ୍ୟୟର ହିସାବ ଏପର୍ଯ୍ୟନ୍ତ ଦିଆଯାଇନାହିଁ । ରାଜାରାଜୁଡ଼ା ଅମଳରୁ ତାଳଚେର ଅଂଚଳରେ ମହାସମାରୋହରେ ଗଣେଶପୂଜା ପାଳନ କରାଯାଇଥାଏ । ଏହି ଗଣେଶପୂଜାକୁ ବାହାର ରାଜ୍ୟରୁ ଦୋକାନ ବଜାର ଆସିବା ସହ ଦୈନନ୍ଦିନ ହଜାର ହଜାର ଭକ୍ତଙ୍କ ଭିଡ଼ା ଲାଗିଥାଏ ଓ ଏହାକୁ ନେଇ ତାଳଚେର ଅଂଚଳ ଚଳଚଂଚଳ ହେଇପଡ଼ିଥାଏ । ଶତାଧିକ ମେଢ଼ରେ ଗଣେଶ ପ୍ରତିମା ପୂଜା ପାଉଥିବା ବେଳେ ଆଲୋକମାଳାରେ ତାଳଚେର ସହର ଝଲସି ଉଠିଥାଏ । ତେବେ ମୂର୍ତିପ୍ରଦର୍ଶନ, ଶାନ୍ତିଶୃଙ୍ଖଳା ଓ ପଟ୍ଟୁଆର ପାଇଁ କେନ୍ଦ୍ରୀୟ ଗଣେଶପୂଜା କମିଟି ପକ୍ଷରୁ ତର୍ଜମା କରାଯାଇ ପୂଜା ଶେଷ ହେବାର ଦୁଇତିନିମାସ ମଧ୍ୟରେ ପୁରସ୍କାର ପ୍ରଦାନ କରାଯାଇଥାଏ । କିନ୍ତୁ ଚଳିତବର୍ଷ ନା କମିଟି ଗଠନ ନା ହୋଇପାରିଲା ପୁରସ୍କାର ବଂଟନ, ତେବେ ଏହାର ବାଧକ ସାହଜିଛି କିଏ? ଏହାକୁ ନେଇ କମିଟି ମଧ୍ୟରେ ଦ୍ୱନ୍ଦ ଉପୁଜିବା ସହ କେନ୍ଦ୍ରୀୟ ପୂଜାରେ ନିୟୋଜିତ କରାଯାଇଥିବା ଟେଂଟହାଉସ ଓ କାରୀଗରଙ୍କ ପାଉଣା ପୈଠ ନହୋଇଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି । ତେଣୁ ସ୍ଥାନୀୟ ପ୍ରଶାସନ ତୁରନ୍ତ ଏହାର ତର୍ଜମା କରି କମିଟି ଗଠନ ସହିତ ପୁରସ୍କାର ବଂଟନ କରିବାକୁ ସାଧାରଣରେ ଦାବି ହେଉଛି ।



