CMO ଫାଇଲ୍ ନିଖୋଜ ମାମଲାରେ ତଦନ୍ତ ତେଜ: ଭି.କେ. ପାଣ୍ଡିଆନଙ୍କୁ ଜୁଲାଇ ୨୫ରେ ହାଜର ପାଇଁ ନୋଟିସ୍
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ (CMO)ରୁ ଗୁରୁତ୍ୱପୂର୍ଣ୍ଣ ଫାଇଲ୍ ନିଖୋଜ ଘଟଣାର ତଦନ୍ତକୁ ପୁଲିସ ଆହୁରି ତ୍ୱରାନ୍ୱିତ କରିଛି। ଏହି ବହୁଚର୍ଚ୍ଚିତ ମାମଲାରେ ପୂର୍ବତନ ଆଇଏଏସ୍ ଅଧିକାରୀ ଓ ବିଜେଡି ନେତା ଭି.କେ. ପାଣ୍ଡିଆନଙ୍କୁ ଏସିପି ଜୋନ୍-୧ କାର୍ଯ୍ୟାଳୟ ପକ୍ଷରୁ ନୋଟିସ୍ ଜାରି କରାଯାଇଛି।
ନୋଟିସ୍ରେ ଆସନ୍ତା ଜୁଲାଇ ୨୫ ତାରିଖରେ ବ୍ୟକ୍ତିଗତ ଭାବେ ଏସିପି କାର୍ଯ୍ୟାଳୟରେ ହାଜର ହେବାକୁ କୁହାଯାଇଛି। କ୍ୟାପିଟାଲ ଥାନାରେ ଜୁନ୍ ୧୦ରେ ରୁଜୁ ହୋଇଥିବା ମାମଲାର ତଦନ୍ତ ପରିପ୍ରେକ୍ଷୀରେ ଏହି ନୋଟିସ୍ ଜାରି ହୋଇଥିବା ପୁଲିସ ସୂଚନା ଦେଇଛି।
ପୁଲିସ ପାଣ୍ଡିଆନଙ୍କୁ ତଦନ୍ତରେ ପୂର୍ଣ୍ଣ ସହଯୋଗ କରିବା ସହ ମାମଲା ସମ୍ପର୍କିତ କୌଣସି ଦଲିଲ, ରେକର୍ଡ, ଇଲେକ୍ଟ୍ରୋନିକ୍ ଉପକରଣ କିମ୍ବା ଅନ୍ୟ ପ୍ରାସଙ୍ଗିକ ସାମଗ୍ରୀ ତାଙ୍କ ନିକଟରେ ଥିଲେ ସେଗୁଡ଼ିକ ସହ ଉପସ୍ଥିତ ହେବାକୁ ମଧ୍ୟ କହିଛି।
ଭି.କେ. ପାଣ୍ଡିଆନ ୨୦୧୧ ମସିହାରୁ ୨୦୨୩ ପର୍ଯ୍ୟନ୍ତ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭାବେ ଦାୟିତ୍ୱ ତୁଲାଇଥିଲେ। ସେହି ସମୟରେ CMOରେ ତାଙ୍କର ପ୍ରଭାବଶାଳୀ ଭୂମିକା ରହିଥିଲା। ତେଣୁ ତାଙ୍କୁ ନୋଟିସ୍ ଜାରି ହେବା ପରେ ଏହି ଘଟଣା ରାଜନୈତିକ ମହଲରେ ଚର୍ଚ୍ଚାକୁ ଆହୁରି ତୀବ୍ର କରିଛି।
ଏହାପୂର୍ବରୁ ଏହି ମାମଲାରେ ଦୁଇଜଣ ବରିଷ୍ଠ ସଚିବ ସ୍ତରୀୟ ଅଧିକାରୀଙ୍କୁ ମଧ୍ୟ ନୋଟିସ୍ ଜାରି ହୋଇଥିଲା। ତେବେ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ସେମାନେ ନିର୍ଦ୍ଧାରିତ ଦିନରେ ହାଜର ହୋଇନଥିଲେ।
ଏବେ ସମସ୍ତଙ୍କ ନଜର ଜୁଲାଇ ୨୫ ତାରିଖ ଉପରେ ରହିଛି। ସେହିଦିନ ଭି.କେ. ପାଣ୍ଡିଆନ ତଦନ୍ତକାରୀ ଅଧିକାରୀଙ୍କ ସମ୍ମୁଖରେ ହାଜର ହେବେ କି ନାହିଁ, ତାହାକୁ ନେଇ ଉତ୍ସୁକତା ବଢ଼ିଛି। ଅନ୍ୟପଟେ, CMOରୁ ସରକାରୀ ଫାଇଲ୍ ନିଖୋଜ ଘଟଣାକୁ ପ୍ରଶାସନ ଗୁରୁତ୍ୱର ସହ ନେଇଥିବାବେଳେ, ତଦନ୍ତ ଆଗକୁ ବଢ଼ିଲେ ଆହୁରି ତଥ୍ୟ ସାମ୍ନାକୁ ଆସିପାରେ ବୋଲି ଆଲୋଚନା ହେଉଛି।
ତେବେ ଫାଇଲ ନିଖୋଜ ହେବା ଘଟଣା କେଉଁ ମୋଡ୍ ନେବ ସମୟ କୁ ଅପେକ୍ଷା।



