ୟୁକେ-ଓଡ଼ିଶା ସହଯୋଗକୁ ନୂଆ ଦିଗ: ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂହଦେଓଙ୍କ ସହ ବ୍ରିଟିଶ ଡେପୁଟି ହାଇକମିଶନରଙ୍କ ଆଲୋଚନା
ଭୁବନେଶ୍ୱର: ୟୁକେ ଓ ଓଡ଼ିଶା ମଧ୍ୟରେ ବାଣିଜ୍ୟ, ନିବେଶ ଏବଂ ବିକାଶମୂଳକ ସହଯୋଗକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ କୋଲକାତାସ୍ଥିତ ବ୍ରିଟିଶ ଡେପୁଟି ହାଇକମିଶନର ଡକ୍ଟର ଆଣ୍ଡ୍ରୁ ଫ୍ଲେମିଂ ଗୁରୁବାର ଲୋକସେବା ଭବନରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଏହି ବୈଠକରେ ୟୁକେ-ଭାରତ ମୁକ୍ତ ବାଣିଜ୍ୟ ଚୁକ୍ତି (FTA) ପରବର୍ତ୍ତୀ ସମ୍ଭାବନାକୁ ନେଇ ବିସ୍ତୃତ ଆଲୋଚନା ହୋଇଥିଲା।
ବୈଠକରେ ବିଶେଷକରି ଶକ୍ତି, ଭିତ୍ତିଭୂମି ବିକାଶ, ଦକ୍ଷତା ବିକାଶ, କ୍ରିଟିକାଲ ମିନେରାଲ୍ସ, କ୍ରୀଡ଼ା, ବାଣିଜ୍ୟ ଏବଂ ନିବେଶ କ୍ଷେତ୍ରରେ ଉଭୟ ପକ୍ଷ ମଧ୍ୟରେ ସହଯୋଗ ବଢ଼ାଇବା ଉପରେ ଗୁରୁତ୍ୱ ଦିଆଯାଇଥିଲା।
ଡକ୍ଟର ଫ୍ଲେମିଂ କହିଥିଲେ, ଏହା ତାଙ୍କର ୧୮ତମ ଓଡ଼ିଶା ଗସ୍ତ। ଓଡ଼ିଶାର ସମୃଦ୍ଧ ସଂସ୍କୃତି, ପରମ୍ପରା ଏବଂ ଦ୍ରୁତ ବିକାଶର ପ୍ରଶଂସା କରି ସେ କହିଥିଲେ ଯେ, ରାଜ୍ୟ ସହ ୟୁକେର ସହଭାଗିତାକୁ ଆହୁରି ବ୍ୟାପକ କରିବା ପାଇଁ ଉଭୟ ପକ୍ଷ ପ୍ରତିବଦ୍ଧ।
ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂହଦେଓ ମଧ୍ୟ ‘ବିକଶିତ ଓଡ଼ିଶା’ ଲକ୍ଷ୍ୟ ହାସଲରେ ଆନ୍ତର୍ଜାତିକ ସହଯୋଗର ଗୁରୁତ୍ୱ ଉପରେ ମତ ରଖିଥିଲେ। ସ୍ଥାୟୀ ଆର୍ଥିକ ଅଭିବୃଦ୍ଧି ସହିତ ଓଡ଼ିଶା ଓ ୟୁକେ ମଧ୍ୟରେ ଶିଳ୍ପ, ବାଣିଜ୍ୟ, ଶିକ୍ଷା ଏବଂ ଲୋକ-ଲୋକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।
ଏହି ଗସ୍ତରେ ଡକ୍ଟର ଫ୍ଲେମିଂଙ୍କ ସହ ବ୍ରିଟିଶ ହାଇକମିଶନର ବିଭିନ୍ନ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ। ବୈଠକରେ ଓଡ଼ିଶା ସରକାରଙ୍କ ଶକ୍ତି, କୃଷି ଓ ଅନ୍ୟାନ୍ୟ ବିଭାଗର ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।
ଏହି ସାକ୍ଷାତକାରକୁ ଓଡ଼ିଶା ଓ ୟୁକେ ମଧ୍ୟରେ ବାଣିଜ୍ୟ, ନିବେଶ, ଶିକ୍ଷା ଓ ସାଂସ୍କୃତିକ ସହଯୋଗକୁ ଆହୁରି ଗତିଶୀଳ କରିବା ଦିଗରେ ଏକ ସକାରାତ୍ମକ ପଦକ୍ଷେପ ବୋଲି ଦେଖାଯାଉଛି।



