ଢେଙ୍କାନାଳ: ବିବାହ ଉତ୍ସବର ଖୁସି କ୍ଷଣକ ମଧ୍ୟରେ ଶୋକରେ ପରିଣତ ହୋଇଛି। ବରଯାତ୍ରୀ ହୋଇ ବିବାହକୁ ଯାଇଥିବା ପାଞ୍ଚ ଜଣ ଯୁବକ ଘରକୁ ଫେରିବା ବେଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ଏହି ଦୁଃଖଦ ଘଟଣା ଢେଙ୍କାନାଳ ଜିଲ୍ଲା ସଦର ଥାନା ଅଞ୍ଚଳର ଛାଟିଆ ପୋଖରୀ ନିକଟରେ ଘଟିଛି।
ସୂଚନା ଅନୁସାରେ, ମୋଟଗାଁ ଥାନା ଅନ୍ତର୍ଗତ ବାଙ୍ଗୁରସିଂ ଗ୍ରାମର କିଛି ଯୁବକ ଇନ୍ଦୁପୁର ଗ୍ରାମକୁ ଏକ ବିବାହ ଉତ୍ସବରେ ଯୋଗ ଦେବାକୁ ଯାଇଥିଲେ। କାର୍ଯ୍ୟକ୍ରମ ସାରି ଏକ କାରରେ ଘରକୁ ଫେରୁଥିବା ସମୟରେ ଛାଟିଆ ପୋଖରୀ ନିକଟରେ ଚାଳକ ଗାଡ଼ିର ନିୟନ୍ତ୍ରଣ ହରାଇଥିଲେ। ଫଳରେ କାରଟି ସିଧାସଳଖ ରାସ୍ତାକଡ଼ର ପୋଖରୀକୁ ଖସି ପଡ଼ିଥିଲା।
ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ତୁରନ୍ତ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲେ। ତେବେ କାରରେ ଫସି ରହିଥିବା ପାଞ୍ଚ ଜଣ ଯୁବକଙ୍କୁ ବଞ୍ଚାଇବା ସମ୍ଭବ ହୋଇନଥିଲା। ସେମାନଙ୍କର ମୃତ୍ୟୁ ଘଟଣାସ୍ଥଳରେ କିମ୍ବା ହସ୍ପିଟାଲକୁ ନେବା ପରେ ହୋଇଥିବା ସୂଚନା ମିଳିଛି।
ମୃତକମାନେ ହେଲେ ଶ୍ରୀରାମ ସାହୁ (୨୮), ଚନ୍ଦ୍ରକାନ୍ତ ସ୍ୱାଇଁ (୨୬), ଅଭିନାଶ ସାହୁ (୨୮), ରାକେଶ ସାହୁ (୨୮) ଓ ଅଭିଜିତ ସାହୁ (୨୫)। ସମସ୍ତେ ମୋଟଗାଁ ଥାନା ଅନ୍ତର୍ଗତ ବାଙ୍ଗୁରସିଂ ଗ୍ରାମର ବାସିନ୍ଦା ବୋଲି ଜଣାପଡ଼ିଛି।
ଖବର ପାଇ ସଦର ପୁଲିସ ଘଟଣାସ୍ଥଳରେ ପହଞ୍ଚି କାରକୁ ପୋଖରୀରୁ ଉଦ୍ଧାର କରିଥିଲା। ମୃତଦେହଗୁଡ଼ିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଦୁର୍ଘଟଣାର ପ୍ରକୃତ କାରଣ ନେଇ ତଦନ୍ତ ଆରମ୍ଭ କରିଛି। ଏହି ଅଘଟଣ ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।



