ସମ୍ବଲପୁର/ହୀରାକୁଦ: ଉପରମୁଣ୍ଡ ଅଞ୍ଚଳରେ ଲଗାତାର ବର୍ଷା ପ୍ରଭାବରେ ହୀରାକୁଦ ଜଳଭଣ୍ଡାରକୁ ଜଳପ୍ରବେଶ ଦ୍ରୁତ ଗତିରେ ବଢ଼ୁଛି। ଜଳସ୍ତରକୁ ନିୟନ୍ତ୍ରଣରେ ରଖିବା ପାଇଁ କର୍ତ୍ତୃପକ୍ଷ ବର୍ତ୍ତମାନ ୧୬ଟି ଫାଟକ ଦେଇ ବନ୍ୟାଜଳ ନିଷ୍କାସନ କରୁଛନ୍ତି।
ବୁଧବାର ସନ୍ଧ୍ୟା ୬ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରକୁ ୨ ଲକ୍ଷ ୨୬ ହଜାର କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ, ଫାଟକ ସହ କେନାଲ ଏବଂ ପାୱାର କେନାଲ ମାଧ୍ୟମରେ ଜଳ ଛଡ଼ାଯାଉଛି। ବର୍ତ୍ତମାନ ଜଳଭଣ୍ଡାରର ଜଳସ୍ତର ୬୧୪.୨୩ ଫୁଟ ରହିଛି ଏବଂ ଏହା କ୍ରମାଗତ ଭାବେ ବୃଦ୍ଧି ପାଉଛି।
ଜଳପ୍ରବେଶର ପରିମାଣ ଏଭଳି ଜାରି ରହିଲେ ଆଗାମୀ ଦିନରେ ଆହୁରି ଫାଟକ ଖୋଲାଯାଇପାରେ ବୋଲି ଜଳସମ୍ପଦ ବିଭାଗ ସୂଚନା ଦେଇଛି।
ଅନ୍ୟପକ୍ଷରେ, ବର୍ତ୍ତମାନ ମହାନଦୀର ମୁଣ୍ଡଳୀଠାରେ ପ୍ରାୟ ୧ ଲକ୍ଷ ୯୬ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି। ହୀରାକୁଦରୁ ଛଡ଼ାଯାଉଥିବା ଜଳ ଶୁକ୍ରବାର ସୁଦ୍ଧା ତଳମୁଣ୍ଡ ଅଞ୍ଚଳରେ ପହଞ୍ଚିବ ବୋଲି ଆକଳନ କରାଯାଇଛି।
ତେବେ ଉପରମୁଣ୍ଡରେ ବର୍ଷା ଜାରି ଥିଲେ ମଧ୍ୟ ଅତ୍ୟଧିକ ବର୍ଷା ନ ହେଉଥିବାରୁ ବର୍ତ୍ତମାନ ସୁଦ୍ଧା ତଳମୁଣ୍ଡ ଅଞ୍ଚଳରେ ବଡ଼ ଧରଣର ବନ୍ୟା କିମ୍ବା କ୍ଷୟକ୍ଷତିର ଆଶଙ୍କା ନାହିଁ ବୋଲି ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି। ତଥାପି ନଦୀକୂଳବର୍ତ୍ତୀ ଅଞ୍ଚଳର ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।



